Advertisment

ଏୟାରପୋର୍ଟଠୁ ଅଧିକ ଆକର୍ଷଣୀୟ ଦିଶିବ ରେଳ ଷ୍ଟେସନ୍

ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଲେଓ୍ୱ ଷ୍ଟେସନ୍‌ରେ ରହିବ କେଉଁସବୁ ଆଧୁନିକ ସୁବିଧା, ଜାଣନ୍ତୁ

author-image
Chandan Shishu
ଅଦ୍ୟତନ ହୋଇଛି
Modernise Railway Stations

modernise Railway stations

ଏୟାରପୋର୍ଟଠୁ ଅଧିକ ଆକର୍ଷଣୀୟ ଦିଶିବ ରେଳ ଷ୍ଟେସନ୍। କେବଳ ବାହାରୁ ଆକର୍ଷଣୀୟ ଦିଶିବନି, ଭିତରେ ବି ରହିବ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଓ ବ୍ୟବସ୍ଥା। ଆଉ ମାତ୍ର ୨ରୁ ସାଢ଼େ ୩ ବର୍ଷ ଭିତରେ ନୂଆଦିଲ୍ଲୀ ରେଳଷ୍ଟେସନ, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଏବଂ ଗୁଜରାଟର ଅହମ୍ମଦାବାଦ ରେଳଷ୍ଟେସନର ରୂପ ବଦଳିଯିବ। ପ୍ରଥମ ପର୍ଯ୍ୟାୟରେ ଏହି ୩ଟି ରେଳ ଷ୍ଟେସନ୍‌ର ପୁନଃବିକାଶ ପାଇଁ ୧୦ ହଜାର କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ ଦେଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍।

Advertisment

ଯୁଗ୍ମ-ଗମ୍ବୁଜାକାର ରୂପ ନେବାକୁ ଥିବା ନୂଆଦିଲ୍ଲୀ ରେଲେଓ୍ୱ ଷ୍ଟେସନରେ, ରେଳ ସେବା ସହିତ ବସ୍, ଅଟୋ ଓ ମେଟ୍ରୋ ରେଲ୍ ସେବାକୁ ସଂଯୋଗ କରାଯିବ। ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନସ୍‌ର ଐତିହ୍ୟ କୋଠାକୁ ନଛୁଇଁ ଆଖପାଖ କୋଠାର ପୁନଃବିକାଶ କରାଯିବ। ଅହମ୍ମଦାବାଦ ଷ୍ଟେସନ୍‌ର ଡିଜାଇନ୍ ମୋଢେରା ସୂର୍ଯ୍ୟ ମନ୍ଦିର ଦ୍ୱାରା ପ୍ରେରିତ ହେବ। ୬୦ ହଜାର କୋଟି ଟଙ୍କାରେ ଏହି ୩ଟି ସମେତ ଦେଶର ମୋଟ ୧୯୯ଟି ଷ୍ଟେସନ୍‌ର ପୁନଃବିକାଶ କରାଯିବ ବୋଲି କହିଛନ୍ତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଲେଓ୍ୱ ଷ୍ଟେସନ୍‌ରେ ରହିବ କେଉଁସବୁ ଆଧୁନିକ ସୁବିଧା, ଜାଣନ୍ତୁ- ଏହି ୩ଟି ଯାକ ଷ୍ଟେସନ୍‌ରେ ବିଶାଳ ରୁଫ୍ ପ୍ଲାଜା ରହିବ। ରିଟେଲ୍, ଫୁଡକୋର୍ଟ, କ୍ୟାଫେଟେରିଆ, ୱେଟିଂ ଲାଉଞ୍ଜ, ପିଲାଙ୍କ ଖେଳକୁଦ ସ୍ଥାନ ଓ ବୟସ୍କଙ୍କ ଅବସର ବିନୋଦନ ପାଇଁ ବ୍ୟବସ୍ଥା ରହିବ।ସ୍ଥାନୀୟ ଉତ୍ପାଦ ବିକ୍ରି ପାଇଁ ସୁବିଧା କରାଯିବ। ସହରର ଉଭୟ ପାର୍ଶ୍ୱକୁ ଷ୍ଟେସନ ସହ ସଂଯୋଗ କରାଯିବ ଏବଂ ରେଳ ଧାରଣାର ଉଭୟ ପଟେ ଷ୍ଟେସନ୍ ବିଲ୍ଡିଂ ନିର୍ମାଣ କରାଯିବ। ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ସିସିଟିଭି ଓ ସାଇନେଜ୍ ସହିତ ଲିଫ୍ଟ ଓ ଏସ୍କାଲେଟର ଆଦି ବ୍ୟବସ୍ଥା ରହିବ। 

Advertisment

ବିନା ସମସ୍ୟାରେ ଗାଡ଼ି ଚଳାଚଳ ଓ ପାର୍କିଂ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି। ସୌର ଶକ୍ତିର ଉପଯୋଗ, ଜଳ ସଂରକ୍ଷଣ ଏବଂ ବୃକ୍ଷରୋପଣ ପାଇଁ ଗ୍ରୀନ୍-ବିଲ୍ଡିଂ ଟେକ୍ନୋଲୋଜିର ବ୍ୟବହାର କରାଯିବ। ଦିବ୍ୟାଙ୍ଗଙ୍କ ସୁବିଧାକୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ମୋଟାମୋଟି କହିବାକୁ ଗଲେ ରେଳ ଷ୍ଟେସନ ବିଲ୍ଡିଂ ସମ୍ପୃକ୍ତ ସହରର ଅନ୍ୟତମ ପରିଚୟ ପାଲଟିବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର। ଏହିକ୍ରମରେ ଭୁବନେଶ୍ୱର ରେଳଷ୍ଟେସନର ବିକାଶ ପାଇଁ ମଧ୍ୟ କେନ୍ଦ୍ର ସରକାର ୩ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା।

ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଳ ଷ୍ଟେସନ୍‌ର ଉନ୍ନତିକରଣ ଦ୍ୱାରା ଦୈନିକ ୨୦ ଲକ୍ଷ ଯାତ୍ରୀ ଉପକୃତ ହେବେ, ୩୫ ହଜାର ୭୪୪ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ଏବଂ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ବଳ ମିଳିବ ବୋଲି ଆଶା ରଖିଛି କେନ୍ଦ୍ର। 

Railway Stations Airport Bhubaneswar Railway Station
Advertisment
Advertisment