• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାମୁ ଘରେ ରୋଭର ପ୍ରଜ୍ଞାନର ଗତିବିଧି ଯେତିକି ବଢୁଛି, ବୈଜ୍ଞାନିକଙ୍କ ମଧ୍ୟରେ ଉତ୍କଣ୍ଠା ବି ସେତିକି ସେତିକି ବଢୁଛି । ଚନ୍ଦ୍ରୟାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ଏବେ ସବୁଆଡେ ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ବଢିବାରେ ଲାଗିଛି ଚର୍ଚ୍ଚା । ତେବେ ଚନ୍ଦ୍ରଯାନ-୩ ମିଶନର ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ରହିଛନ୍ତି ନୟାଗଡ ଓଡ଼ଗାଁ ମାଟିର ପୁଅ ଯୁବ ବୈଜ୍ଞାନିକ ପୀୟୂଷକାନ୍ତି କର । ମିଶନ ସଫଳ ହେବା ପରେ ପୀୟୂଷଙ୍କୁ ଛୁଟୁଛି ପ୍ରଶଂସାର ସୁଅ ।

ଇସ୍ରୋରେ ସାମିଲ ଥିବା ବୈଜ୍ଞାନିକ ମାନଙ୍କର ୪ ବର୍ଷର ଅକାଳ ପରିଶ୍ରମର ଫଳ ଏବେ ଦେଖୁଛି ପୁରା ବିଶ୍ୱ । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବରେ ଭାରତ ରଚିସାରିଛି ଇତିହାସ । ଆଉ ଇତିହାସ ରଚିବାରେ ଇସ୍ରୋର ବୈଜ୍ଞାନିକଙ୍କ ଭିତରେ ସାମିଲ ଅଛନ୍ତି ପୀୟୂଷକାନ୍ତି କର । ସୁନାମୁହିଁ ଗାଁର ଭାଗୀରଥୀ କର ଓ ଦମୟନ୍ତୀ କରଙ୍କ ବଡ ପୁଅ ହେଉଛନ୍ତି ପୀୟୂଷକାନ୍ତି ।

ଗଞ୍ଜାମ ଜଗନ୍ନାଥପ୍ରସାଦ ମଙ୍ଗରାଜପୁର ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ପଢ଼ିଥିଲେ l ପରେ ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ହେଲେ l ସେପ୍ଟେମ୍ବର ୨୬, ୨୦୦୮ ମସିହାରେ ଇସ୍ରୋରେ ଯୋଗ ଦେଇ ଏକ୍ସକ୍ଲୁସିଭ ବିଭାଗର ଅନୁଭାଗ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ l ବାସ୍‌ ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ଇସ୍ରୋର ଯାତ୍ରା ।

ଅକ୍ଟୋବର ୨୦୦୮ ଚନ୍ଦ୍ରଯାନ-୧ ଉତ୍‌କ୍ଷେପଣଠାରୁ ଇସ୍ରୋରେ ବୈଜ୍ଞାନିକ ଭାବରେ ଯୋଗଦେଇ ସ୍ବର୍ଣ୍ଣପଦକ ପାଇଛନ୍ତି ପୀୟୂଷକାନ୍ତ । ଚନ୍ଦ୍ରଯାନ-୧ ରୁ ୩ ପର୍ଯ୍ୟନ୍ତ ପୀୟୂଷ ୫୦ରୁ ଅଧିକ ରକେଟ୍‌ ଉତ୍‌କ୍ଷେପଣ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । ଆଉ ଏବେ ପୁଣି ଥରେ ଚନ୍ଦ୍ରୟାନ-୩କୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ପୀୟୂଷକାନ୍ତିଙ୍କ ଜୀବନ ଯାତ୍ରା ଯେତିକି ହୃଦୟସ୍ପର୍ଶୀ ସେତିକି ପ୍ରେରଣାଦାୟୀ ମଧ୍ୟ । ନିଷ୍ଠା, ଉଦ୍ୟମ ଓ କଠିନ ପରିଶ୍ରମ ଯେ ସଫଳତାର ଚାବିକାଠି ତାହାର ଜ୍ବଳନ୍ତ ଉଦାହରଣ ପୀୟୂଷକାନ୍ତି ।

 

  • Reported by:
  • Jayendra Behera