• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମିଶନ୍ ଆଦିତ୍ୟ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ । ଆସନ୍ତାକାଲି ଦିନ ୧୧ଟା ୫୦ରେ PSLV-C57ରେ ଉତକ୍ଷେପଣ ହେବ ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ- ଆଦିତ୍ୟ L1 । ଆଜି ଦିନ ୧୨ଟା ୧୦ରେ ଏଥିପାଇଁ ଅବଗଣନା ଆରମ୍ଭ ହୋଇସାରିଥିବା ବେଳେ, ଇସ୍ରୋର ପ୍ରସ୍ତୁତି ବି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ଏହି ବଡ଼ ମିଶନର ଲଞ୍ଚିଂ ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ଏବଂ ବୈଜ୍ଞାନିକମାନେ ତିରୁପତିର ବିଭିନ୍ନ ମନ୍ଦିରକୁ ଯାଇ ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଛି । ପାଖେଇ ଆସୁଛି 'ମିଶନ ଆଦିତ୍ୟ'ର ମହାମୁହୂର୍ତ୍ତ। କାଲିର ଲଞ୍ଚିଂ ପାଇଁ ଚାଲିଛି ୨୪ ଘଣ୍ଟିଆ କାଉଣ୍ଟ ଡାଉନ ।

ଲଞ୍ଚପ୍ୟାଡରେ ତୟାର ଇସ୍ରୋର ୱାର୍କହର୍ସ PSLV-C 57 । ଏବେ କେବଳ ଅପେକ୍ଷା- ଶନିବାର ଦିନ ୧୧ଟା ୫୦କୁ । ଠିକ୍ ଏହି ସମୟରେ ଭୂପୃଷ୍ଠକୁ ଛାଡ଼ିବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ୍ ସ୍ପେଶ ସେଣ୍ଟରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଆକାଶ ଚିରିବ PSLV-XL କ୍ଲାସ୍ ରକେଟ୍ । ଉତକ୍ଷେପଣର ପ୍ରାୟ ଘଣ୍ଟାଏ ପରେ ଏହା ଆଦିତ୍ୟ-L1କୁ ଲୋ-ଆର୍ଥ ଅର୍ବିଟରେ ଅବସ୍ଥାପିତ କରିବ । ଭୂପୃଷ୍ଠରୁ ଅପେକ୍ଷାକୃତ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଏହି କକ୍ଷପଥରେ ଅବସ୍ଥାପିତା ହେବା ପରେ, ପୃଥିବୀକୁ ପ୍ରାୟ ୪ ଥର ପରିକ୍ରମା କରି ନିଜର କକ୍ଷପଥକୁ ବିସ୍ତାର କରିବ ଆଦିତ୍ୟ-L1 ।

ଏହାପରେ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଲାଗରାଞ୍ଜିଆନ୍ ପଏଣ୍ଟ-୧ ବା ଏଲ୍-ୱାନ୍ ଅଭିମୁଖେ ଆଗେଇଯିବ । ସେଠାରେ ଏହା ପହଞ୍ଚିବାକୁ ୧୨୫ ଦିନ ଲାଗିବ । ତେଣୁ ୨୦୨୪ ଜାନୁଆରୀ ପ୍ରଥମ ସପ୍ତାହରୁ ସୂର୍ଯ୍ୟ ଉପରେ ଗବେଷଣା ଆରମ୍ଭ କରିବ ଆଦିତ୍ୟ-L1 । ଆସନ୍ତାକାଲିର ଲଞ୍ଚିଂ ପାଇଁ ଆଜି ଦିନ ୧୨ଟା ୧୦ରେ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ, ଆଜି ତିରୁପତିର ବିଭିନ୍ନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଓ ବୈଜ୍ଞାନିକ ।

ସେପ୍ଟେମ୍ବରରେ ଆଦିତ୍ୟ-L1 ପରେ ଅକ୍ଟୋବରରେ ଗଗନଯାନ ଟେଷ୍ଟ ଭେହିକିଲ୍ ଲଞ୍ଚ ହେବ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ ।ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ପାଇଁ ଉତ୍ସୁକ ସାରା ଦେଶ । ସୂର୍ଯ୍ୟ ଉପରେ ଗବେଷଣା ପାଇଁ ପ୍ରଥମ ଭାରତୀୟ ସ୍ପେଶ୍ ଅବର୍ଜର୍ଭେଟରି ପଠାଉଥିବାରୁ ଇସ୍ରୋ ବି ଉତ୍ସାହିତ । ଆଦିତ୍ୟ-L1ରେ ଲାଗିଥିବା ୭ଟି ଯନ୍ତ୍ରରୁ ୪ଟି ଯନ୍ତ୍ର ସିଧାସଳଖ ସୂର୍ଯ୍ୟ ଆଡ଼କୁ ମୁହଁ କରି, ତାର ୩ଟି ସ୍ତର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ କରୋନା ସଂପର୍କରେ ତଥ୍ୟ ସଂଗ୍ରହ କରିବ ।

ଜାଣିବାକୁ ଚେଷ୍ଟା କରିବ ଯେ, ଫଟୋସ୍ଫିୟରର ତାପମାତ୍ରା ୫ହଜାର ୫ଶହ ଡିଗ୍ରୀ ସେଲସିୟସ ହୋଇଥିବା ବେଳେ, ସବୁଠୁ ବାହ୍ୟମଣ୍ଡଳ କରୋନାର ତାପମାତ୍ରା ପ୍ରାୟ ୧୦ରୁ ୨୦ ଲକ୍ଷ ଡିଗ୍ରୀ ସେଲସିୟସ କାହିଁକି । ଏଥିରେ ଲାଗିଥିବା ଆଉ ୩ଟି ଯନ୍ତ୍ର ସୂର୍ଯ୍ୟରୁ ଆସୁଥିବା ସୋଲାର୍ ୱିଣ୍ଡ୍ ବା ସୌର ପବନ ଓ ଚାର୍ଜ କଣିକା ଆଦିକୁ ଛୁଇଁ ତା ଉପରେ ଗବେଷଣା କରିବ । ବିପଜ୍ଜନକ ସୌରଝଡ଼ର ଆକଳନ ଓ ମୁକାବିଲା ଦିଗରେ ଏହା ବଡ଼ ଖୁଲାସା କରିପାରେ ବୋଲି ଆଶା କରାଯାଉଛି ।

ସୂଚନା ଅନୁସାରେ, ଆଦିତ୍ୟ-L1ର ମୁଖ୍ୟ ପେ'ଲୋଡ୍ ଭିଜିବଲ୍ ଏମିସନ୍ ଲାଇନ୍ କରୋନାଗ୍ରାଫ୍ ବା VELC ପ୍ରତି ମିନିଟରେ ସୂର୍ଯ୍ୟର ଗୋଟିଏ ଲେଖାଏଁ ଫଟୋ ଉଠାଇ ଚାଲିବ । ପ୍ରତିଦିନ ଗ୍ରାଉଣ୍ଡଷ୍ଟେସନକୁ ଆସିବ ସୂର୍ଯ୍ୟର ୧୪ଶହ ୪୦ଟି ଫଟୋ। ଏତେ ସଂଖ୍ୟକ ତଥ୍ୟର ବିଶ୍ଳେଷଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଇସ୍ରୋ ।

ଚନ୍ଦ୍ରଯାନ ଭଳି ସୂର୍ଯ୍ୟଯାନରେ ବି ଲାଗିଛି ଓଡ଼ିଶାରେ ତିଆରି ଯନ୍ତ୍ର । ଆଦିତ୍ୟ-L1 ଏବଂ PSLV-C57ର ଅନେକ ଗୁଡ଼ିଏ ପାର୍ଟସ୍ ଇସ୍ରୋକୁ ଯୋଗାଇ ଦେଇଛି ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର । ଏହି ଦେଢ଼ ଟନ୍ ଓଜନର ମହାକାଶଯାନ ସୂର୍ଯ୍ୟ ନିକଟକୁ ଯାଉଥିବାରୁ, ସେଥିରେ ଲାଗିଥିବା ଉପକରଣ ଗୁଡ଼ିକୁ ହାଇ ହିଟ୍ ରେଜିଷ୍ଟାଣ୍ଟ୍ ବା ଉଚ୍ଚ ତାପ ସହଣୀ ଶକ୍ତି ଥିବା କାଚ, କ୍ୱାର୍ଜ ଓ ଇଙ୍କୋନେଲରେ ଗଢ଼ାଯାଇଛି ।

ମିଶନ ଆଦିତ୍ୟ ପାଇଁ ଖର୍ଚ୍ଚ ହେଉଛି ପ୍ରାୟ ୪ଶହ କୋଟି ଟଙ୍କା । ଏବେ ଅପେକ୍ଷା ଆସନ୍ତାକାଲି ମଧ୍ୟାହ୍ନକୁ, ଭାରତର ସୂର୍ଯ୍ୟଯାତ୍ରା ଅୟମାରମ୍ଭକୁ ।

  • Reported by:
  • KAPILENDRA PRADHAN