• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଟିକେଟ୍ ଦର୍ଶନ । ମନ୍ଦିର ଆୟବୃଦ୍ଧି ପାଇଁ ବିଭିନ୍ନ ନିଯୋଗ ସହ ଆଲୋଚନା କରି ଏଥିପାଇଁ ଏସଓପି ଜାରି ହେବ ବୋଲି ମୁଖ୍ୟ ପ୍ରଶାସକଙ୍କ ସୂଚନା ପରେ ଆପତ୍ତି ଉଠାଇଲେଣି ସାଧାରଣ ଭକ୍ତ । ଗୋଟିଏ ପଟେ ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଭିତରକାଠ ଦର୍ଶନ ବି ଠିକରେ ହୋଇପାରୁନି । ଆଉ ଏଭଳି ସ୍ଥିତିରେ ପରିମାଣିକ ଟିକେଟ୍ ଦର୍ଶନକୁ ନେଇ ସେବାୟତଙ୍କ ମଧ୍ୟରେ ବି ସୃଷ୍ଟି ହୋଇଛି ଭିନ୍ନ ମତ ।

ନାଁକୁ ଚାଲିଛି ସାହାଣମେଲା ଦର୍ଶନ । ଗର୍ଭଗୃହ ଭିତରକୁ ପଶି ପାରୁନାହାନ୍ତି ଭକ୍ତ । ବାହାରକାଠରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧପନ୍ତରିଆ ଦର୍ଶନ କରି ମନ ଅତୃପ୍ତ । ଭିତରକାଠ ପାଖରୁ ରତ୍ନବେଦୀ ନିକଟକୁ ନୋ ଏଣ୍ଟ୍ରି । ଆଉ ଏଭଳି ସ୍ଥିତିରେ ସାଧାରଣ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନକରି ୭ବର୍ଷ ଧରି ବନ୍ଦ ଥିବା ପରିମାଣିକ ଟିକଟ୍ ବ୍ୟବସ୍ଥା ପୁଣି ଆରମ୍ଭ ଲାଗି ମସୁଧା କରୁଛି ଶ୍ରୀମନ୍ଦିର ପ୍ରଶାସନ ।

ତେବେ କେବେଠୁ ଏହା ଲାଗୁ ହେବ ? କ’ଣ ଏସଓପି ରହିବ ? ଟିକେଟ୍ ଦାମ୍ କେତେ ରହିବ ? ପରିମାଣିକ ଟିକେଟଧାରୀ ଗର୍ଭଗୃହକୁ ଯାଇ ଦର୍ଶନ କରିବେ ? ନା କେବଳ ଭିତରକାଠ ଯାଏଁ ଯିବେ ? ଏସବୁ ଅସ୍ପଷ୍ଟ ଥିବାବେଳେ ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ବୈଠକରେ କିନ୍ତୁ ପରିମାଣିକ ଟିକେଟ ଦର୍ଶନ ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟ ପ୍ରଶାସକ କହିଛନ୍ତି ଏଥିପାଇଁ ବିଭିନ୍ନ ନିଯୋଗ ସହ ବିସ୍ତୃତ ଆଲୋଚନା ପରେ ବ୍ୟବସ୍ଥା ଲାଗୁ ହେବ ।

ତେବେ ପୁଣି ପରିମାଣିକ ଟିକେଟ୍ ଦର୍ଶନ ବ୍ୟବସ୍ଥା ଲାଗୁ ହେବା ନାଁ ଶୁଣି ଚିହିଁକିଲେଣି ଭକ୍ତ । ଶ୍ରୀମନ୍ଦିର ପାଇଁ ଆର୍ଥ ଆଦାୟ ଆଳରେ, ଗରିବ ଓ ସାଧାରଣ ଭକ୍ତଙ୍କ ଭାବାବେଗକୁ ଜଳାଞ୍ଜଳି ଦିଆନଯାଉ ବୋଲି ରୋକଠୋକ୍ କହିଲେଣି । ଯେହେତୁ ଶ୍ରୀମନ୍ଦିର ସତ୍ତ୍ୱଲିପିରେ ସାହାଣମେଲା ଦର୍ଶନ ବ୍ୟବସ୍ଥା କଥା ଉଲ୍ଲେଖ ଅଛି, ତେଣୁ ଭକ୍ତମାନଙ୍କୁ ପୂର୍ବଭଳି ଗର୍ଭଗୃହକୁ ଛଡାଯିବା ସହ ରତ୍ନବେଦୀ ଚାରିପାଖେ ବୁଲିବାକୁ ଅନୁମତି ଦେବାକୁ ଦାବି ଉଠିଲାଣି ।

ତା’ସହ ବାହାରକାଠ ପାଖରୁ ଭକ୍ତମାନେ ଚତୁର୍ଦ୍ଧା ବିଗ୍ରହଙ୍କୁ ଠିକ୍ ଭାବେ ଦେଖିପାରୁ ନଥିବାରୁ ସମସ୍ତେ ଗର୍ଭଗୃହକୁ ଯାଇ ଦର୍ଶନ ଆତୁର ହେଉଛନ୍ତି । ସେପଟେ ଯେଉଁ ସ୍ୱଳ୍ପ ସମୟ ପାଇଁ ଭିତରକାଠ ପାଖକୁ ସାହାଣମେଲା ଦର୍ଶନ ପାଇଁ ଛଡ଼ା ଯାଉଛି, ସେ ନେଇ ସୂଚନା ବି ଠିକରେ ଦିଆଯାଉନଥିବାରୁ ବଢୁଛି ଅସନ୍ତୋଷ । ତେଣୁ ଏଭଳି ସ୍ଥିତିରେ ପରିମାଣିକ ଟିକେଟ ଦର୍ଶନ ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜଗନ୍ନାଥ ପ୍ରେମୀ ।

ପୂର୍ବରୁ ଶ୍ରୀମନ୍ଦିରରେ ନିର୍ଦ୍ଦିଷ୍ଟ ସମୟରେ ଦିନକୁ ୫ ଥର ପରିମାଣିକ ଦର୍ଶନ ସହ ୬ ଥର ସାହାଣମେଲା ଦର୍ଶନ ଚାଲୁଥିଲା । ହେଲେ କେତେକ କାରଣରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୬ ଜାନୁଆରୀ ୨୭ରୁ ପରିମାଣିକ ଟିକେଟ୍ ଦର୍ଶନ ବନ୍ଦ ରହିଛି । ହେଲେ ଏବେ ମନ୍ଦିର ଆୟ ବୃଦ୍ଧି ପାଇଁ ପୁଣି ସାହାଣମେଲା ଦର୍ଶନ ଆରମ୍ଭ ନେଇ ପ୍ରଶାସନର ନିଷ୍ପତ୍ତିକୁ କେହି କେହି ସେବାୟତ ସ୍ୱାଗତ କରିଥିବାବେଳେ ଆଉ କିଏ ସାଧାରଣ ଭକ୍ତଙ୍କ ପ୍ରତି ଅବିଚାର ଓ ଭିଆଇପି ଭକ୍ତଙ୍କୁ ସ୍ୱାଗତ ବୋଲି କହିଛନ୍ତି ।

ତେଣେ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ମତରେ ଦିନକୁ ଅତିବେଶୀରେ ୫ଶହରୁ ହଜାରେ ଭିତରେ ପରିମାଣିକ ଟିକେଟ୍ ଅନଲାଇନରେ ବିକ୍ରି କରାଯାଉ, ଯାଦ୍ୱାରା ସ୍ୱଚ୍ଛତା ମଧ୍ୟ ରହିବ । ଏବେ ଅପେକ୍ଷା ଜଗା ଦର୍ଶନ ପାଇଁ ଭିଡ଼ ବଢୁଥିବାବେଳେ ପରିମାଣିକ ଟିକେଟ୍ ଦର୍ଶନ ବ୍ୟବସ୍ଥାକୁ ନେଇ କି ନିଷ୍ପତ୍ତି ନେଉଛି ଶ୍ରୀମନ୍ଦିର ପ୍ରଶାସନ ।

  • Reported by:
  • MADHUSUDAN MISHRA