• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବା ପାଇଁ ରାଜ୍ୟର ଗାଡ଼ି ମାଲିକଙ୍କୁ ମିଳିଲା ଆଉ ୩ ମାସ ମହଲତ । ଭିତ୍ତିଭୂମି ଅଭାବରୁ ଏହି ଡେଡଲାଇନକୁ ବଢ଼ାଇଛି ପରିବହନ ବିଭାଗ । କିନ୍ତୁ ଏଯାଏଁ କେଉଁ ମାନର ଓ କେଉଁ କମ୍ପାନୀର ଟ୍ରାକିଂ ଡିଭାଇସ୍ ଲାଗିବ, ତାହା ସ୍ପଷ୍ଟ ହୋଇନଥିବାରୁ ଦ୍ୱନ୍ଦ୍ୱରେ ଗାଡ଼ି ମାଲିକ । ବିଶେଷଜ୍ଞଙ୍କ ମତ, ରାଜ୍ୟ ସରକାର କୌଣସି ବିଜ୍ଞପ୍ତି ଜାରି କରିବା ପୂର୍ବରୁ ପ୍ରଥମେ ଭିତ୍ତିଭୂମି ସଜାଡ଼ିବା ଉଚିତ ।

ଆଉ ୩ ମାସ ବଢ଼ିଲା ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ବାଧ୍ୟତାମୂଳକ ଅବଧି । ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବା ପାଇଁ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର ।

ପୂର୍ବରୁ ୨୦୨୩ ଜାନୁୟାରୀରୁ ନୂଆ ଗାଡ଼ି ପାଇଁ ବାଧ୍ୟତାମୂଳକ ଥିଲା, ଏଥର ଆସନ୍ତା ଏପ୍ରିଲ ପହିଲାରୁ ପଞ୍ଜିକରଣ ହେବାକୁ ଥିବା ସବୁ ନୂଆ ଯାନବାହନ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବା ବାଧ୍ୟତାମୂଳକ । ପୁରୁଣା ଯାନବାହନଗୁଡ଼ିକ ୨୦୨୩ ଜୁନ୍ ୩୦ ସୁଦ୍ଧା ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବେ ।

ନିକଟରେ ଏକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ପୁରୁଣା ଯାନବାହନରେ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବାକୁ ପୂର୍ବରୁ ବିଜ୍ଞପ୍ତି ଜାରି କରିଥିଲେ ରାଜ୍ୟ ସରକାର । ପରିବହନ ବିଭାଗ ସେପ୍ଟେମ୍ବର ମାସରେ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଦୁଇ ଚକିଆ ଓ ତିନି ଚକିଆକୁ ଛାଡ଼ି ଅନ୍ୟ ସମସ୍ତ ପ୍ରକାର ଯାତ୍ରୀ ଓ ମାଲ ପରିବହନ କରୁଥିବା ଗାଡ଼ିରେ ଲାଗିବ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ।

ତେବେ ବିଶେଷଜ୍ଞଙ୍କ ମତ, ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭିତ୍ତିଭୂମି କଥା ଭୁଲିଯାଉଛନ୍ତି। ତେଣୁ ବାରମ୍ବାର ନିଜ ନିର୍ଦ୍ଦେଶକୁ ବଦଳାଉଛନ୍ତି । ଏବେ ଆସନ୍ତୁ ଜାଣିବା କ’ଣ ଏହି ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ? ଏହାଦ୍ୱାରା କି ଫାଇଦା ମିଳିବ ? କାହିଁକି ଏହି ଡିଭାଇସକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।

ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ କହିବା କଥା, ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଜିପିଏସ୍ ଦ୍ୱାରା ପରିଚାଳିତ । ଏହି ଡିଭାଇସ୍ ଗାଡ଼ିରେ ଲଗାଯିବା ଦ୍ୱାରା ଗାଡ଼ିର ଗତିବିଧି ସମ୍ପର୍କରେ ଗାଡ଼ି ମାଲିକ ଜାଣିପାରିବେ । ସେହିପରି ଗାଡ଼ିରେ ଯାତାୟାତ କରୁଥିବା ଯାତ୍ରୀ କୌଣସି ସଙ୍କଟବେଳେ ପାନିକ୍ ବଟନ୍‌କୁ ଦବାଇ ପାରିବେ ଏବଂ ସ୍ଥାନୀୟ ପୁଲିସ୍ ଷ୍ଟେସନ୍, ଆରଟିଓ କିମ୍ବା ନିଜ ସମ୍ପର୍କୀୟଙ୍କୁ ଆଲର୍ଟ କରାଇପାରିବେ ।

ଫଳରେ ଯାତ୍ରୀଙ୍କୁ ତ୍ୱରିତ ସୁରକ୍ଷା ଯୋଗାଇ ଦିଆଯାଇପାରିବ ଏବଂ ଗାଡ଼ିରେ ଯାତାୟାତ ଅଧିକ ସୁରକ୍ଷିତ ହୋଇପାରିବ । ଏବେ ବଜାରରେ ବିଭିନ୍ନ କମ୍ପାନିର ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଉପଲବ୍ଧ । ଯାହାର ମୂଲ୍ୟ ୩ ହଜାର ଟଙ୍କାରୁ ଆରମ୍ଭ । ତେବେ ରାଜ୍ୟର ଯାନବାହନ ଗୁଡ଼ିକରେ କେଉଁ କମ୍ପାନୀ, କେଉଁ ମାନର ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲାଗିବ, ସେନେଇ ଏଯାଏଁ ପରିବହନ ବିଭାଗ କୌଣସି ସ୍ପଷ୍ଟତା ଆଣିନି ।