• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୌମ୍ୟ ଆଉ ସଚିବ ଶାସନ। ପୁଣିଥରେ ଅମଲା ଉପରେ ବର୍ଷିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ କଟକଣାର ଅଭିଯୋଗ ଆଣି ଶାଣିତ ଆକ୍ରମଣ କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟଙ୍କ ମତକୁ ବିରୋଧୀ ଦଳ ନେତା ନିରାଟ ସତ୍ୟ କହିଥିବା ବେଳେ ଶାସକ ଦଳ କହିଛି ଦଳରେ ଆମେ ଫ୍ରି ହ୍ୟାଣ୍ଡରେ କାମ କରୁଛୁ । ପୁଣି ଥରେ ସରକାରଙ୍କ ପୋଲ୍ ଖୋଲିଲେ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଖୋଲା ମଞ୍ଚରେ ରଖିଲେ ବିସ୍ଫୋରକ ବୟାନ ।

ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ । ସୌମ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ସମ୍ଭବ ହେଉନି । ମନ୍ତ୍ରିମଣ୍ଡଳର ସଭ୍ୟ ବଡ଼, କି ସଚିବ ବଡ ସେନେଇ ସାଧାରଣ ଜନତା ଓ ଭୋଟର ସନ୍ଦେହରେ ପଡୁଛନ୍ତି । କଟକରେ ଥିବା ଦି ଲ କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ଏମିତି ଶାଣିତ ଭାବେ ସରକାରଙ୍କୁ ନିଶାନା କରିଛନ୍ତି ସୌମ୍ୟ ।

ଏହା ସହ ବିଧାୟକମାନେ ଦଳରେ ଥିବାରୁ ତୁଣ୍ଡ ଖୋଲିଲେ ଦଳରୁ ବହିଷ୍କାର ହେବାର ଡର ରହିଛି । ଏଭଳି ସ୍ଥିତିରେ ସମ୍ବିଧାନ କିପରି ସୁରକ୍ଷିତ ହେବ ବୋଲି ପ୍ରଶ୍ନ କରିଛନ୍ତି । ତେବେ ପ୍ରଥମ ଥର ଲାଗି ସୌମ୍ୟ ଏଭଳି କହିନାହାଁନ୍ତି । ପୂର୍ବରୁ ଅନେକ ଥର ବିଭିନ୍ନ ସଭାସ୍ଥଳରେ ଏଭଳି ଭାଷଣ ଦେଇ ନିଜ ଦଳ ଓ ସରକାରକୁ ଅଡୁଆରେ ପକାଇଛନ୍ତି ।

ନବ ଦାସଙ୍କ ହତ୍ୟାକାଣ୍ଡ ପରେ ପିଏସ୍ଓଙ୍କୁ ନେଇ ମତ ରଖି ସରକାରଙ୍କୁ ଅକଳରେ ପକାଇଥିଲେ । ଖାଲି ସେତିକି ନୁହେଁ ପୂର୍ବରୁ ନିଜ ସମ୍ପାଦକୀୟ ଲେଖାରେ ମଧ୍ୟ ଅମଲା ଶାସନ ଉପରେ ବର୍ଷିଛନ୍ତି ସୌମ୍ୟ ।

କେବଳ ସୌମ୍ୟ ନୁହଁନ୍ତି ବିଜେଡିର ପୂର୍ବତନ ବରି ବିଧାୟକ ଦେବାଶିଷ ନାୟକ ବି କିଛି ଦିନ ତଳେ ଏବେର ମୁଖ୍ୟମନ୍ତ୍ରୀ ଓ ୧୯୯୭ର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନେକ ଫରକ ଥିବା କହି ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଥିଲେ । ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିବା ସହ ବିଜେଡିରେ ଯେ ଏବେ ସବୁ କିଛି ଠିକ୍ ନାହିଁ ତା ସାମନାକୁ ଆସିଲାଣି ।

ଆଉ ଏହି ଚର୍ଚ୍ଚାକୁ ଅଧିକ ଇନ୍ଧନ ଯୋଗାଇଛି ବିରୋଧୀ ଦଳ ନେତାଙ୍କ ବୟାନ । ଜୟନାରାୟଣ କହିଛନ୍ତି ବିଧାନସଭା ଲବି ଠାରୁ ଆରମ୍ଭ କରି ବାହାର ଯାଏ ସବୁଠି ଶାସକ ଦଳର ବିଧାୟକମାନେ ଅସନ୍ତୋଷ ଝାଡୁଛନ୍ତି । କେବଳ ଭିଜିଲାନ୍ସ ଓ ପୋଲିସ୍ ଭୟରେ ଚୁପ୍ ବସିଛନ୍ତି । ବିଜେଡି କହିଛି ଏହା ସୌମ୍ୟଙ୍କର ନିଜସ୍ୱ ମତ, ଆମେ ଫ୍ରି ହ୍ୟାଣ୍ଡରେ କାମ କରୁଛୁ ।

ରାଜନୈତିକ ସମୀକ୍ଷକଙ୍କ ମତ ହେଲା ସୌମ୍ୟଙ୍କ ମତ ସମ୍ପୂର୍ଣ୍ଣ ସତ କିନ୍ତୁ ଏହାକୁ ସୁଧାରିବା ଦାୟିତ୍ୱ ବି ଜନ ପ୍ରତିନିଧିଙ୍କର । ଅପ୍ରିୟ ଓ ଦଳ ବିରୋଧୀ କଥା କହି ସବୁବେଳେ ଚର୍ଚ୍ଚାକୁ ଆସୁଛନ୍ତି ସୌମ୍ୟ ପଟ୍ଟନାୟକ । ତେବେ ନିର୍ବାଚନ ପାଖଉଥିବାବେଳେ ସୌମ୍ୟଙ୍କ ଏହି ଶାଣିତ ଆକ୍ରମଣ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବନି ତ, ତାକୁ ନେଇ ପ୍ରଶ୍ନ ?