/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746089683.jpg)
Jagannath Temple
ପଶ୍ଚିମବଙ୍ଗ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ତେଜିଲା ବିବାଦ। ଦୀଘାରେ ପଶ୍ଚିମବଙ୍ଗ ସରକାର ପ୍ରତିଷ୍ଠା କରିଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କୁହାଯିବା ଏବଂ ପୁରୀରୁ କିଛି ଦଇତାପତି ସେବାୟତ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ସେହିପରି ପଥର ନିର୍ମିତ ବିଗ୍ରହରେ ବ୍ରହ୍ମ ପ୍ରତିଷ୍ଠା କରାଯାଇଥିବା ଚର୍ଚ୍ଚା ହେଉଛି, ଯାହା ବିଧି ସମ୍ମତ ନୁହଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର।
ଦୀଘାରେ ନୂଆ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବେଳେ ପଥରମୂର୍ତ୍ତିରେ ବ୍ରହ୍ମ ସ୍ଥାପନକୁ ନେଇ ବର୍ଷିଛନ୍ତି ପୁରୀର ବହୁ ବରିଷ୍ଠ ସେବାୟତ । ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି । ବ୍ରହ୍ମ କେବଳ ଶ୍ରୀମନ୍ଦିରରେ ଅଛି । ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ନାହିଁ । ଯେଉଁ ଦଇତାପତି ସେବାୟତମାନେ ପୁରୀରୁ ଦୀଘା ମନ୍ଦିର ପ୍ରତିଷ୍ଠା କରିବାକୁ ଯାଇଛନ୍ତି, ସେମାନେ ଯଜମାନ ହିସାବରେ ଯାଇଥାଇପାରନ୍ତି ବୋଲି ସେ କହିଛନ୍ତି । ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ପ୍ରାୟ ୨୦୦ ଦଇତାପତି ପୁରୀରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ / ୮ ଜଣ ଯାଇଛନ୍ତି ।
ବରିଷ୍ଠ ସେବାୟତ ମାଧବ ମହାପାତ୍ର କହିଛନ୍ତି, ଓଡ଼ିଶାର ଗର୍ବ ଓ ଗୌରବକୁ ଛଡାଇ ନିଆଯିବାର ଅପଚେଷ୍ଟା ହୋଇଥିବା ସେ କହିଛନ୍ତି । ରସଗୋଲା ପରେ ଜଗନ୍ନାଥ ଧାମକୁ ନିଜର କହିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅପଚେଷ୍ଟା କରିଛନ୍ତି । ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି । ଯେଉଁମାନେ ଦୀଘା ଯାଇଛନ୍ତି, ସେମାନଙ୍କର ପୂଜା କରିବାର ଅଧିକାର ନଥିବା ସେ କହିଛନ୍ତି । ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ ମଧ୍ୟ ଦୀଘା ମନ୍ଦିରକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଅନ୍ୟ ମନ୍ଦିରରେ କେବଳ ତୁଳସୀ ଚନ୍ଦନରେ ପୂଜା କରାଯାଉଛି । ବ୍ରହ୍ମ କେଉଁଠି ପରିବର୍ତ୍ତନ ହୁଅନ୍ତିନି । ସବୁଠି ଜଗନ୍ନାଥ ମନ୍ଦିରରେ କାଠରେ ଚତୁର୍ଦ୍ଧା ବିଗ୍ରହ ପୂଜା ପାଉଛନ୍ତି । ଏହା ହେଉଛି ବିଧି ।
ଅଧିକ ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାଲି; ପୁଷ୍ପାଳକ ଓ ସୁଆର ନିଯୋଗର ବୟକଟ୍, ମାନିଲେନି ଦଇତାପତି
ଜଗନ୍ନାଥ ସଂସ୍କୃତି ବିଶାରଦ ପ୍ରଫୁଲ୍ଲ ରଥ କହିଛନ୍ତି, ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୈତିକ ଚାଲ୍ । ପଥର ମୂର୍ତ୍ତି ଆଦୌ ହୋଇପାରିବ ନାହିଁ । ଯିଏ ମନ୍ଦିର ପ୍ରତିଷ୍ଠା କରିଛନ୍ତି, ତାଙ୍କର ମନ୍ଦିର ପ୍ରତିଷ୍ଠା ପାଇଁ ଯୋଗ୍ୟତା ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସୁଆର ନିଯୋଗର ବରିଷ୍ଠ ସେବାୟତ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ବ୍ରହ୍ମ ପରିବର୍ତ୍ତନ ହୁଏ । କେବଳ ଶ୍ରୀକ୍ଷେତ୍ରରେ ହିଁ ବ୍ରହ୍ମ ଅଛି । ଦୀଘା ମନ୍ଦିରରେ ଅନେକ ଅସଙ୍ଗତି ଥିବାରୁ ସୁଆର ନିଯୋଗର କେହି ଯାଇନାହାନ୍ତି ବୋଲି କୁହାଯାଇଛି । ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଲିଭିଂ ଗଡ୍ । ଦୀଘା ଯାଇଥିବା ସେବକମାନେ ନିଜ ଗୋଡ଼ରେ ନିଜେ କୁରାଢୀ ମାରିଛନ୍ତି ବୋଲି ନିଯୋଗ ପକ୍ଷରୁ କୁହାଯାଇଛି ।
ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ଦୀଘା ମନ୍ଦିରରେ ପଥରମୂର୍ତ୍ତି ପ୍ରତିଷ୍ଠା କରାଯିବା ଠିକ୍ ନୁହେଁ । ବ୍ରହ୍ମ ସ୍ଥାପନ ମଧ୍ୟ ସେଠାରେ ହୋଇପାରିବନି । ଏହା ଘଟଣାରେ ହସ୍ତକ୍ଷେପ କରିବାକୁ ସୁଦର୍ଶନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିବା କହିଛନ୍ତି । ଗତ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟ ଘଟଣାର ରିପୋର୍ଟ ସାର୍ବଜନୀନ କରିବାକୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ପ୍ରାୟ ୨୦ ଏକର ଜାଗାରେ ଏବଂ ୨୫୦ କୋଟି ବ୍ୟୟରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମାଣ ହୋଇଥିବା ଏ ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ବୋଲି ନାଁ ଦେଇଛନ୍ତି। ସେପଟେ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ନଦେବା ଲାଗି ଶ୍ରୀମନ୍ଦିର ସୁଆର ଓ ପୁଷ୍ପାଳକ ନିଯୋଗ ପକ୍ଷରୁ ନୋଟିସ ଜାରି ହୋଇଥିଲା। ଏହା ଭିତରେ କିଛି ଦଇତାପତି ସେବାୟତ ଏପିରିକି ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସମେତ ଆଉ କିଛି ଦଇତାପତି ସେବାୟତ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ। ଯାହାକୁ ସେମାନଙ୍କ ବ୍ୟକ୍ତିଗତ କାର୍ଯ୍ୟ କହି ନାପସନ୍ଦ କରିଛନ୍ତି ଆଉ କିଛି ବରିଷ୍ଠ ଦଇତାପତି ସେବାୟତ। ସେହିଭଳି ଅନ୍ୟ କେତେକ ସେବାୟତ ମଧ୍ୟ ଏସବୁ ପ୍ରସଙ୍ଗକୁ ନେଇ ଘୋର ଆପତ୍ତି ଉଠାଇଛନ୍ତି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)