• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାହାରେ ହେବ ବାହ୍ୟ ରାସ୍ତା ବା ଆଉଟର ଆକ୍ସେସ୍ ରୋଡ୍ । ଏନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ ଉପଦେଷ୍ଠା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରକଳ୍ପ ପାଇଁ ବର୍ତ୍ତମାନ ଉପଲବ୍‌ଧ ହେଉଥିବା ଜମିର ଯାଞ୍ଚ୍ ପରେ ଏହି ବାହ୍ୟ ରାସ୍ତା ନିର୍ମାଣ କରାଯିବ ବୋଲି ଗତକାଲି ଅନୁଷ୍ଠିତ ସାଂସ୍କୃତିକ ଉପଦେଷ୍ଠା କମିଟି ବା ସିଏସି ନିଷ୍ପତ୍ତି ନେଇଛି ।

ସେହିଭଳି ଅବଶିଷ୍ଟ ଜମି ଅଧିଗ୍ରହଣ ପରେ ପ୍ରକଳ୍ପର ସଂପ୍ରସାରଣ କାର୍ଯ୍ୟ କରାଯାଇପାରେ । ଏପଟେ ASI ଡିଜିଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରକୁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ସ୍ଥାନାନ୍ତର ପ୍ରସ୍ତାବ ଉପରେ ରାଜି ହୋଇଛି ସିଏସି । ସେହିଭଳି ଶ୍ରୀମନ୍ଦିରର ଧାର୍ମିକ ମହତ୍ୱକୁ ନଜରରେ ରଖି ଓ ଦୂରରୁ ମୁଖ୍ୟ ମନ୍ଦିରର ଦୃଶ୍ୟମାନ ହେବାରେ ଯେଭଳି କିଛି ସମସ୍ୟା ନହେବ, ସେଥିପାଇଁ ସୁବିଧା କେନ୍ଦ୍ରଗୁଡ଼ିକୁ ପଛକୁ ପଛ କରି ସରଳ ଭାବେ ନିର୍ମାଣ କରାଯିବ ବୋଲି ସିଏସି ବୈଠକରେ ନିଷ୍ପତ୍ତି ହୋଇଛି ।

ଗତକାଲି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଏଥିରେ କମିଟିର ଅନ୍ୟତମ ସଦସ୍ୟ ଭାବେ ଝାଞ୍ଜପିଟା ମଠର ମହନ୍ତ ସଚ୍ଚିଦାନନ୍ଦ ଦାସ ମହାରାଜ, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି ପ୍ରମୁଖ ଯୋଗଦେଇଥିଲେ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।