• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ତାରିଖ । ଜୁନ୍ ୧୦ ତାରିଖରେ ହେବ ଭୋଟ୍ । ୨୪ ତାରିଖରେ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହେଉଛି ମେ’ ୩୧ । ଜୁନ୍ ୧ରେ ପ୍ରାଥିପତ୍ର ଯାଂଚ ଓ ଜୁନ୍ ୩ ପ୍ରଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ତେବେ ଜୁନ୍-ଅଗଷ୍ଟ ମାସରେ ଶେଷ ହେଉଥିବା ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ଖାଲିହେବ । ସେଥିମଧ୍ୟରୁ ଓଡିଶାରେ ୩ଟି ଆସନ ଖାଲି ହେବ ।  ସାସଂଦ ଏନ୍.ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ୨୦୧୬ ଜୁଲାଇ ମାସରେ ରାଜ୍ୟସଭା ଯାଇଥିଲେ ସାସଂଦ ଏନ୍.ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ବିଷ୍ଣୁ ଦାସ । ତେବେ ୨୦୧୭ ମାର୍ଚ୍ଚରେ ବିଷ୍ଣୁ ଦାସ ରାଜ୍ୟସଭା ପଦ ଛାଡିଥିଲେ । ଆଉ ତାଙ୍କ ସ୍ଥାନରେ ବିଜେଡିର ଟାଣୁଆ ନେତା ପ୍ରତାପ ଦେବଙ୍କୁ ରାଜ୍ୟସଭାକୁ ପଠାଇଥିଲେ ନବୀନ ।

ତେବେ ୨୦୧୯ ସାଧରାଣ ନିର୍ବାଚନରେ ପ୍ରତାପ ଦେବ ଆଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କ ସ୍ଥାନରେ ବିଜେଡି ମୁଖାପତ୍ର ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା । ବିଜେଡି ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଏବେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନକୁ ବିଜେଡି ଅକ୍ତିଆର କରିବ । ଯେଉଁଦିନ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ହେବ ସେଇଦିନ ହିଁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ । ତେଣୁ ପ୍ରାର୍ଥୀ ବାଛିବାକୁ ବେଶ୍ ସମୟ ମିଳିବ ନାହିଁ ।

ସେପଟେ କାହାକୁ ରାଜ୍ୟସଭାକୁ ପଠାଯିବ । କେଉଁ ମାପଦଣ୍ଡରେ ରାଜ୍ୟସଭା ପ୍ରାର୍ଥୀ ବଛାଯିବ । କେଉଁ ଅଚଂଳରୁ ରାଜ୍ୟସଭା ପ୍ରାର୍ଥୀ କରିବେ ନବୀନ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ରେସ୍‌ରେ ବି ଅନେକ ନାଁ ରହିଛି । ପଶ୍ଚିମଓଡିଶାରୁ କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂଓଦେଓ, ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଓଟିଡିସି ଅଧ୍ୟାକ୍ଷା ଶ୍ରମୟୀ ମିଶ୍ର, ରାସେଶ୍ୱରୀ ପାଣିଗ୍ରାହୀ, ଯୋଗେଶ ସିଂ, ନଳୀନି ପ୍ରଧାନ, ପ୍ରଭାସ ସିଂ ପ୍ରମୁଖ । ଅନ୍ୟପଟେ ପୁଣି ଥରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରିପିଟ୍ କରିବାର ସମ୍ଭାବନା ମଧ୍ୟ ରହିଛି ।

ସେପଟେ ଦକ୍ଷିଣ ଓଡିଶାରୁ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରବି ନନ୍ଦ ଓ କଂଗ୍ରେସରୁ ବିଜେଡି ଆସିଥିବା ପ୍ରଦୀପ ମାଝୀ ପ୍ରମୁଖ ତାଲିକାରେ ରହିଛନ୍ତି । ତେବେ ଉତ୍ତର ଓ ଉପକୂଳ ଓଡିଶାରୁ ବିଜେଡିର ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ବରିଷ୍ଠ ନେତା ମହେଶ୍ୱର ମହାନ୍ତି, ପ୍ରସନ୍ନ ପାଟଶାଣୀ, ମାନସ ମଙ୍ଗରଜ ପ୍ରମୁଖ ଚର୍ଚ୍ଚାରେ ରହିଛନ୍ତି । ତେବେ କିଛି ସରପ୍ରାଇଜ୍ କାର୍ଡ ବି ଖେଳିପାରନ୍ତି ନବୀନ । ସମାଜର ପ୍ରତିଷ୍ଠିତ ବ୍ୟକ୍ତି ଓ ମହିଳାଙ୍କ ମଧ୍ୟରୁ କାହାକୁ ବି ପ୍ରାର୍ଥୀ କରିପାରନ୍ତି ।

ଏନ୍.ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାପରେ କେବଳ ମୁନା ଖାଁକୁ ଛାଡିଦେଲେ ବିଜୁ ପଟ୍ଟନାୟକଙ୍କ ସମୟର ଆଉ କୌଣସି ନେତା ରାଜ୍ୟସଭାରେ ନାହାଁନ୍ତି । ତେବେ ପାଓ୍ୱାରଫୁଲ୍ ଗୋଷ୍ଠୀର ଲିଙ୍କରେ ଥିବା ନେତାଙ୍କ ମଧ୍ୟରୁ କାହାକୁ ରାଜ୍ୟସଭା ପଠାଯିବା ନେଇ ଚର୍ଚ୍ଚା ଯୋର ହେଉଛି ।