/odishatv-khabar/media/post_attachments/uploadimage/library/16_9/16_9_0/Lipulekh_1755943183.jpg)
Lipulekh
ଭାରତ ପାଇଁ ରଣନୈତିକ, ଧାର୍ମିକ ଏବଂ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଲିପୁଲେଖ ପାସ । ଏବେ ଏହି ଅଞ୍ଚଳ ଉପରେ ନେପାଳର ଦାବି ବାହ୍ୟ ପ୍ରଭାବ ଦ୍ୱାରା ପ୍ରଭାବିତ ହେଉଥିବା ପରି ମନେହୁଏ। ଏଥିରେ ଚୀନର ଭୂମିକା ବିବାଦକୁ ତ୍ରିପାକ୍ଷିକ କରୁଛି । କିନ୍ତୁ ସାମ୍ପ୍ରତିକ ଭାରତ-ଚୀନ୍ ବାଣିଜ୍ୟ ଚୁକ୍ତିନାମା ଦ୍ୱାରା ଭାରତର ସ୍ଥିତି ମଜବୁତ ରହିଛି ।
ଲିପୁଲେଖ ପାସ୍ . . . ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଉଚ୍ଚ ପର୍ବତମାଳା ସ୍ଥିତ ଏକ ଘାଟି। ଭାରତ, ଚୀନ୍ ଏବଂ ନେପାଳ ତିନୋଟି ଦେଶର ସୀମା ଏଠାରେ ମିଶିଥିବାରୁ, ଏହାକୁ ତ୍ରିକୋଣୀୟ ଜଙ୍କସନ କୁହାଯାଏ। ଭାରତୀୟ ସୀମାରେ ନେପାଳ ସଂଲଗ୍ନ ଅଞ୍ଚଳ ହେଉଛି ଲିପୁଲେଖ ପାସ । ଏଥିପାଇଁ ନେପାଳ ଏହାକୁ ଦୀର୍ଘ ସମୟ ଧରି ନିଜର ବୋଲି ଦାବି କରିଆସୁଛି । କେବଳ ଏତିକି ନୁହେଁ, ସୀମା ସଂଲଗ୍ନ ଭାରତର ମୋଟ ୩୭୨ ବର୍ଗ କିଲୋମିଟର ଅଞ୍ଚଳକୁ ନେପାଳ ନିଜର କହୁଛି । ପ୍ରାଚୀନ କାଳରୁ ବିଶେଷକରି କୈଳାସ ମାନସରୋବର ଯାତ୍ରା ଓ ଭାରତ ଏବଂ ତିବ୍ଦତ ମଧ୍ୟରେ ବ୍ୟବସାୟୀ, ତୀର୍ଥଯାତ୍ରୀ ଏବଂ ସାଧୁମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଲିପୁଲେଖ ପାସ୍ । ଏହା ରଣନୈତିକ, ଧାର୍ମିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଲିପୁଲେଖ ପାସକୁ ନେଇ ଏବେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି ।
ହେଲେ ଲିପୁଲେଖ ପାସ ଉପରେ ନେପାଳର ଦାବିକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛି ଭାରତ । ନେପାଳର ଦାବି ଗୁଡ଼ିକ ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ କିମ୍ବା ପ୍ରମାଣ ଉପରେ ନିର୍ଭର କରେ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଭାରତ ଏବଂ ଚୀନ୍ ଉତ୍ତରାଖଣ୍ଡର ଲିପୁଲେଖ ପାସ, ହିମାଚଳ ପ୍ରଦେଶର ସିପକି ଲା ଏବଂ ସିକିମର ନାଥୁଲା ଘାଟି ଦେଇ ସୀମା ବାଣିଜ୍ୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେବାପରେ ପୁରୁଣା ବିବାଦକୁ ନେଇ ପୁଣି ବୟାନବାଜି ଆରମ୍ଭ ହୋଇଛି । ଉଭୟ ଦେଶର ବାଣିଜ୍ୟିକ ବୁଝାମଣା ପଦକ୍ଷେପକୁ ବିରୋଧ କରିଛି ନେପାଳ । ଲିପୁଲେଖ, କଳାପାଣି ଏବଂ ଲିମ୍ପିଆଧୁରା ଆମ ଦେଶର ଅବିଚ୍ଛେଦ୍ୟ, ଏବଂ ଏହା ସମ୍ବିଧାନରେ ସାମିଲ ମାନଚିତ୍ରରେ ପୂର୍ବରୁ ଦର୍ଶାଯାଇଥିବା ଯୁକ୍ତି ବାଢ଼ିଛି ନେପାଳ ।
କେଉଁଠି ରହିଛି ଲିପୁଲେଖ ପାସ୍ ?
ଉତ୍ତରାଖଣ୍ଡ ଏବଂ ଚୀନର ତିବ୍ଦତ ସ୍ୱାୟତ୍ତ ଅଞ୍ଚଳର ସୀମାରେ ଥିବା ହିମାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଘାଟି ହେଉଛି ଲିପୁଲେଖ ପାସ୍, ଯାହା ଭାରତ, ନେପାଳ ଏବଂ ଚୀନର ତ୍ରିକୋଣୀୟ ଜଙ୍କସନ୍ ନିକଟରେ ଅବସ୍ଥିତ। ଏହି ଘାଟି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାକୁ ତିବ୍ଦତର ପୁରଙ୍ଗ (ତକଲାକୋଟ) ସହର ସହିତ ସଂଯୋଗ କରେ। ପ୍ରାଚୀନ କାଳରୁ ବ୍ୟବସାୟୀ, ତୀର୍ଥଯାତ୍ରୀ ଏବଂ ସାଧୁମାନେ କୈଳାସ ମାନସରୋବର ଯାତ୍ରା ପାଇଁ ଏହି ଘାଟିକୁ ବ୍ୟବହାର କରିଆସୁଛନ୍ତି।
ଭାରତ ଯୁକ୍ତି କରୁଛି,ଏହି ଅଞ୍ଚଳ ୧୮୩୦ ଦଶକରୁ ପ୍ରଶାସନିକ ଭାବରେ ଭାରତ ଅଧୀନରେ ରହିଛି। କାରଣ ୧୯୫୪ ମସିହାରୁ ଏହି ରାସ୍ତା ଦେଇ ଭାରତ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ହୋଇଆସୁଛି । ସେତେବେଳେ ଏହି ପାସକୁ ନେଇ ନେପାଳ କୌଣସି ଆପତ୍ତି ଉଠାଉନଥିବା ବେଳେ ଏବେ ନିଜର ଅଂଶ ବୋଲି ଦାବି କରିବା ପଛରେ ରାଜନୈତିକ ଚାଲ ଲୁଚି ରହିଥିବା ସନ୍ଦେହ କରାଯାଉଛି ।
ବିବାଦ କାହିଁକି ?
୧୮୧୬ ମସିହାର ସୁଗୌଲି ଚୁକ୍ତି ଆଧାରରେ ଲିପୁଲେଖକୁ ନିଜର ବୋଲି ଦାବି କରୁଛି ନେପାଳ । ଏହି ଚୁକ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ନେପାଳ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତି ଅନୁସାରେ ମହାକାଳୀ ନଦୀକୁ ଭାରତ-ନେପାଳ ସୀମା ଭାବରେ ନିର୍ଣ୍ଣୟ କରାଯାଇଥିଲା। ମହାକାଳୀ ନଦୀ ଲିମ୍ପିଆଧୁରାରୁ ଉତ୍ପନ୍ନ ହୋଇଛି, ତେଣୁ ଲିପୁଲେଖ, କଳାପାଣି ଏବଂ ଲିମ୍ପିଆଧୁରା ଆମ ଅଞ୍ଚଳ ବୋଲି ଦାବି କରୁଛି ନେପାଳ । ଅନ୍ୟପକ୍ଷରେ ଏହି ନଦୀ କଳାପାଣିର ଏକ ଗାଁ ନିକଟରେ ଉତ୍ପନ୍ନ ହୋଇଛି ଏବଂ ଏହି ଅଞ୍ଚଳ ବ୍ରିଟିଶ ସମୟରୁ ଭାରତୀୟ ନିୟନ୍ତ୍ରଣରେ ରହିଥିବା ଭାରତ ଦାବି କରିଛି । ୨୦୨୦ ମସିହାରେ ନେପାଳ ନିଜର ମାନଚିତ୍ର ସଂଶୋଧନ କରି ଏହି ଅଞ୍ଚଳଗୁଡ଼ିକୁ ନିଜ ଅଞ୍ଚଳରେ ଅନ୍ତର୍ଭୁକ୍ତ କରି ସମ୍ବିଧାନରେ ସାମିଲ କରିଥିଲା, ଯାହାକୁ ଭାରତ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ୧୯୫୪ ମସିହାରେ ଲିପୁଲେଖ ଦେଇ ଭାରତ ଏବଂ ଚୀନ୍ ବାଣିଜ୍ୟ ଆରମ୍ଭ କରିଥିଲେ, ଯାହା କୋଭିଡ୍ -୧୯ ମହାମାରୀ ଏବଂ ଲଦାଖରେ ସାମରିକ ଉତ୍ତେଜନା ଭଳି ସାମ୍ପ୍ରତିକ ଘଟଣାବଳୀ ଯୋଗୁଁ ବନ୍ଦ ହୋଇଯାଇଥିଲା।
ନିକଟରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତ କରିଥିଲେ । ଏହି ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରି ପୁଣି ବାଣିଜ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ୟପକ୍ଷରେ ନେପାଳ ଏହି ନିଷ୍ପତ୍ତିକୁ ବିରୋଧ କରି କହିଛି, ଏହା ଆମ ଦେଶର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରୁଛି । ଭାରତ ଏବଂ ଚୀନ୍ ଏହି ଅଞ୍ଚଳରେ ରାସ୍ତା ନିର୍ମାଣ କିମ୍ବା ବାଣିଜ୍ୟ ଭଳି କୌଣସି କାର୍ଯ୍ୟକଳାପ କରିବା ଉଚିତ୍ ନୁହେଁ।
ଭାରତର ପାଇଁ ଲିପୁଲେଖ କେତେ ଗୁରୁତ୍ୱପୂର୍ଣ୍ଣ ?
ଲିପୁଲେଖ ଭାରତ ପାଇଁ ରଣନୈତିକ, ଆର୍ଥିକ ଏବଂ ଧାର୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।
୧-ରଣନୈତିକ ମହତ୍ତ୍ୱ
ଭାରତ-ଚୀନ ସୀମାର ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ହେଉଛି ଲିପୁଲେଖ । ଏହି ପଥ ଭାରତକୁ ତିବ୍ଦତକୁ ପ୍ରବେଶ ଏବଂ ସୀମାରେ ସୈନ୍ୟ ନିୟୋଜନ ପାଇଁ ଏକ ରଣନୈତିକ ସୁବିଧା ପ୍ରଦାନ କରେ। ୨୦୨୦ ମସିହାରେ ଲିପୁଲେଖରୁ କୈଳାସ ମାନସରୋବର ପ ର୍ଯ୍ୟନ୍ତ ୮୦ କିଲୋମିଟର ରାସ୍ତା ନିର୍ମାଣ କରିଥିଲା ଭାରତ, ଯାହା ଯାତ୍ରା ସମୟକୁ ଏକ ସପ୍ତାହରୁ ଦୁଇ-ତିନି ଦିନକୁ ହ୍ରାସ କରିଥିଲା। ଏହି ରାସ୍ତା ପ୍ରତିରକ୍ଷା ବାହିନୀର ଶୀଘ୍ର ମୁତୟନ ଏବଂ ଯୋଗାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ଲଦାଖରେ ଚୀନ୍ ସହିତ ଉତ୍ତେଜନା ପରିପ୍ରେକ୍ଷୀରେ ରାସ୍ତାର ଗୁରୁତ୍ୱ ଅଧିକ ବଢ଼ିଯାଏ ।
୨-ଧାର୍ମିକ ମହତ୍ତ୍ୱ
କୈଳାଶ ମାନସରୋବର ଯାତ୍ରାର ମୁଖ୍ୟ ରାସ୍ତା ହେଉଛି ଲିପୁଲେଖ ପାସ । ଏହି ଅଞ୍ଚଳ ହିନ୍ଦୁ, ଜୈନ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ମଧ୍ୟ ପବିତ୍ର। ୨୦୨୪ ମସିହାରେ ଉତ୍ତରାଖଣ୍ଡ ରାଜ୍ୟ ସରକାର ଓଲ୍ଡ ଲିପୁଲେଖ ପାସ ବିକଶିତ କରିଥିଲେ, ଯେଉଁଠାରୁ କୈଳାସ ପର୍ବତ ଦୃଶ୍ୟମାନ ହୁଏ, ଯାହା ତୀର୍ଥଯାତ୍ରାକୁ ଅଧିକ ଆକର୍ଷଣୀୟ ଏବଂ ସହଜ କରିଥିଲା।
୩. ଆର୍ଥିକ ଗୁରୁତ୍ୱ
ଲିପୁଲେଖ ଭାରତ-ଚୀନ୍ ବାଣିଜ୍ୟର ଏକ ପାରମ୍ପରିକ ମାର୍ଗ । ୧୯୫୪ ମସିହାରେ ଆରମ୍ଭ ହୋଇଥିବା ଭାରତ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ୧୯୬୨ ଯୁଦ୍ଧ ପରେ ବନ୍ଦ ହୋଇଯାଇଥିଲା, କିନ୍ତୁ ୨୦୧୫ ମସିହାରେ ଉଭୟ ଦେଶ ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ରାଜି ହୋଇଥିଲେ। ୨୦୨୫ ମସିହାରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ଭାରତ ଗସ୍ତ ପରେ ଏହି ମାର୍ଗକୁ ପୁନଃ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ସୀମା ବାଣିଜ୍ୟକୁ ପ୍ରୋତ୍ସାହିତ କରିବ। ଏହା ଭାରତର ଆକ୍ଟ ଇଷ୍ଟ ନୀତିର ଏକ ଅଂଶ। ଏହି ବାଣିଜ୍ୟିକ ଚୁକ୍ତି ପରେ ନେପାଳ ପୁଣି ଥରେ ଲିପୁଲେଖକୁ ନେଇ ଆପତ୍ତି ଉଠାଇଛି । ଲିପୁଲେଖ ଉପରେ ଭିତ୍ତିହୀନ ଦାବି କରିଛି, କିନ୍ତୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି।
ନେପାଳର ଦାବି କାହିଁକି ଭିତ୍ତିହୀନ?
ନେପାଳର ଦାବି ଐତିହାସିକ ଏବଂ ଭୌଗୋଳିକ ଦୃଷ୍ଟିରୁ ଦୁର୍ବଳ। ୨୦୨୦ ମସିହାରେ ନେପାଳ କଳାପାଣି, ଲିପୁଲେଖ ଏବଂ ଲିମ୍ପିଆଧୁରାକୁ ନିଜର ଅଂଶ ଭାବରେ ଦର୍ଶାଇ ଏକ ନୂତନ ମାନଚିତ୍ର ଜାରି କରିଥିଲା, ଯାହାକୁ ସଂସଦ ଦ୍ୱାରା ଅନୁମୋଦିତ କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଏହି ତିନୋଟି ଅଞ୍ଚଳକୁ ମାନଚିତ୍ରରେ ନେପାଳର ଅଂଶ ଭାବରେ ଦର୍ଶାଯାଇ ନଥିଲା। ଏଥିରୁ ସ୍ପଷ୍ଟ ନେପାଳର ଦାବି ମିଥ୍ୟା ଏବଂ କପୋଳକଳ୍ପିତ।
ନେପାଳର ଏହି କାର୍ଯ୍ୟ ରାଜନୈତିକ ଅସ୍ଥିରତା ଏବଂ ବାହ୍ୟ ପ୍ରଭାବ, ବିଶେଷକରି ଚୀନର ପ୍ରୋତ୍ସାହନ ଦ୍ୱାରା ପ୍ରେରିତ ବୋଲି ବିଶ୍ୱାସ କରାଯାଏ। ୧୯୯୮ ମସିହାରୁ ଭାରତ-ନେପାଳ ମିଳିତ ବୈଷୟିକ କମିଟି ଏହି ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି, କିନ୍ତୁ ନେପାଳର ଏକପାଖିଆ କାର୍ଯ୍ୟ ସମାଧାନକୁ ଜଟିଳ କରିଛି।
ଚୀନର ସ୍ୱାର୍ଥ କ’ଣ?
ଚୀନର ବାଣିଜ୍ୟ ଏବଂ ରଣନୈତିକ ସ୍ୱାର୍ଥ ଲିପୁଲେଖ ଘାଟ ସହିତ ଜଡିତ। ଚୀନ୍ ବର୍ତ୍ତମାନ ଭାରତ ସହିତ ଲିପୁଲେଖ ଘାଟ ଦେଇ ବାଣିଜ୍ୟ ଆରମ୍ଭ କରିବାକୁ ରାଜି ହୋଇଛି। ଏହି ପଥ ଭାରତ ଏବଂ ଚୀନ୍ ମଧ୍ୟରେ ଦୂରତାକୁ ସହଜ କରିବ ଏବଂ ଏହାକୁ ହ୍ରାସ କରିବ। ଲିପୁଲେଖ ପ୍ରତି ଚୀନର ଆଗ୍ରହ ଭୂରାଜନୈତିକ, ରଣନୈତିକ ଏବଂ ଆର୍ଥିକ ଦୃଷ୍ଟିରୁ ଜଡିତ। ଏହି ଘାଟ ତିବ୍ଦତର ପୁରାଙ୍ଗ ବାଣିଜ୍ୟ କେନ୍ଦ୍ର ସହିତ ଜଡିତ।
୨୦୧୫ ମସିହାରେ ଭାରତ-ଚୀନ୍ ବାଣିଜ୍ୟ ଚୁକ୍ତିନାମାରେ ନେପାଳର ଆପତ୍ତିକୁ ଯଥାର୍ଥ ଦର୍ଶାଇଥିଲା ଚୀନ୍, ଯାହାକୁ ଭାରତ ବିରୋଧରେ ଚୀନର ରଣନୀତି ବୋଲି କୁହାଯାଇଥିଲା । ୨୦୨୦ ମସିହାରେ ଲଦାଖ ଉତ୍ତେଜନା ସମୟରେ ନେପାଳର ନୂତନ ମାନଚିତ୍ର ଜାରି କରିବା ପଛରେ ଚୀନର ହାତ ଥିବା ସନ୍ଦେହ କରାଯାଇଥିଲା । ଚୀନ୍ ନେପାଳକୁ ବ୍ୟବହାର କରି ଭାରତ ଉପରେ ଚାପ ପକାଇବାକୁ ଚାହୁଁଛି। ତଥାପି ବର୍ତ୍ତମାନର ଭାରତ-ଚୀନ୍ ବାଣିଜ୍ୟ ଚୁକ୍ତିନାମା ନେପାଳକୁ ବାଇପାସ୍ କରି ପୁଣି ଥରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ମଜବୁତ କରିଛି। ଏଥିରୁ ଚୀନ ଆର୍ଥିକ ରୂପରେ ଲାଭାନ୍ୱିତ ହେଉଥିଲେ ମଧ୍ୟ ଭାରତର ରଣନୈତିକ ସ୍ଥିତି ମଜବୁତ ହୋଇପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)