• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଟିଳ ହେବାରେ ଲାଗିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ । ଏଏସ୍ଆଇର ସତ୍ୟପାଠ ସତ୍ତ୍ୱେ ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳିବାରୁ ଶେଷରେ ସୁପ୍ରିମକୋର୍ଟ ଯିବ ମାମଲା । ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇବା ସହ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ କାମ ବନ୍ଦ ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେଇଛି । ତାସହ ସାଧୁସନ୍ଥକୁ ଡାକି ବିରୋଧ ପ୍ରଦର୍ଶନ କରିବାକୁ ଚେତାଇ ଦେଇଛି ସଂଗଠନ । ଏଭଳି ସ୍ଥିତିରେ ସାଂସଦ ଅପରାଜିତା ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିର୍ମାଣାଧିନ ପ୍ରକଳ୍ପ ବିରୋଧରେ ସ୍ୱର ଉଠାଉ ଥିବାବେଳେ ଖୋଦ୍ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବାରମ୍ବାର ମତ ପରିବର୍ତ୍ତନରୁ ଦେଖାଦେଇଛି ଦ୍ୱନ୍ଦ୍ୱ । ତେବେ କାହିଁକି ଘଡ଼ି କେ ଘଡ଼ି ବଦଳୁଛି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ମତ ? କାହା ଚାପରେ ନା ଅନ୍ୟ କିଛି ରହିଛି କାରଣ ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି ।

ଖୋଳା ଯାଉଛି ବିରାଟ ବିରାଟ ଗାତ । ମୁଣ୍ଡ ଟେକୁଛି ବିରାଟକାୟ ପିଲାର । କେଉଁଠି ୩୦ରୁ ୩୫ ଫୁଟ୍ ଗାତ ତ ଆଉ କେଉଁଠି ଫିଲିଂ କରାଯାଇଛି ବାଲି । ଶ୍ରୀମନ୍ଦିର ଆଗରେ ପରିକ୍ରମା ପ୍ରକଳ୍ପର ନିର୍ମାଣଧୀନ କାର୍ଯ୍ୟସ୍ଥଳକୁ ଦେଖିଲେ ଯେକୌଣସି ବ୍ୟକ୍ତିଙ୍କ ମନରେ ବି ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବ । ହାଇକୋର୍ଟରେ ମଧ୍ୟ ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠ ଓ ଅନୁଧ୍ୟାନ ରିପୋର୍ଟରେ ବି ନିର୍ମାଣ କାମକୁ ନେଇ ଅନୁମତି ନଥିବା, ଡିଜାଇନକୁ ବାରମ୍ବାର ବଦଳାଇବା ଓ ଐତିହ୍ୟ କୀର୍ତ୍ତିରାଜ ନଷ୍ଟକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ଏଭଳି ସ୍ଥିତିରେ ବିଜେପିର ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଆଭିମୁଖ୍ୟକୁ ନେଇ ଛିଡ଼ା ହୋଇଛି ନାନା ପ୍ରଶ୍ନ ।

ଗତ ତିନି ଦିନରେ ବାରମ୍ବାର ସଫେଇ ଦେଇ ପ୍ରକଳ୍ପ ନିର୍ମାଣକୁ ବେଆଇନ୍ ବୋଲି କହୁଥିବା ଜୟନ୍ତ, ପରିକ୍ରମା ପ୍ରକଳ୍ପ କାମ ଶୀଘ୍ର ସାରିବା ସପକ୍ଷରେ ମତ ରଖୁଛନ୍ତି । ଗୋଟିଏ ପଟେ ନିଜ ଦଳରୁ ଦୁଇ ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଓ ସମ୍ବିତ ପାତ୍ର ଏହି କାମକୁ ବେଆଇନ୍ ବୋଲି କହିବା ସହ ରାଜ୍ୟ ସରକାର ଉପରେ ବର୍ଷୁଛନ୍ତି । ସେପଟେ କିନ୍ତୁ ପ୍ରେସ୍‌ମିଟ୍ କରି ପୁଣି ଥରେ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ‘ବିକାଶକୁ ବିରୋଧ କରୁନି, କାମ କିନ୍ତୁ ଶୀଘ୍ର ସାରିବା ଉଚିତ୍ ।’

ଯଦି ପ୍ରକଳ୍ପ ନିର୍ମାଣ ବେଆଇନ, ତାହେଲେ କାହିଁକି ଜୟନ୍ତ ତୁରନ୍ତ ନିର୍ମାଣ କାମ ସାରିବାକୁ ଯୁକ୍ତି ବାଢୁଛନ୍ତି ? ପ୍ରକଳ୍ପ ପାଇଁ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏତେ ବ୍ୟଗ୍ର କାହିଁକି ? ଗତ ପ୍ରାୟ ୩ ଦିନ ହେଲା, କୌଣସି ଚାପର ବଶବର୍ତ୍ତୀ ହୋଇ ସ୍ୱର ବଦଳାଉନାହାଁନ୍ତି ତ ପୁରୀ ବିଧାୟକ ? ଏଭଳି ଦୋମୁହାଁ ବୟାନ ପଛର ରହସ୍ୟ କଣ ? ତାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ତେଣେ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟଙ୍କ ପକ୍ଷରୁ କୌଣସି ରହିତାଦେଶ ନମିଳିବାରୁ ସୁପ୍ରିମକୋର୍ଟରେ ଲଢ଼େଇ ପାଇଁ ସଜବାଜ ହେଉଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ସଂଗଠନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କୁହାଯାଉଛି ଯେ, ବାଲି ଗଦା ଉପରେ ଶ୍ରୀମନ୍ଦିର ନିର୍ମିତ ହୋଇଛି । ତେଣୁ ମନ୍ଦିର ଚତୁଃପାର୍ଶ୍ୱରେ ଖନନ ହେଲେ ଶ୍ରୀମନ୍ଦିର ପ୍ରତି ବିପଦ ଆଣିବ । ସରକାର ଖନନ ବନ୍ଦ ନକଲେ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ଏବଂ ସାଧୁସନ୍ଥକୁ ଡାକି ବିରୋଧ ପ୍ରଦର୍ଶନ କରାଯିବ । ଆବଶ୍ୟକସ୍ଥଳେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରହିତାଦେଶ ପାଇଁ ନିବେଦନ କରାଯିବ ବୋଲି ଚେତାଇ ଦେଇଛି ସଂଗଠନ । ତେବେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ଏଭଳି ଆଭିମୁଖ୍ୟ ନେଇ ରାଜ୍ୟ ସରକାର କିମ୍ବା ପୁରୀ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।