• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଆସନ୍ତାବର୍ଷ ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଲୋକାର୍ପଣ ହୋଇପାରେ । ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଖୋଦ୍ ଗଜପତି ମହାରାଜା ସୂଚନା ଦେବା ପରେ ବଢିଛି  ଉତ୍କଣ୍ଠା।  ଗଜପତି ମହାରାଜା ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଶ୍ରୀସେତୁ ଓ ଜଗନ୍ନାଥ ବଲ୍ଳଭ ପାର୍କିଂ ସ୍ଥଳ ଅନୁଧ୍ୟାନ କରିଛନ୍ତି । ତେବେ ସବୁଠି ଅଧପନ୍ତରିଆ କାମ ଦେଖିଛନ୍ତି ଓ ଶୀଘ୍ର କାମ ସରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ବେଳରେ ହଠାତ୍ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପ୍ରସ୍ତୁତିକୁ ନେଇ ତେଜିଛି ରାଜନୀତି।

ଜାନୁଆରୀ ୧୭, ଶୁଭ ଦିନ ସେ ଦିନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ । ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ ଖୋଦ୍ ଗଜପତି ମହାରାଜା ଏ ସୂଚନା ଦେଇଛନ୍ତି । ତାସହ କହିଛନ୍ତି, ଆଗେ ପ୍ରତିଷ୍ଠା ପୂଜା, ତାପରେ ଭବ୍ୟ ଲୋକାର୍ପଣ ଉତ୍ସବ କରାଯିବ। ଯଦି ୧୭ ତାରିଖକୁ ଦିନ ଧାର୍ଯ୍ୟ ହୁଏ ତାହେଲେ ଜାନୁଆରୀ ୧୨ରୁ ଆରମ୍ଭ ହୋଇଯିବ ହୋମଯଜ୍ଞ। ୧୭ରେ ପୂର୍ଣ୍ଣାହୂତି ଦିନ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ। 

ଗଜପତି ମହାରାଜା କେତେବେଳେ ବ୍ୟାଟେରି ଗାଡ଼ି, ତ କେତେବେଳେ ନିଜେ ଚାଲି ଚାଲି ଯାଇ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପ କାମ ବୁଲି ଦେଖିଥିଲେ । ଗଜପତି ମହାରାଜାଙ୍କ ସାଙ୍ଗରେ ଥିଲେ ନିର୍ମାଣକାରୀ ସଂସ୍ଥା, ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ । ଏଥିସହ ଜଗନ୍ନାଥ ବଲ୍ଳଭ ବହୁତଳ ପାର୍କିଂ ଓ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ବି ତଦାରଖ କରିଥିଲେ। କିନ୍ତୁ ସବୁଠି କାମ ଅଧପନ୍ତରିଆ ଅନୁଭବ କରିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଜପତି ମହାରାଜା ।

ତେବେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମର କିଭଳି ହେବ ରୂପରେଖ ? ସେ ନେଇ ଆସନ୍ତାକାଲି ମ୍ୟାନେଜିଂ କମିଟି ବୈଠକରେ ସବିଶେଷ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ। ଯଦି ଗଜପତି ମହାରାଜାଙ୍କ ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ମୋହର ବାଜେ, ତାହେଲେ ଜାନୁଆରୀ ୧୭ରେ ହିଁ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ତେବେ ପ୍ରଶ୍ନ କାମ ତ ସମ୍ପୂର୍ଣ୍ଣ ହୋଇନି, ହେଲେ ଲୋକାର୍ପଣ ପାଇଁ ରାଜ୍ୟ ସରକାର ଏତେ ତର ତର କାହିଁକି ?

ଯେହେତୁ ତାର ୫ଦିନ ପରେ ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ଉଦଘାଟନ ଉତ୍ସବ ଏବଂ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାମ ଲାଲାଙ୍କୁ ସ୍ଥାପନ କାର୍ଯ୍ୟକ୍ରମ ରହିଛି,ତେଣୁ ସାରା ଦେଶର ନଜର ଅଯୋଧ୍ୟା ଉପରେ ରହିବ। କାଳେ ବିଜେପି ରାମ ମନ୍ଦିର ଶ୍ରେୟ ନେଇଯିବ ସେଥିପାଇଁ ତରବର ହୋଇ ବିଜେଡି ସରକାର ଲୋକାର୍ପଣ ଉତ୍ସବ ସେଇ ବେଳରେ କରୁଥିବା ଆକ୍ଷେପ କରିଛି ବିଜେପି । ତାସହ କହିଛି ପ୍ରତିଯୋଗିତା ଓ କାର୍ବନ କପିରେ ନବୀନଙ୍କ ତୁଳନା ନାହିଁ। ତେଣେ କଂଗ୍ରେସ ବିଜେପି ଓ ବିଜେଡିକୁ ଟାର୍ଗେଟ କରି କହିଛି ବିକାଶର ମୁଦ୍ଦା ଛାଡି ଏବେ ଦୁଇ ଦଳ ଧର୍ମ ରାଜନୀତି କରୁଛନ୍ତି । ଯାହାର ଜବାବ ରଖିଛି ବିଜେଡି।

  • Reported by:
  • PRADEEP MAHANTY , MADHUSUDAN MISHRA , SOUMYA RANJAN SAHOO

OTV is now on Whatsapp

Join and get latest news update delivered to you via whatsapp

Join Now