/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720278889.jpg)
O-Hub controversy
ବିଜେଡି ସରକାରରେ ଅଣଦେଖାର ଶିକାର ହେଉଥିଲେ କି ଯୁବ ଓଡ଼ିଆ ଉଦ୍ୟୋଗୀ ? ଓଡ଼ିଆ ଷ୍ଟାର୍ଟଅପଙ୍କୁ ପ୍ରୋତ୍ସାହନ ବଦଳରେ ଅଣ-ଓଡିଆ MNCକୁ ପୂର୍ବ ସରକାର ଦେଖାଉଥିଲେ କି ଅହେତୁକ ଅନୁକମ୍ପା ? ଷ୍ଟାଟଅପ୍ ଓଡ଼ିଶା ଅଧ୍ୟକ୍ଷ ପଦରେ ଜଣେ ଅନଭିଜ୍ଞ ଅଣ ଓଡ଼ିଆଙ୍କୁ ବସାଇ କିଭଳି ଓଡିଶାର ଯୁବ ଉ୍ଦ୍ୟୋଗୀଙ୍କୁ ହତାଶ କରାଯାଇଛି, ତା’ର ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସୁଛି ।
ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା । ଅଣ-ଓଡ଼ିଆ ବହୁରାଷ୍ଟ୍ରୀୟ କମ୍ପାନିଙ୍କୁ ଅହେତୁକ ଅନୁକମ୍ପା । ନବୀନ ସରକାରରେ ଓଡ଼ିଶାର ସୃଜନଶୀଳ ଯୁବ ଉଦ୍ୟୋଗୀଙ୍କୁ ଷ୍ଟାର୍ଟଅପ୍ ପାଇଁ ଜାଗା ଯୋଗାଇ ଦେବାରେ ଅଣଦେଖା କରାଯାଇ ବହୁରାଷ୍ଟ୍ରୀୟ କମ୍ପାନୀଙ୍କୁ କିଭଳି ଅନୁକମ୍ପା ପ୍ରଦର୍ଶନ କରାଯାଇଥିଲା, ତା’ର ସାଂଘାତିକ ଅଭିଯୋଗ ଲାଗିଛି ଓଟିଭି ହାତରେ । ଯାଜପୁର ଜିଲ୍ଲାର ଯୁବ ଶିଳ୍ପଦ୍ୟୋଗୀ ସୁବ୍ରତ କର । ୨୦୨୩ରେ ନିଜ ଷ୍ଟାର୍ଟଅପ୍ ମୋଟର ଫ୍ଲୋର୍ ଡଟ୍ କମ୍ ପାଇଁ ଷ୍ଟାର୍ଟଅପ ଓଡ଼ିଶା ଦ୍ୱାରା ନିର୍ମିତ ଓ-ହବ୍ ବିଲଡିଂରେ ଜାଗା ମାଗିଥିଲେ ସୁବ୍ରତ । ହେଲେ ବିଭିନ୍ନ ଆଳ ଦେଖାଇ ଷ୍ଟାର୍ଟଅପ୍ ଓଡ଼ିଶା କର୍ତ୍ତୃପକ୍ଷ ତାଙ୍କୁ ଜାଗା ଯୋଗାଇ ଦେଇ ନ ଥିଲେ। ଅପରପକ୍ଷେ ଆଶ୍ଚର୍ଯ୍ୟଜନକ ଭାବେ କିନ୍ତୁ IBM ଓ E&Y ଭଳି ବହୁରାଷ୍ଟ୍ରୀୟ କମ୍ପାନିକୁ ବିଲଡିଂର ଏକ ବଡ଼ ଅଂଶକୁ ଟେକି ଦିଆଯାଇଥିଲା। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁବ୍ରତ ।
ରାଜ୍ୟର ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଭୁବନେଶ୍ବର ଇନଫୋସିଟି -୨ କ୍ୟାମ୍ପସରେ ୨୦୨୧ରେ ଉଦ୍ଘାଟନ ହୋଇଥିଲା ବହୁତଳ ବିଶିଷ୍ଟ ଏ ଓ-ହବ୍ ବିଲ୍ଡିଂ। ୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓ-ହବରେ ରହିଛି ୪ ଲକ୍ଷ ବର୍ଗଫୁଟ୍ ଜାଗା । ଉଦ୍ଦେଶ୍ୟ ଥିଲା, ରାଜ୍ୟର ଯୁବ ଉଦ୍ୟୋଗୀଙ୍କୁ ଷ୍ଟାର୍ଟଅପ୍ ପାଇଁ ଏଠାରେ ରିହାତି ଦରରେ ଅଫିସ ପାଇଁ ଜାଗା ଯୋଗାଇଦେବା । ହେଲେ ଓଡ଼ିଆ ଉଦ୍ୟୋଗୀଙ୍କ ବଦଳରେ ଏହି ବିଲ୍ଡିଂରେ ଅଫିସ ପାଇଁ MNCଙ୍କୁ ଜାଗା ଯୋଗାଇ ଦିଆଯାଇଛି। ଏମିତିକି ଷ୍ଟାର୍ଟଅପ୍ ଓଡ଼ିଶା ଏମ୍ଏସ୍ଏମ୍ଇ ବିଭାଗ ଅଧୀନରେ ରହିଥିଲେ ମଧ୍ୟ ତତ୍କାଳୀନ ଆଇଟି ସଚିବ ମନୋଜ ମିଶ୍ର ସତେ ଯେମିତି ଏହାକୁ ନିଜର ବିଲ୍ଡିଂ ଭାବି ବିଦେଶୀ କମ୍ପାନିଙ୍କୁ ଟେକି ଦେଇଥିବା ଅଭିଯୋଗ ଉଠିଛି । କେବଳ ସେତିକି ନୁହେଁ, ଷ୍ଟାର୍ଟଅପ୍ ଉପରେ କୌଣସି ଜ୍ଞାନ ନ ଥିବା STPIର ପୂର୍ବତନ ମହାନିର୍ଦ୍ଦେଶକ ଓମ୍କାର ରାଏଙ୍କୁ ଅବସର ପରେ ଅହେତୁକ ଅନୁକମ୍ପା ଦେଖାଇ ଏହାର ଅଧ୍ୟକ୍ଷ ପଦବୀରେ ବସାଇଥିଲେ ପୂର୍ବର ବିଜେଡି ସରକାର । ଏମିତିକି ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାର ଦରମା-ଭତ୍ତା ଓ ସବୁ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ବିନା ଅଭିଜ୍ଞତାରେ କେଉଁ ପରିସ୍ଥିତିରେ ଓ କାହିଁକି ରାଜ୍ୟ ସରକାର ଓମ୍କାର ରାଏଙ୍କୁ ଏଭଳି ଫାଇଦା ଦେଇଛନ୍ତି, ତାକୁ ନେଇ ବି ଉଠିଛି ପ୍ରଶ୍ନ ।
ଏପଟେ ଓ-ହବରେ ଓଡ଼ିଆ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ଅଣଦେଖା କରାଯିବା ଅଭିଯୋଗର ତଦନ୍ତ ହେବ ବୋଲି କହିଛନ୍ତି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ରାଜ୍ୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ମଜବୁତ୍ କରିବାକୁ ଷ୍ଟାର୍ଟଅପ୍ ରଥ ବୁଲାଇବା ସହ କଲେଜ ସ୍ତରରେ ଷ୍ଟାର୍ଟଅପ୍ ମେଳା ଜରିଆରେ ଅନେକ ଉଦ୍ୟମ କରାଯାଇଥିଲା । କିନ୍ତୁ ଏସବୁ ଯେ କେବଳ ପ୍ରହସନ ଥିଲା ତାହା ଏଥିରୁ ପ୍ରମାଣିତ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)