Advertisment

କେବେ ଖୋଲିବ ରତ୍ନଭଣ୍ଡାର ? ଆଉ ୩ ଦିନର ଅପେକ୍ଷା; ୯ ତାରିଖରେ ହେବ ସ୍ପଷ୍ଟ...

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିଲା ନବଗଠିତ ରତ୍ନଭଣ୍ଡାର ତଦାରଖ କମିଟିର ପ୍ରଥମ ବୈଠକ। ଆଉ ୩ ଦିନର ଅପେକ୍ଷା। ୯ ତାରିଖରେ ସ୍ପଷ୍ଟ ହେବ କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Ratna Bhandar

କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ବର୍ଷ ବର୍ଷ ଧରି ପ୍ରତିଟି ଓଡ଼ିଆଙ୍କ ମନକୁ ଆନ୍ଦୋଳିତ କରୁଥିବା ଏହି ପ୍ରଶ୍ନର ଖୁବ୍‌ଶୀଘ୍ର ମିଳିବାକୁ ଯାଉଛି ଉତ୍ତର। ଆସନ୍ତା ୯ରେ ଏନେଇ ନିଷ୍ପତ୍ତି ହେବ ବୋଲି ନବଗଠିତ ରତ୍ନଭଣ୍ଡାର ତଦାରଖ କମିଟିର ପ୍ରଥମ ବୈଠକ ପରେ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ମହାପ୍ରଭୁଙ୍କ ଘୋଷଯାତ୍ରା ସରିବା ଆଗରୁ ରତ୍ନଭଣ୍ଡାର ଖୋଲିବା ନେଇ ଜାଗିଛି ଆଶା। ଯଦି ତାଲା ନଖୋଲେ ତେବେ ଏହାକୁ ଭଙ୍ଗାଯିବ ଏବଂ ରତ୍ନଭଣ୍ଡାର ମରାମତି ପାଇଁ ଅଳଙ୍କାରଗୁଡ଼ିକୁ ଆଉ ଏକ ଜାଗାକୁ ସ୍ଥାନାନ୍ତର କରି, ସେଠାରେ ସେଗୁଡ଼ିକର ଗଣତି ମଣତି କରାଯିବ।

Advertisment

ଆଉ ୩ ଦିନର ଅପେକ୍ଷା। ୯ ତାରିଖରେ ସ୍ପଷ୍ଟ ହେବ କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ତେବେ ତଦାରଖ କମିଟି ଅଧ୍ୟକ୍ଷଙ୍କ କଥାରୁ ଏକପ୍ରକାର ସ୍ପଷ୍ଟ ଯେ, ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଅର୍ଥାତ୍ ଜୁଲାଇ ୧୯ ପୂର୍ବରୁ ଖୋଲାଯାଇପାରେ ରତ୍ନଭଣ୍ଡାର। 

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିଲା ନବଗଠିତ ରତ୍ନଭଣ୍ଡାର ତଦାରଖ କମିଟିର ପ୍ରଥମ ବୈଠକ। ଅବସରପ୍ରାପ୍ତ ବିଚାରପତି ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ୧୬ ଜଣିଆ କମିଟି, ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ବିଚାରବିମର୍ଶ କରିଥିଲେ। ବୈଠକ ପରେ ଜଷ୍ଟିସ ରଥ କହିଛନ୍ତି ଯେ, ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି। କମିଟିର ପରବର୍ତ୍ତୀ ବୈଠକ ୯ ତାରିଖରେ ବସିବାକୁ ଥିବା ବେଳେ, ସେଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ। ଚାବି ଉପସ୍ଥାପନ ହେଲା ପରେ, ରତ୍ନଭଣ୍ଡାର କେବେ ଖୋଲାଯିବ ସେହିଦିନ ନିଷ୍ପତ୍ତି ନିଆଯିବ। ତେବେ ବହୁ ଦଶନ୍ଧିରୁ ଖୋଲା ଯାଇନଥିବା ପୁରୁଣା ତାଲା କଳଙ୍କି କିମ୍ବା ଅନ୍ୟ କୌଣସି କାରଣରୁ ଡୁପ୍ଲିକେଟ ଚାବିରେ ନଖୋଲିଲେ, ରତ୍ନଭଣ୍ଡାର ତାଲାକୁ ଭାଙ୍ଗି ଦିଆଯିବ। ଏସବୁ ପ୍ରକ୍ରିୟା କେମିତି କରାଯିବ, ସେନେଇ ଏସ୍ଓପି ପ୍ରସ୍ତୁତ କରି ସରକାରଙ୍କଠାରେ ଉପସ୍ଥାପନ କରାଯିବ ।

Advertisment

କେବଳ ରତ୍ନଭଣ୍ଡାର ତାଲା ଖୋଲିବା ନୁହେଁ, ସେଠାରେ ଥିବା ଦୁର୍ଲଭ ରତ୍ନମଣ୍ଡିତ ସ୍ବର୍ଣ୍ଣ ଅଳଙ୍କାରର ଗଣତି ମଣତି ଏବଂ ରତ୍ନଭଣ୍ଡାର ମରାମତି ଗୁରୁତ୍ବପୂର୍ଣ୍ଣ ବିଷୟ।ଏଥିପାଇଁ ଅଳଙ୍କାରଗୁଡ଼ିକୁ ଆଉ ଏକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ। ତେବେ ଅସ୍ଥାୟୀ ରତ୍ନଭଣ୍ଡାର କେଉଁଠି ହେବ, ସେ ନିଷ୍ପତ୍ତି ପରିଚାଳନା କମିଟି ନେବ। ଅସ୍ଥାୟୀ ରତ୍ନଭଣ୍ଡାରକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯିବ ଏବଂ ସୁରକ୍ଷା କଡ଼ାକଡ଼ି କରାଯିବ। ସେଠାରେ ଗଣତି ମଣତି ପାଇଁ ପରିଚାଳନା କମିଟି ପକ୍ଷରୁ ଏକ ସବକମିଟି ଗଠନ ହେବ। ପ୍ରାଚୀନ ଅଳଙ୍କାରର ଚିହ୍ନଟ ସହିତ ମାନ ଓ ମାପ ଆଦି ଯାଞ୍ଚ ପାଇଁ ଅଭିଜ୍ଞ ସ୍ବର୍ଣ୍ଣକାର ନିଯୁକ୍ତ ହେବେ। ଆମେ କେବଳ ପ୍ରକ୍ରିୟାର ତଦାରଖ କରିବୁ ବୋଲି କହିଛନ୍ତି ଜଷ୍ଟିସ ରଥ। ପୂର୍ବଥର ଏଥିପାଇଁ ୭୦ ଦିନରୁ ଅଧିକ ସମୟ ଲାଗିଥିଲା। ହେଲେ ଏବେ ଉନ୍ନତ ଟେକ୍ନୋଲୋଜି ଉପଲବ୍ଧ ଥିବାରୁ ଶୀଘ୍ର ଗଣତି ସରିବା ନେଇ ଆଶା କରାଯାଉଛି। ରତ୍ନଭଣ୍ଡାରରୁ ଗହଣା ସ୍ଥାନାନ୍ତର ହେବା ପରେ, ଏହାର ମରାମତି ଆରମ୍ଭ ହେବ ବୋଲି ସେ କହିଛନ୍ତି ।

Ratna Bhandar Lord Jagannath Ratna Bhandar Puri Ratna Bhandar Srimandir’s Ratna Bhandar
Advertisment
Advertisment