• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମଣିଷ ତିଆରି କାରଖାନା । ଆଶା ଓ ଆଶ୍ୱାସନା । ଅ.. ଆରୁ ABCD । ଏଠାରେ ଶିକ୍ଷାର ଭିତ୍ତିପ୍ରସ୍ତର ଗଢିଥିଲେ ଦରଦୀ ପ୍ରକାଶ ରାଓ । ହେଲେ ତାଙ୍କ ସହ ଯେମିତି ଚାଲିଯାଇଥିଲା ଅନୁଷ୍ଠାନର ଜୀବନ । ଏବେ ପ୍ରକାଶଙ୍କ ଏହି ଅନୁଷ୍ଠାନକୁ ପୁଣି ମିଳିଛି ନୂଆ ଜୀବନ । ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢି ଅଷ୍ଟ୍ରେଲିଆରେ ତାଲିମ ନେଉଥିବା ଝିଅ ଭାନୁପ୍ରିୟାଙ୍କୁ ଟାଣି ଆଣିଛି ବାପାଙ୍କ ଅଧୁରା ସ୍ୱପ୍ନ । ନିଜ ଉଦ୍ୟମରେ ସେ ଚଲାଇଛନ୍ତି ବାପାଙ୍କ ସ୍ୱପ୍ନର ଅନୁଷ୍ଠାନକୁ । କଟକର ବସ୍ତିରେ ରହୁଥିବା ଗରିବ ପରିବାରର ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ନେଇ ପ୍ରକାଶ ରାଓ ଯେଉଁ ନିଆରା ପ୍ରୟାସ କରିଥିଲେ, ତାକୁ ପୂରଣ କରିବା ଏବେ ଭାନୁପ୍ରିୟାଙ୍କ ଲକ୍ଷ୍ୟ ।

 

ଆଶା ଓ ଆଶ୍ୱାସନାରେ ବର୍ତ୍ତମାନ ୯୦ ପିଲା । ପ୍ରଥମରୁ ଚତୁର୍ଥ ଯାଏଁ ପାଠପଢା ଯାଉଛି । ଏଥିପାଇଁ ରହିଛନ୍ତି ୪-୫ ଜଣ ଶିକ୍ଷୟିତ୍ରୀ । ପ୍ରକାଶଙ୍କ ପତ୍ନୀ ବିଜୟଲକ୍ଷ୍ମୀ ପେଶାରେ ଜଣେ ନର୍ସ ଥିବା ବେଳେ ତାଙ୍କ ଆୟରୁ ହିଁ ଏହି ଅନୁଷ୍ଠାନ ଚାଲୁଛି । ପ୍ରକାଶ ରାଓ ବଂଚିଥିବା ଯାଏଁ ଅନେକ ଲୋକ ଅନୁଷ୍ଠାନକୁ ସହଯୋଗ କରୁଥିଲେ । ଏବେ କିନ୍ତୁ ସ୍କୁଲ ଚଳାଇବା କଷ୍ଟକର ହୋଇପଡିଛି । କାରଣ, ଶିକ୍ଷୟିତ୍ରୀଙ୍କ ଦରମା ବାବଦରେ ମାସକୁ ୩୦ ହଜାର ଚାଲିଯାଉଛି । ଏହାବାଦ ପିଲାଙ୍କ ବହି, ଖାତା, ପେନ୍ ପେନସିଲ ଏବଂ ଖାଇବା, ପିଇବା ଖର୍ଚ୍ଚ । ପ୍ରତି ମାସରେ ୬୦ ହଜାର ଟଙ୍କା ଦରକାର ପଡୁଛି । ଆଗକୁ ସହଯୋଗ ନମିଳିଲେ ସ୍କୁଲ ଚଳାଇବା କଷ୍ଟକର ହୋଇପଡିବ ବୋଲି ବିଜୟଲକ୍ଷ୍ମୀ କହିଛନ୍ତି । ତେବେ ସେ ହାର ମାନିବେନି ଏବଂ ପାରୁ ପର୍ଯ୍ୟନ୍ତ ସ୍କୁଲ ଚଳାଇବେ ବୋଲି କହିଛନ୍ତି ସ୍ୱର୍ଗତ ପ୍ରକାଶଙ୍କ ପତ୍ନୀ ।

କଟକର ଏକ ଛୋଟ ଚା ଦୋକାନୀ ଡି. ପ୍ରକାଶ ରାଓ । ନିଜସ୍ୱ ଉଦ୍ୟମରେ ପିଲାଙ୍କ ପାଇଁ ଗଢିଥିଲେ ଆଶା ଓ ଆଶ୍ୱାସନା । ଗରିବ ପିଲା ଯେଭଳି ପାଠପଢାରୁ ବିମୁଖ ନହେବେ ସେଥିପାଇଁ ମାଗଣାରେ ଶିକ୍ଷାଦାନ କରୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଗସ୍ତ ବେଳେ ଏଠାକୁ ଆସି ପ୍ରକାଶ ରାଓ ଓ ପିଲାଙ୍କୁ ଭେଟିଥିଲେ । ମନ୍ କି ବାତ୍ କାର୍ଯ୍ୟକ୍ରମରେ ବି ତାଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ପରେ  ନିସ୍ୱାର୍ଥପର ସେବା ପାଇଁ ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୨୦ ଡିସେମ୍ବରରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ପ୍ରକାଶ ରାଓ । ପରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ୧୩ ଜାନୁଆରୀ, ୨୦୨୧ରେ ତାଙ୍କର ପରଲୋକ ଘଟିଥିଲା ।