• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆନ୍ଧ୍ର ମାନଚିତ୍ରରେ ଓଡ଼ିଶା ଗାଁ । ଗୋଟିଏ କି ଦୁଇଟି ନୁହଁ, ପୁରା ଅଠେଇଶଟି ଗାଁ ଆନ୍ଧ୍ର ନକ୍ସାରେ । ଏସବୁ ହେଉଛି ସେହି ଗାଁ, ଯେଉଁ ଇଲାକାକୁ ନେଇ ଦୁଇ ପଡୋଶୀ ମଧ୍ୟରେ ଲାଗିରହିଛି ଟଣାଓଟରା । ଆଉ ମାମଲା ବିଚାରାଧିନ ଅଛି ସୁପ୍ରିମକୋର୍ଟରେ । ହେଲେ ସବୁ ବିଧିବ୍ୟବସ୍ଥାକୁ ଚାଲେଞ୍ଜ କରି କୋଟିଆର ୨୮ଟି ଗାଁକୁ ନୂଆ ମାନଚିତ୍ରରେ ସାମିଲ କରିଛି ଆନ୍ଧ୍ର ।

ନୂଆ ୧୩ଟି ଜିଲ୍ଲା ମଧ୍ୟରୁ ମାନ୍ୟମ୍ ଜିଲ୍ଲାରେ କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ାକୁ ସ୍ଥାନ ଦେଇଛନ୍ତି ଜଗନ୍ ସରକାର । ପୂର୍ବରୁ ୧୩ଟି ଜିଲ୍ଲା ଥିଲା ଆନ୍ଧ୍ରରେ । ଏବେ ବିଜୟନଗରମ୍‌କୁ ଦିଭାଗ କରାଯିବା ସହ ଅନ୍ୟ ଏକ ଭାଗ ପାର୍ବତୀପୁରମ୍‌କୁ ମାନ୍ୟମ୍ ନାଁରେ ନାମିତ କରି ନୂଆ ଜିଲ୍ଲା ଗଠନ କରାଯାଇଛି । ମାନ୍ୟମ୍‌ର ଅର୍ଥ ପଛୁଆ ଅଞ୍ଚଳ । ଅର୍ଥାତ କୋଟିଆକୁ ପଛୁଆ ଅଞ୍ଚଳ ଦର୍ଶାଇ ନିଜ ମ୍ୟାପ୍‌ରେ ସାମିଲ କରାଯାଇଛି ।

ପୂର୍ବରୁ ବିଜୟନଗରମ୍ ହେଡ୍‌କ୍ୱାର୍ଟରରୁ କୋଟିଆର ଦୂରତା ଥିଲା ୯୦ କିଲୋମିଟର । ଏବେ ମାନ୍ୟମ୍ ଜିଲ୍ଲା ହେବା ପରେ ପାର୍ବତୀପୁରମ୍ ଏହାର ହେଡକ୍ୱାଟର୍ ହେବ । ଫଳରେ କୋଟିଆରୁ ୩୦ କିଲୋମିଟର୍ ବାଟ କମ୍ ପଡ଼ିବ । ସରକାରୀ ଯୋଜନା ଓ ବ୍ୟବସ୍ଥାକୁ ଓଡ଼ିଶା ସୀମାବର୍ତ୍ତି ଅଞ୍ଚଳକୁ ପହଞ୍ଚାଇ କୋଟିଆକୁ ଯେପରି ଦଖଲ କରାଯିବ, ସେଥିପାଇଁ ଏଭଳି ଭାବେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ଆନ୍ଧ୍ର ।

ଏ ତ ଥିଲା ଆନ୍ଧ୍ରର ନକ୍ସା ଷଡ଼ଯନ୍ତ୍ର । ଏବେ ଆଉ ଏକ ଘଟଣା ହେଉଛି ସୀମାନ୍ତ କୋଟିଆର ନେରେଡିବାଲସା ପାଖରେ ଗତ କିଛିଦିନ ହେଲା ପ୍ରସ୍ତାବିତ ହାଇଡ୍ରୋ ପାଓ୍ୱାର ପ୍ଲାଣ୍ଟ ପାଇଁ ଖନନ କରାଯାଉଛି । ବିଭିନ୍ନ ଗାଁରୁ ଆନ୍ଧ୍ରର ଠିକା ସଂସ୍ଥା ମାଟି ନମୁନା ବି ସଂଗ୍ରହ କରୁଛି । ନେରେଡିବାଲସା, ଝାଙ୍କରବାଲସା, ତାଡିବାଲସା ଗାଁର ଚାଷ ଜମି ଓ ଝରଣାକୂଳ ନିକଟରୁ ଟାଟା କନସଲଟାନ୍ସିର ଏକ ଠିକାସଂସ୍ଥା ମାଟି ଖନନ କରୁଛି । ଗତ ଡିସେମ୍ବର ୨୮ରେ ବିଜୟନଗରମ୍ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତଳ ଗଞ୍ଜେଇ ପଦରରେ ୬୦ ହଜାର ୬୦୦ କେବି ହାଇଡ୍ରୋ ପାଓ୍ୱାର ପ୍ଲାଣ୍ଟ ନିର୍ମାଣ ନିମନ୍ତେ ଆଦାନୀ ଗ୍ରୁପର ୨ଜଣ, ବେଙ୍ଗାଲୁରୁ ଓ ତାମିଲନାଡୁର ଟିସିଏସ ଅଧିକାରୀ ଘଟଣାସ୍ଥଳ ଯାଞ୍ଚ କରିଥିଲେ ।

ଯାହାକୁ ପଟାଙ୍ଗୀ ବିଧାୟକ ଓ ଅନ୍ୟ ଜନପ୍ରତିନିଧି ବିରୋଧ କରିବାରୁ ଅଧିକାରୀମାନେ ଫେରିଯାଇଥିଲେ । ଏବେ ପୁଣି ନେରେଡିବାଲସା ନିକଟରେ ଆଉ ଏକ ପ୍ରକଳ୍ପ ଲାଗି ଯୋଜନା ଚାଲିଛି । ଏହାଦ୍ୱାରା ନିକଟସ୍ଥ ଗାଁ ଗୁଡିକ ଜଳମଗ୍ନ ହେବ ଏବଂ ଲୋକେ ଗାଁ ଛାଡିବାକୁ ବାଧ୍ୟ ହେବେ । ଏ ସମ୍ପର୍କରେ ନବନିର୍ବାଚିତ ଜନପ୍ରତିନିଧି ମଧ୍ୟ କୋରାପୁଟ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । କିନ୍ତୁ ଏଯାଏଁ ସେଭଳି କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି ।

ଆନ୍ଧ୍ର-ଓଡ଼ିଶା ସୀମାକୁ ନେଇ ଲାଗିରହିଥିବା କୋଟିଆ ବିବାଦ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲା ଆନ୍ଧ୍ର । କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ବୋଲି ଘୋଷଣା କରିବାକୁ ସେଥିରେ ଅପିଲ୍ କରିଥିଲା । ଉଭୟ ପକ୍ଷକୁ ଶୁଣିବା ପରେ ଗତ ମାର୍ଚ୍ଚ ୧୭ରେ ଏହି ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ ।