ପହଲଗାମରେ ଆତଙ୍କୀ ଖେଳିଛନ୍ତି ରକ୍ତର ହୋଲି । ଅନ୍ଧାଧୁନ ଗୁଳି କରି ନେଇଛନ୍ତି ୨୮ଟି ଜୀବନ । ତା'ଭିତରେ ରହିଛନ୍ତି ଜଣେ ନୌସେନା ଅଧିକାରୀ, ଜଣେ ବାୟୁସେନା ଅଧିକାରୀ ଓ ଜଣେ ଗୁଇନ୍ଦା ଅଧିକାରୀ । ନର ପିଶାଚ ପାଲଟିଥିବା ଆତତାୟୀଙ୍କ ଗୁଳି ବିଧବା କରିଦେଇଛି ମାତ୍ର ୭ଦିନ ତଳେ ବିବାହ କରିଥିବା ଜଣେ ଯୁବତୀଙ୍କୁ ।
କିଏ ହନିମୁନରେ ଆସିଥିଲା ତ କିଏ ପରିବାର ସହ ଛୁଟି କଟାଇବାକୁ । ହେଲେ ଶେଷ ଯାତ୍ରା ପାଲଟିଯାଇଛି ପହଲଗାମ ବୁଲା । ଏହି ୧୬ରେ ମଥାରେ ସିନ୍ଦୂର ପିନ୍ଧି ସଧବା ସାଜିଥିଲେ ହିମାଂଶୀ । ହାତରେ ଶଙ୍ଖା ଏବଂ ବିନୟଙ୍କ ନାଁର ପିନ୍ଧିଥିଲେ ମେହେନ୍ଦୀ । ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲେ ସ୍ବାମୀ । ହେଲେ ସାତ ଦିନ ବି ସାଥୀ ହୋଇ ରହିପାରିଲେନି । ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ସିନ୍ଦୂର ।
Also Read
୧୯ରେ ରିସେପସନ୍ ପରେ ନବଦମ୍ପତି ବାହାରିଥିଲେ ହନିମୁନ୍ ରେ । ୟୁରୋପ ଯିବାକୁ ଇଛା ଥିଲା । କିନ୍ତୁ, ଭିସା ସମସ୍ୟା ଉଭୟଙ୍କୁ ଟାଣି ଆଣିଥିଲା କାଶ୍ମୀର । ପହଲଗାମର ହୋଟେଲରେ ଖାଇବା ସାରି ଉଭୟ ବାହାରିଥିଲେ ବୁଲିବାକୁ । ପାହାଡ଼ରେ କିଛି ସମୟ ବୁଲିବା ଭିତରେ ହିଁ ପତ୍ନୀ ହିମାଂଶୀଙ୍କ ସାମ୍ନାରେ ବିନୟଙ୍କୁ ଗୁଳି କରିଥିଲେ ଆତତାୟୀ । ହରିୟାଣା କର୍ଣ୍ଣଲ ଅଂଚଳର ୨୬ ବର୍ଷୀୟ ବିନୟ ନରୱାଲ ଜଣେ ନୌସେନା ଅଧିକାରୀ । ୨ ବର୍ଷ ତଳେ ନେଭିରେ ଜଏନ କରିଥିବା ଲେଫ୍ଟନାଣ୍ଟ ବିନୟ କୋଚିରେ ଡ୍ୟୁଟି କରୁଥିଲେ । ହେଲେ କିଏ ଜାଣିଥିଲା ନବଦମ୍ପତିଙ୍କ ଏହି ହନିମୁନ୍ ତାଙ୍କ ପାଇଁ ହରର ଷ୍ଟୋରୀ ପାଲଟିଯିବ ।
ଛଅ ଦିନର ସ୍ବାମୀଙ୍କୁ ଛଳ ଛଳ ଆଖିରେ ବିଦାୟ ଦେଇଛନ୍ତି ପତ୍ନୀ ।ଅପରପକ୍ଷେ ପହଲଗାମରେ ଆତଙ୍କୀଙ୍କ ଗୁଳି ଶୁଭମ୍ ଓ ଐଶନ୍ୟାଙ୍କୁ ଚିରଦିନ ପାଇଁ ଅଲଗା କରିଦେଇଛି । ବିବାହକୁ ବେଶୀ ଦିନ ହୋଇନଥିଲା । କାନପୁରର ସିମେଣ୍ଟ ବ୍ୟବସାୟୀ ଶୁଭମ୍ ଦ୍ବିବେଦୀ ୨ ମାସ ତଳେ ଐଶନ୍ୟାଙ୍କ ହାତ ଧରିଥିଲେ । ୧୧ ଜଣିଆ ପରିବାରକୁ ନେଇ ବୁଲିବାକୁ ଆସିଥିଲେ କାଶ୍ମୀର । ସେଠାରେ ବୁଲାବୁଲି ପରେ ସମସ୍ତେ ପହଲଗାମ ଆସିଥଲେ । ମଙ୍ଗଳବାର ପରିବାରର ଅନ୍ୟ ସଦସ୍ୟ ହୋଟେଲରେ ଥିବା ବେଳେ ପତ୍ନୀଙ୍କ ସହ ଏକା ବୁଲି ବାହାରିଥିଲେ ଶୁଭମ । ହେଲେ ଫେରିଥିଲେ କେବଳ ପତ୍ନୀ ଐଶନ୍ୟା । ଆତଙ୍କୀଙ୍କୁ ଯେତେ ନେହୁରା ହୋଇଥିଲେ ବି ସ୍ବାମୀ ଶୁଭମଙ୍କୁ ଛାଡିନଥିଲେ, ବରଂ ଆଖି ସାମ୍ନାରେ ମୁଣ୍ଡକୁ କରିଥିଲେ ଗୁଳି ।
ଅନ୍ୟପଟେ ବାୟୁସେନା ଅଧିକାରୀ ତେଗ୍ ହେଲାଙ୍ଗଙ୍କ ପାଇଁ ନୂଆ ନଥିଲା କାଶ୍ମୀରର ଘାଟି ଅଞ୍ଚଳ । ଶ୍ରୀନଗର ଏୟାରବେସରେ କାର୍ଯ୍ୟରତ ତେଗ୍ ପତ୍ନୀଙ୍କ ସହ ବୁଲିବାକୁ ଆସିଥିଲେ ପହଲଗାମ୍ । ବୁଲାଇ ଦେଖାଉଥିଲେ ପାହାଡ ଭିତରେ ଲୁଚିଥିବା ପ୍ରକୃତିର ସୌନ୍ଦର୍ଯ୍ୟକୁ । ହେଲେ ପତ୍ନୀଙ୍କ ସାମ୍ନାରେ ହିଁ ଆତତାୟୀଙ୍କ ଗୁଳି ତାଙ୍କ ଜୀବନ ନେଇଗଲା । ବାୟୁସେନା କର୍ପୋରାଲ ତେଗ୍ ହେଲାଙ୍ଗଙ୍କ ଘର ଅରୁଣାଚଳପ୍ରଦେଶରେ। ୩୦ ବର୍ଷୀୟ ତେଜାଙ୍ଗ ୮ ବର୍ଷ ତଳେ ବାୟୁସେନାରେ ଯୋଗ ଦେଇଥିଲେ । ତେଜାଙ୍ଗଙ୍କ ବିୟୋଗରେ ବାୟୁସେନା ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଥିବା ବେଳେ ରାଜ୍ୟ ଜଣେ ବୀର ସନ୍ତାନଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ କହିଛନ୍ତି ।
ପହଲଗାମରେ ଆତତାୟୀଙ୍କ ଗୁଳିରେ ଜଣେ ଗୁଇନ୍ଦା ଅଧିକାରୀଙ୍କ ବି ମୃତ୍ୟୁ ହୋଇଛି । ହାଇଦ୍ରାବାଦରେ କାର୍ଯ୍ୟରତ ପଶ୍ଚିମ ବଙ୍ଗର ମନୀଷ ରଞ୍ଜନ ଗ୍ରୀଷ୍ମ ଛୁଟି କଟାଇବାକୁ ପରିବାର ସହ କାଶ୍ମୀର ଯାଇଥିଲେ । ବୈଷ୍ଣୋଦେବୀ ବୁଲିବା ପରେ ଆସିଥିଲେ ପହଲଗାମ୍ । ମଙ୍ଗଳବାର ମଧ୍ୟାହ୍ନ ଭୋଜନ ସାରି ପାହାଡ ଉପରେ ବୁଲିବା ବେଳେ ପତ୍ନୀ ଓ ପିଲାଙ୍କ ଆଖି ଆଗରେ ତାଙ୍କ ଉପରେ ଗୁଳିବର୍ଷା କରିଥିଲେ ଆତଙ୍କୀ ।
ଦିନକ ଆଗରୁ କିଏ ବରଫରେ ରିଲ୍ ବନାଇଥିଲେ,କିଏ ଡାଲ୍ ହ୍ରଦରେ ଶିକାରାରେ ବସିଥିଲେ, ଆଉ କିଏ ହୋଟେଲ ରୁମରେ ମଜାମସ୍ତି କରିଥିଲେ । ହେଲେ କିଏ ଜାଣିଥିଲା, ରାତି ପାହିଲେ କାଳ ପାଲଟିବ ଆସନ୍ତାକାଲିର ପହଲଗାମ୍ ବୁଲା । ଗୁଳୁଗୁଳିରୁ ବର୍ତ୍ତିବାକୁ ଯାଇ, ଗୁଳି ଖାଇବାକୁ ପଡ଼ିବ ।