• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

କୋଟିଆ ବିବାଦର ହେବ କି ସମାଧାନ ? ସ୍ବତନ୍ତ୍ର କମିଟି କରିବାକୁ ସରକାରଙ୍କ ନିଷ୍ପତ୍ତି । ଖୁବଶୀଘ୍ର ଆସିବ ଗ୍ରାଉଣ୍ଡ ରିପୋର୍ଟ, ସରକାର ନେବେ ପଦକ୍ଷେପ । ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା କୋଟିଆକୁ ନେଇ ବିବାଦ ଥମୁ ନଥିବା ବେଳେ ଆନ୍ଧ୍ରର ସକ୍ରିୟତା ଚିନ୍ତାକୁ ବଢାଇଛି । ଯାହାକୁ ନେଇ ରାଜନୀତି ବି ଜୋର୍ ଧରିଛି ।

କୋଟିଆ ପାଇଁ କମିଟି କରିବେ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଢାଯିବ କମିଟି । ଖୁବ୍ ଶୀଘ୍ର ଗ୍ରାଉଣ୍ଡ ସ୍ଥିତି ପରଖି ସରକାରଙ୍କୁ ରିପୋର୍ଟ ଦେବ କମିଟି । ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା କୋରାପୁଟର କୋଟିଆକୁ ନେଇ ବିବାଦ ଥମୁନି । ଆନ୍ଧ୍ର ସରକାର ଠାରୁ ଅନେକ ସରକାରୀ ଯୋଜନାରେ ଉପକୃତ ହେଉଛନ୍ତି ଏଠିକାର ବାସିନ୍ଦା । ଏପରିକି ସ୍କୁଲଗୁଡିକରେ ଓଡ଼ିଆ ବଦଳରେ ତେଲୁଗୁରେ ପାଠ ପଢାଯାଉଛି ।

ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟା ପରେ ବି ପଡୋଶୀ ରାଜ୍ୟ ମୁହାଁ କୋଟିଆବାସୀ । ଏଭଳିସ୍ଥଳେ ମୁଖ୍ୟମନ୍ତ୍ରୀ କୋଟିଆକୁ ନେଇ କରିଥିବା ସମୀକ୍ଷା ବୈଠକରେ ବଡ ନିଷ୍ପତ୍ତି ନେଇଛନ୍ତି । ଓଡିଶା ସ୍ବାର୍ଥରେ ଯେପରି ଆଞ୍ଚ ନଆସେ ଏବଂ ଆନ୍ଧ୍ର ଯେପରି ଓଡ଼ିଶା ଆଡ଼କୁ ମାଡ଼ି ନଆସୁ ସେଥିଲାଗି ସରକାରୀ ସ୍ତରରେ କସରତ ଆରମ୍ଭ ହୋଇଛି ।

କୋଟିଆକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଟଣା ଓଟରା ଭିତରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ଗତ ୨୧ ତାରିଖରେ କୋଟିଆ ଅଞ୍ଚଳର ଧୁଳିଭଦ୍ରା, ନେରେଡିବାଲାସା ଓ ତାଡିବାଲାସା ଗାଁର ଲୋକେ ଆନ୍ଧ୍ର ପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରାଜାନ୍ନା ଡୋରାଙ୍କୁ ଭେଟିଛନ୍ତି । ଏହି ଆନ୍ଧ୍ର ସପକ୍ଷବାଦୀଙ୍କ ସକ୍ରିୟତା ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପାଇଁ ଚିନ୍ତାର ମୁଖ୍ୟ କାରଣ ପାଲଟିଛି । ଯାହାକୁ ନେଇ ତେଜିଛି ରାଜନୀତି ।

ବିଜେଡି କହିଛି ଆମ ସରକାର ଥିବା ସମୟରେ ୧୫୦ କୋଟି ଟଙ୍କା କୋଟିଆ ବିକାଶ ପାଇଁ ଦିଆଯାଇଥିଲା । ବର୍ତ୍ତମାନ ଟ୍ରିପଲ ଇଞ୍ଜିନ ସରକାର ଥାଇ ବି କୋଟିଆ ବିବାଦର ସମାଧାନ ନହେବା ଦୁର୍ଭାଗ୍ୟଜନକ । ସେହିପରି କଂଗ୍ରେସ କହିଛି ସରକାର ଲଢନ୍ତୁ ବା ନ ଲଢନ୍ତୁ କଂଗ୍ରେସ କିନ୍ତୁ ଆନ୍ଧ୍ର ଚକ୍ରାନ୍ତ ବିରୋଧରେ ଲଢିବ ।

ଅପରପକ୍ଷେ ସରକାରଙ୍କ ଜବାବ ହେଲା କୋଟିଆ ସମସ୍ୟାର ସମାଧାନ ଲାଗି କମିଟି ବାଟ ଫିଟାଇବ । ଏବେ ଦେଖିବାର କଥା, କମିଟି କୋଟିଆ ବିବାଦରେ କେବେ ପୂର୍ଣ୍ଣଚ୍ଛେଦ ଟାଣୁଛି ଓ କୋଟିଆବାସୀ କେତେ ଉପକୃତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ପରଦା ପଛରେ ଯିଏ ଅଛି ଛଡ଼ାଯିବନି