• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାର୍ଚ୍ଚ ୨୧, ଭୁବନେଶ୍ୱରରେ ପେଟ୍ରୋଲ ଲିଟର ଥିଲା ୧୦୧ ଟଙ୍କା ୭୮ ପଇସା । ଏ ଭିତରେ ମାତ୍ର ଦୁଇ ସପ୍ତାହ ବିତିଛି । ହେଲେ ୧୨ ଥରରେ ପେଟ୍ରୋଲ ଦାମ ୯ ଟଙ୍କା ୧୮ ପଇସା ବଢ଼ି ୧୧୦ ଟଙ୍କା ୯୬ ପଇସାରେ ପହଞ୍ଚିଗଲାଣି । ଡିଜେଲ ଦରରେ ବି ସେଇ ସମାନ ଅବସ୍ଥା । ମାର୍ଚ୍ଚ ୨୧ର ୯୧ ଟଙ୍କା ୯୬ ପଇସାରୁ ଏବେ ଏହା ୯ ଟଙ୍କା ୩ ପଇସା ମହଙ୍ଗା ହୋଇ ୧୦୦ ଟଙ୍କା ୬୫ ପଇସା ହୋଇଛି ।

 

ତେଲଦରରେ ଲାଗୁନି ବ୍ରେକ୍, ଲଗାତର ବଢ଼ିଚାଲିଛି । ଖାଲି ଭୁବନେଶ୍ୱର ନୁହେଁ, ପୁରୀରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୨୫ ପଇସାରେ କିଣିବାକୁ ପଡ଼ୁଥିବା ବେଳେ ମାଲକାନଗିରିରେ ୧୧୬ ଟଙ୍କା ପାର୍ କଲାଣି ଦର । ପେଟ୍ରୋଲ, ଡିଜେଲର ଏମିତି ଲଗାତର ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ତେଜିଲାଣି ଅସନ୍ତୋଷ । ଏପଟେ ପେଟ୍ରୋଲିୟମ ସଂଘ କହୁଛି, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ମହଙ୍ଗା ହୋଇଥିବାରୁ ଦର ବଢ଼ାଉଛନ୍ତି ତୈଳ କମ୍ପାନି । ଆଗାମୀ କିଛି ଦିନ ଯାଏଁ ଜାରି ରହିବ ଏହି ଦରବୃଦ୍ଧି ।

ଏପଟେ ଡିଜେଲ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ପଡ଼ିଛି ଖାଉଟି ଉପରେ । ଡିଜେଲ ଦାମ ଲିଟର ପିଛା ୯ ଟଙ୍କା ବଢ଼ିବା ଯୋଗୁ ସବୁ ଜିନିଷ ଉପରେ ପରିବହନ ଖର୍ଚ୍ଚ ୫୦ ପଇସାରୁ ଟଙ୍କାଏ ବଢ଼ିଯାଇଛି । ଏଣୁ ତେଲ ଦରବୃଦ୍ଧିର ବୋଝ ସାଧାରଣ ଖାଉଟିଙ୍କୁ ହିଁ ସହିବାକୁ ପଡ଼ିବ ବୋଲି କହିଛି ପରିବହନ ସଂଘ । ସେହିଭଳି ବ୍ୟବସାୟୀ ସଂଘ କହିଛି, ତେଲଦର ବଢ଼ିବା ଯୋଗୁ ଏବେ ଚିନିଠୁ ଆରମ୍ଭ କରି ସବୁ ଜିନିଷର ଦାମ ମହଙ୍ଗା ହେବାରେ ଲାଗିଛି । ଏବେ ତେଲ ଦାମ ଯେତିକି ମହଙ୍ଗା ହେଲାଣି, ସାଧାରଣ ପରିବାରର ମାସିକ ଖର୍ଚ୍ଚ ହାରାହାରି ୧୫ ଶହରୁ ୧୬ ଶହ ଟଙ୍କା ବଢ଼ିଗଲାଣି । ଏଣୁ ସରକାର ଏବେଠୁ ତେଲ ଦରରେ ରୋକ୍ ନ ଲଗାଇଲେ, ଆଗକୁ ନେଡ଼ିଗୁଡ଼ କହୁଣୀକୁ ବୋହିଯିବ ।

ପେଟ୍ରୋଲ୍-ଡିଜେଲ୍ ଦର ବୃଦ୍ଧି ଓ ତାକୁ ନେଇ ଅନ୍ୟ ସାମଗ୍ରୀର ମହଙ୍ଗା ମା଼ଡ଼ରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ତେଲ ଦର ନିୟନ୍ତ୍ରଣ ଲାଗି ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।