• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଯଦି କିଏ ପଚାରେ ରୋଷେଇ ଘରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ କ’ଣ? ତେବେ ବିନା ଚିନ୍ତାରେ ଉତ୍ତର ଲୁଣ ବୋଲି ଆସିବ। ଯଦି ଖାଦ୍ୟରେ ଅନ୍ୟ କୌଣସି ମସଲା ନ ହେଲା କିମ୍ବ କମିଗଲା ତାହାକୁ ଚଳେଇ ନେଇହେବ କିନ୍ତୁ ଲୁଣର ଭାଗମାପରେ ଟିକେ ବି ଏପଟ ସେପଟ ହେଲେ ସହଜରେ ଚଳେଇ ହେବ ନାହିଁ।

ଯଦି କେହି ଆପଣଙ୍କୁ ପଚାରନ୍ତି ଲୁଣ କେତେ ପ୍ରକାରର ବା ଏହା କେତେ ରଙ୍ଗରେ ତେବେ ଆପଣ ନିଶ୍ଚିତ ୨-୩ ପ୍ରକାରର ଲୁଣ ବିଷୟରେ କହିପାରିବେ। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଲୁଣ ୧୨ ପ୍ରକାରର ଅଛି ଏବଂ ସେଗୁଡିକର ରଙ୍ଗ ମଧ୍ୟ ଭିନ୍ନ। ତେବେ ଆସନ୍ତୁ ସେସବୁ ବିଷୟରେ ଜାଣିନେବା।

ଟେବୁଲ୍ ଲୁଣ: ଏହା ହେଉଛି ସବୁଠାରୁ ସାଧାରଣ ଲୁଣ। ଏହା ଭୂମି ତଳେ ମିଳୁଥିବା ଲବଣୀୟ ଉପାଦାନରୁ ତିଆରି। ଏହାକୁ ମାଟି ତଳୁ ବାହାର କରାଯିବା ପରେ ଏଥିରୁ ମଇଳା ଓ ଖଣିଜ ପଦାର୍ଥକୁ ବିଶୋଧନ କରାଯାଏ। ଅଧିକାଂଶ ଟେବୁଲ୍ ଲୁଣରେ ଆୟୋଡିନ୍ ମଧ୍ୟ ମିଶାଯାଏ। ଏହା ଗଳଗଣ୍ଡ ଚିକିତ୍ସା ପାଇଁ ବହୁତ ଉପକାରୀ।

କୋଶେର ଲୁଣ: କୋଶେରିଙ୍ଗ ଲୁଣ, ଯାହା ଆମେରିକାରେ କୋଶେର ଲୁଣ ଭାବରେ ମଧ୍ୟ ଜଣାଶୁଣା। ଏହାର ଦାନା ଟେବୁଲ୍ ଲୁଣ ଅପେକ୍ଷା ମୋଟା। ମାଂସରେ ପକେଇବା ପାଇଁ ଏହାକୁ ଉତ୍କୃଷ୍ଟ ବୋଲି ବିବେଚନା କରାଯାଏ। ଆହୁରି ମଧ୍ୟ, ଏହା ଖୁବ୍ ଶିଘ୍ର ମିଳେଇଯାଏ, ଯେଉଁଥିପାଇଁ ଯେକୌଣସି ଖାଦ୍ୟରେ ଏହାର ବ୍ୟବହାର ଭଲ ବୋଲି ଧରାଯାଏ।

ସମୁଦ୍ର ଲୁଣ: ସମୁଦ୍ର ଜଳକୁ ଶୁଖାଇ ଏହା ପ୍ରସ୍ତୁତ କରାଯାଏ। ସମୁଦ୍ର ଲୁଣ ପ୍ରାୟତଃ ଅପରିଷ୍କୃତ ଏବଂ ଟେବୁଲ୍ ଲୁଣ ଅପେକ୍ଷା ବଡ଼ ଦାନା। ଏଥିସହ ଏଥିରେ ଜିଙ୍କ୍‌, ପୋଟାସିୟମ୍ ଏବଂ ଆଇରନ୍ ଭଳି ଖଣିଜ ପଦାର୍ଥ ଭରପୂର ଥାଏ। ଯେଉଁଥିପାଇଁ ଏହାର ସ୍ୱାଦ ଭିନ୍ନ ହୋଇଯାଏ।

ସୈନ୍ଧବ ଲୁଣ: ଏହି ଲୁଣ ଦୁନିଆର ସବୁଠାରୁ ଶୁଦ୍ଧ ଲୁଣ। ଏହାକୁ ହାତରେ ଖୋଳି ବାହାର କରାଯାଏ। ଏହା ପାକିସ୍ତାନର ହିମାଳୟ ପରିସରର ଖେଭଡା ଲୁଣ ଖଣିରୁ ଖନନ କରାଯାଇଥାଏ। ଏହାର ରଙ୍ଗ ଧଳା, ଗୋଲାପୀ, ନାଲି ଆଦି ମିଶାମିଶି ହୋଇଥାଏ। ଖଣିଜ ପଦାର୍ଥ ଦୃଷ୍ଟିରୁ ଏହା ଖୁବ ଭଲ। ଏଥିରେ ୮୪ ପ୍ରକାର ଖଣିଜ ପଦାର୍ଥ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀର ପାଇଁ ଖୁବ ହୀତକର।

ସେଲ୍ଟିକ୍ ସମୁଦ୍ର ଲୁଣ: ଏହାକୁ ଫ୍ରେଞ୍ଚ୍‌ ଭାଷାରେ 'ସେଲ୍ ଗ୍ରିସ୍' ମଧ୍ୟ କୁହାଯାଏ, ଯାହାର ଅର୍ଥ ଧୂସର ଲୁଣ। ଫ୍ରାନ୍ସ ଉପକୂଳରେ ଥିବା ଜୁଆର ପୋଖରୀରୁ ସେଲ୍ଟିକ୍ ସମୁଦ୍ର ଲୁଣ ବାହାର କରାଯାଇଥାଏ। ମାଛ ଏବଂ ମାଂସ ରାନ୍ଧିବାରେ ବ୍ୟବହାର ପାଇଁ ଏହା ଖୁବ ଭଲ।

କଳା ଲୁଣ: ଏହା କେବଳ ହିମାଳୟ ଅଞ୍ଚଳରେ ଦେଖାଯାଏ। ଏହାକୁ କୋଇଲା, କିଛି ଜଡିବୁଟି, ମଞ୍ଜି ଏବଂ ଛେଲି ସହିତ ଏକ ପାତ୍ରରେ ରଖାଯାଏ। ଏହା ପରେ ଚାରି ଘଣ୍ଟା ପାଇଁ ଏକ ଭାଟିରେ ରଖାଯାଏ। ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଯାଏ। ଏହା ହଜମ ପାଇଁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ। ଶାକାହାରୀ ଲୋକ ଯେଉଁମାନେ ଅଣ୍ଡା ଖାଆନ୍ତି ନାହିଁ, ଯଦି ସେମାନେ ଏହାକୁ ଖାଦ୍ୟରେ ବ୍ୟବହାର କରନ୍ତି, ତେବେ ସେମାନେ ମଧ୍ୟ ଅଣ୍ଡାର ସ୍ୱାଦ ପାଇବେ।

ଫ୍ଲେକ୍ ଲୁଣ: ଏହା ଲୁଣିପାଣିରୁ ବାଷ୍ପୀକରଣ ଦ୍ୱାରା ବାହାର କରାଯାଏ। ଏହା ପତଳା ସ୍ତରୀୟ, ଅଣ-ସମାନ କଣିକା ଏବଂ ଧଳା। କିନ୍ତୁ ଏଥିରେ ଥିବା ଖଣିଜ ପଦାର୍ଥର ପରିମାଣ କମ୍ ଅଟେ।

ବ୍ଲାକ୍ ହାୱାଇନ୍ ଲୁଣ: ଏହାକୁ କଳା ଲାଭା ଲୁଣ ମଧ୍ୟ କୁହାଯାଏ। ଏହାକୁ ମଧ୍ୟ ସମୁଦ୍ରରୁ ବାହାର କରାଯାଇଥାଏ। ଏହାକୁ ଘୁଷୁରି ମାଂସ ଏବଂ ସାମୁଦ୍ରିକ ଖାଦ୍ୟରେ ଏହାକୁ ବ୍ୟବହୃତ ହୁଏ।

ଲାଲ୍ ହାୱାଇନ୍ ଲୁଣ: ଏହାକୁ ଆଲାୟା ଲୁଣ ମଧ୍ୟ କୁହାଯାଏ। ଏହା ଏକ ଅପରିଷ୍କୃତ ଲୁଣ। ଏହାର ହାଲୁକା ଲାଲ ରଙ୍ଗ ଆଗ୍ନେୟଗିରିର ଲୌଜ ଖଣିଜ ପଦାର୍ଥ ଏବଂ ଆଲାୟା ମାଟି ଯୋଗୁଁ ହୋଇଥାଏ। ଏହା ଖାଦ୍ୟ ପାଇଁ ତଥା ଅନେକ ପାରମ୍ପରିକ କାର୍ଯ୍ୟରେ ବ୍ୟବହୃତ ହୁଏ।

ଧୂଆଁଯୁକ୍ତ ଲୁଣ: ଏହି ଲୁଣକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ କାଠ ନିଆଁ ଉପରେ ରଖି ଧୀରେ ଧୀରେ ଧୂଆଁ ଦିଆଯାଇଥାଏ। ଫଳରେ ଖାଦ୍ୟରେ ପକେଇଲେ ଏହା ଧୂଆଁଟିଆ ସ୍ୱାଦ ଆସେ। ଏହା ମାଂସ ଏବଂ ଆଳୁ ରାନ୍ଧିବାରେ ବ୍ୟବହୃତ ହୁଏ।

ପିକ୍‌ଲିଙ୍ଗ୍‌ ଲୁଣ: ଖାଦ୍ୟ ସାମଗ୍ରୀକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଏହା ବ୍ୟବହୃତ ହୁଏ। ଏଥିରେ ସମୁଦ୍ର ଲୁଣ ପରି ଆୟୋଡିନ୍ କିମ୍ବା ଖଣିଜ ପଦାର୍ଥ ନାହିଁ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗଚ୍ଛିତ ଖାଦ୍ୟର କୌଣସି କ୍ଷତି ପହଞ୍ଚାଏ ନାହିଁ।

ଫ୍ଲାୱାର ଦ ସେଲ୍: ଏହି ଶବ୍ଦର ଅର୍ଥ ହେଉଛି 'ଲୁଣର ଫୁଲ'। ଫ୍ରାନ୍ସର ବ୍ରିଟ୍‌ନୀ ନାମକ ଏକ ସ୍ଥାନର ଜୁଆର ପୋଖରୀରୁ ଏହା ବାହାର କରାଯାଏ। ଏହାକୁ ମାଟି ଉପରେ ପଡିଥିବା ପରସ୍ତରୁ ବାହାର କରାଯାଏ। ଏହି ପ୍ରକ୍ରିୟା ସେତେବେଳେ କରାଯାଏ ଯେତେବେଳେ ସୂର୍ଯ୍ୟ ଥାଆନ୍ତି, ଗରମ ପଡିଥାଏ ଏବଂ ପବନ ବହୁଥାଏ। ଏହାର କଠିନ ପ୍ରକ୍ରିୟା ହେତୁ ଏହା ଅତ୍ୟନ୍ତ ଦାମୀ ଲୁଣ ହୋଇଥାଏ।

OTV is now on Whatsapp

Join and get latest news update delivered to you via whatsapp

Join Now