• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜୋରଦାରିଆ କୀର୍ତ୍ତନ ଚାଲିଛି, ଝାଞ୍ଜ ମୃଦଙ୍ଗ ବାଜୁଛି । ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ଧ୍ୱନିରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । ପିଲାଠୁ ବୁଢା ସମସ୍ତେ ଏକ ହୋଇଛନ୍ତି । କୀର୍ତ୍ତନରେ ସମସ୍ତେ ମଜିଯାଇଛନ୍ତି । ଖାଲି କୀର୍ତ୍ତନ କାହିଁକି ପ୍ରୀତିଭୋଜନ ସହ ପ୍ରସାଦ ସେବନର ବି ବ୍ୟବସ୍ଥା ହୋଇଛି । ଅରୁଆ ଭାତକୁ ଡାଲମା, ପୁଣି ଖଟା ତରକାରୀ ସାଙ୍ଗକୁ କ୍ଷୀରି ଖାଉଛନ୍ତି ସମସ୍ତେ । ଏମିତି ସବୁ ଆୟୋଜନ ଦେଖିବା ପରେ ଆପଣ ଭାବିଥିବେ ନିଶ୍ଚୟ କାହାର ଭୋଜିଭାତ ହେଉଛି । ଆମେ ଆପଣଙ୍କୁ କାହିଁକି ଦେଖାଉଛୁ ? ଦର୍ଶକବନ୍ଧୁ କୌଣସି ବାହାଘର କି ବ୍ରତଘର କି ପୂଜାପାଠ ହେଉନି । ବରଂ ମାଙ୍କଡ ମରିବା ପରେ ଏତେ ସବୁ ଆୟୋଜନ ହୋଇଛି ।

ଗାଁରେ ରହୁଥିଲା, ହେଲେ ବିଜୁଳି ଖୁଣ୍ଟରେ ଲାଗି ଜୀବନ ଚାଲିଗଲା । ଆଉ ମାଙ୍କଡ଼ର ମୃତ୍ୟୁ ପରେ ଶୋକରେ ବୁଡ଼ିଗଲେ ଗାଁ ଲୋକେ । ମାଙ୍କଡ଼ର ଦେହାନ୍ତ ହେବା ପରେ କୀର୍ତ୍ତନ କରି ଶତ୍କାର କରିବା ସହିତ ଶୁଦ୍ଧକ୍ରିୟା ବି କରିଥିଲେ । ଖାଲି ଶୁଦ୍ଧକ୍ରିୟା ନୁହେଁ ବରଂ ମାଙ୍କଡ଼ର ଫଟୋକୁ ଧରି ଆଜି ବି ଭଜନ କୀର୍ତ୍ତନରେ ଗାଁ ପରିକ୍ରମା କରୁଛନ୍ତି ଲୋକେ ।

ଗୋଟିଏ ଗାଁରେ ମାଙ୍କଡ଼ ମରିଥିଲେ ବି ପାଖ ଗାଁର କୀର୍ତ୍ତନିଆ ଦଳ ଆସି ସେହି ଗାଁରେ କରୁଛନ୍ତି କୀର୍ତ୍ତନ । ତାହା ପୁଣି ବିନା ପାରିଶ୍ରମିକରେ । ଯାହାକୁ ନେଇ ଚର୍ଚ୍ଚା ଚାଲିଛି । ଦର୍ଶକବନ୍ଧୁ ମାଙ୍କଡ଼ ପ୍ରତି ମଣିଷର ଥିବା ଭଲପାଇବା ଦେଖିବାକୁ ମିଳିଛି ବାଲେଶ୍ୱର ରେମୁଣା ତେନ୍ତୁଳିଦା ପଂଚାୟତ ଜାଗୁଳି ଗାଁରେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୀର୍ଘଦିନ ଧରି ମାଙ୍କଡ଼ ଗାଁରେ ଘର କରି ରହୁଥିଲା । ହେଲେ ୧୦ ଦିନ ତଳେ ବିଦ୍ୟୁତ୍‌ ତାରରେ ଲାଗି ତାର ମୃତ୍ୟୁ ହୋଇଥିଲା ।

ମାଙ୍କଡ଼ର ମୃତ୍ୟୁ ହେବା ପରଦିନ ଗାଁରେ ବୈଠକ ବସିଥିଲା ଏବଂ ନିଷ୍ପତ୍ତି ହେଲା ମାଙ୍କଡ଼ର ମଣିଷ ଭଳି ଶୁଦ୍ଧିକ୍ରିୟା ଗାଁରେ ହେବ । ତେଣୁ ଶୁଦ୍ଧକ୍ରିୟା ଲାଗି ସବୁ ପ୍ରକାର ପ୍ରସ୍ତୁତି କରିବା ସହିତ ପ୍ରୀତିଭୋଜନ ଲାଗି ପାଖଆଖ ଗାଁର ଲୋକଙ୍କୁ ବି ନିମନ୍ତ୍ରଣ ଦିଆଗଲା । ଏମିତିକି ମାଙ୍କଡ଼ ପାଇଁ ଲଣ୍ଡା ହୋଇଥିଲେ ଗାଁ ଲୋକେ । ଯାହାକୁ ନେଇ ଗାଁ ଲୋକଙ୍କୁ ପ୍ରଶଂସା ବି କରାଯାଇଛି ।

ଅନେକ ସମୟରେ ଦେଖାଯାଏ କି ମଣିଷ ସ୍ୱାର୍ଥପର ଓ ନିଷ୍ଠର ହୋଇଯାଏ । ହେଲେ ମାଙ୍କଡ଼ ପ୍ରତି ଥିବା ଭଲପାଇବାକୁ ଦେଖାଇଛନ୍ତି ରେମୁଣା ଅଂଚଳର ଏହି ଲୋକ । ଯାହା ମଣିଷ ଓ ମାଙ୍କଡ଼ ପ୍ରତି ଥିବା ଭଲପାଇବାର ନିତ୍ସକ ଉଦାହରଣ ।

(ରିପୋର୍ଟ- ରଣଜିତ୍‌ ପାକଳ, ବାଲେଶ୍ୱର)