• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚାଷୀଙ୍କ ନାଁରେ ୠଣ ଜାଲିଆତିର ଚାଞ୍ଚଲ୍ୟକର ଅଭିଯୋଗ । ଚାଷୀ ନା ସେତେ ପରିମାଣର ୠଣ ନେଇଛନ୍ତି ନା ଟଙ୍କା ପାଇଛନ୍ତି । ହେଲେ ତାଙ୍କ ଖାତାରେ ଗଡୁଛି ଲକ୍ଷ ଲକ୍ଷ ୠଣ ରାଶି । ଚୁନ ଲଗାଇ ମାଲାମାଲ ହୋଇଛନ୍ତି ସମବାୟ ବ୍ୟାଙ୍କ ଓ ଲ୍ୟାମ୍ପସ କର୍ମଚାରୀ ।

ଆଉ ଘଟଣା ଜାଣି ସଂପୃକ୍ତ ଚାଷୀ ଲ୍ୟାମ୍ପସର ଦ୍ୱାରସ୍ଥ ହେବା ପରେ ବି ମିଳୁନି କୌଣସି ସୁଫଳ । ଉପାନ୍ତରୁ ଉପକୂଳ, ସମବାୟ ସମିତି କର୍ମଚାରୀ କେମିତି ଚଳାଇଛନ୍ତି ଅସାଧୁ କାରବାର ।

କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁର ପ୍ରଫୁଲ କୁମାର ସ୍ୱାଇଁ। ଚାଷ ହିଁ ତାଙ୍କର ମୁଖ୍ୟ ବେଉଷା । କୁନ୍ଦୁରା ଲ୍ୟାମ୍ପସରୁ ୨୦ ହଜାର ଟଙ୍କାର କୃଷି ଋଣ ନେଇ ଶୁଝି ସାରିଛନ୍ତି ସେ । କିନ୍ତୁ ଲ୍ୟାମ୍ପସ ଖାତାରେ ତାଙ୍କ ନାଁରେ ଏବେ ବି ଗଡୁଛି ୧ ଲକ୍ଷ ୨ ହଜାର ଟଙ୍କାର ଋଣ ରାଶି ।

ଆଉ ଏମାନେ ହେଲେ ସେହି ଗାଁର ଜେନା ଲମତା, ସନ୍ତୋଷ କାଟିଆ ଓ ରାମଚନ୍ଦ୍ର। ପ୍ରଫୁଲ୍ଲ ସ୍ୱାଇଁଙ୍କ ଭଳି ଏମାନେ ବି ୧ ଲକ୍ଷ ଟଙ୍କା ଋଣ ନେଇଥିବା ଉଲ୍ଲେଖ ରହିଛି ତାଙ୍କ ଖାତାରେ । ଯାହା ବି ୠଣ ନେଇଥିଲେ ସେସବୁ ଶୁଝି ସାରିଥିଲେ ବି ୠଣ ବକେୟା ରହିଥିବା ଦର୍ଶାଯାଇଛି ଏବଂ ଜମା ଖାତା ସବୁ ଲ୍ୟାମ୍ପସରେ ରଖାଯାଇଛି ।

ଏଭଳି ଭାବେ କୁନ୍ଦୁରା ବ୍ଲକର ଝଡ଼ଙ୍ଗା ସମେତ ଦିଗାପୁର, ଲିମା, ସାଗରଗୁଡା ଆଦି ବହୁ ଗାଁର ଚାଷୀଙ୍କ ନାଁରେ ହୋଇଛି ଋଣ ଜାଲିଆତି । ଏ ସଂପର୍କରେ ସଂପୃକ୍ତ ଚାଷୀମାନେ କୁନ୍ଦୁରା ଲ୍ୟାମ୍ପସର ଦ୍ୱାରସ୍ଥ ହୋଇଥିଲେ ବି କେହି ଧରାଛୁଆଁ ଦେଉନାହାଁନ୍ତି କି ଥାକ ମରା ହୋଇ ରଖାଯାଇଥିବା ପାସବୁକ୍ ଗୁଡ଼ିକୁ ଫେରାଉ ନାହାଁନ୍ତି ।

ପୂର୍ବରୁ କୋରାପୁଟ ସମେତ ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ୫୫ଟି ଲ୍ୟାମ୍ପସରେ ଚାଷୀଙ୍କ ନାଁରେ ଏଭଳି ହରିଲୁଟ ଅଭିଯୋଗ ଉଠିଥିଲା । ଯାହାର ତଦନ୍ତ ରିପୋର୍ଟ ଏଯାଏଁ ଆସିନାହିଁ । ଏଭଳି ସ୍ଥିତିରେ ଏବେ ପୁଣି ଚାଷୀଙ୍କ ନାଁରେ ଋଣ ଜାଲିଆତି ମାମଲା ଚାଷୀଙ୍କୁ ଚିନ୍ତାରେ ପକାଇଛି।

ଏନେଇ ଚାଷୀମାନେ ଜୟପୁର କେସିସି ବ୍ୟାଙ୍କ ସଂପାଦକ ଓ ଡିଆରସିଏସଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। କେସିସି ବ୍ୟାଙ୍କ ସଭାପତି କହିଛନ୍ତି, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

କେବଳ ଅବିଭକ୍ତ କୋରାପୁଟ ଜିଲ୍ଲା ନୁହେଁ । ବାଲେଶ୍ୱର ଜିଲ୍ଲାର ଭୋଗରାଇ ଏବଂ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ ବି ଆସିଛି ଏଭଳି ଜାଲିଆତି ଅଭିଯୋଗ । ସରକାରଙ୍କ ତରଫରୁ କୃଷ୍ଣପ୍ରସାଦ ବଜ୍ରକୋଟ ସମବାୟ ସମିତିର ନୀଳମଣି ଦଳାଇ ନାମକ ଜଣେ ଚାଷୀଙ୍କୁ ୩୨ ହଜାର ୯୨୭ ଟଙ୍କାର ବୀମାରାଶି ଆସିଥିଲେ ବି ଦିଆଯାଇଛି ମାତ୍ର ୧୫ ହଜାର ଟଙ୍କା । ସେହିପରି ୨୦୧୫ରେ ଆସିଥିବା ସମ୍ପୂର୍ଣ୍ଣ ବୋନସ ରାଶିକୁ ଏଯାଏଁ ପ୍ରଦାନ କରିନାହାଁନ୍ତି ଭୋଗରାଇ ବ୍ଲକ ମହାଗବ ସମବାୟ ସମିତିର ତତ୍କାଳୀନ ସମ୍ପାଦକ ।

ସମବାୟ ବ୍ୟାଙ୍କ ଗୁଡ଼ିକରେ ଋଣ ନାଁରେ ଏଭଳି ଚଞ୍ଚକତା ଏବେ ପଦାରେ ପଡ଼ିଥିବାବେଳେ ଆଗକୁ କି ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ତାକୁ ଅପେକ୍ଷା ।