• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀରେ ଗର୍ଜିଲେ ୧୦ ହଜାରରୁ ଅଧିକ ବନବାସୀ । ପାରମ୍ପରିକ ବେଶଭୂଷା, ଅସ୍ତ୍ରଶସ୍ତ୍ର ଧରି ଶକ୍ତି ପ୍ରଦର୍ଶନ କଲେ । ତାସହିତ ଧର୍ମାନ୍ତରିତ ବନବାସୀଙ୍କୁ ଜନଜାତି ସଂରକ୍ଷଣରୁ ବାଦ୍ ଦେବାକୁ ଦାବି କରିଛନ୍ତି । ଏପଟେ ଜନଜାତିଙ୍କ ସମାବେଶକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ଗଞ୍ଜାମ ଖେମୁଣ୍ଡିଖୋଲରୁ ଆସିଥିବା ବନବାସୀ ନରସିଂହ ମଣ୍ଡଳ । ଧର୍ମ ପରିବର୍ତ୍ତନ ପରେ ବି ଜନଜାତି କୋଟାର ଫାଇଦା ନେଉଥିବା ବ୍ୟକ୍ତିଙ୍କୁ ଜନଜାତି ସଂରକ୍ଷଣରୁ ବାଦ୍ ନ ଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ନରସିଂହ । କେବଳ ନରସିଂହ ନୁହନ୍ତି, ଧର୍ମ ବଦଳାଇଥିବା ଜନଜାତିଙ୍କୁ ସଂରକ୍ଷଣରୁ ବାଦ୍ ଦେବା ଦାବିରେ ଆଜି ରାଜଧାନୀ ରାଜରାସ୍ତାରେ ରଣ ହୁଙ୍କାର ଦେଇଛନ୍ତି ୬୨ ଜନଜାତି ସମ୍ପ୍ରଦାୟର ୧୦ ହଜାରରୁ ଅଧିକ ବନବାସୀ ।

ପାରମ୍ପରିକ ଜନଜାତି ବେଶଭୂଷା ଓ ଅସ୍ତ୍ରଶସ୍ତ୍ର ଧରି ରାମ ମନ୍ଦିର, ସହିଦ ନଗର ଓ ନୟାପଲ୍ଲୀ ପଟୁ ବିଶାଳ ଶୋଭାଯାତ୍ରା କରି ଆସିଥିଲେ । ଜନତା ମଇଦାନରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜିତ ବିଶାଳ ସମାବେଶରେ ଏକାଠି ହୋଇଥିଲେ ସମସ୍ତେ । ଏମିତିକି ଜନଜାତିଙ୍କ ଏ ବିଶାଳ ରାଲିରେ ସାମିଲ ହୋଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

ବନବାସୀଙ୍କ ଅଭିଯୋଗ ହେଲା, ରାଜ୍ୟରେ ଧର୍ମାନ୍ତୀକରଣ ବଢ଼ିଚାଲିଛି । ଅନ୍ୟ ଧର୍ମ ଗ୍ରହଣ ପରେ କିନ୍ତୁ ସେମାନେ ଉଭୟ ସଂଖ୍ୟାଲଘୁ ଓ ଜନଜାତି କୋଟାର ଫାଇଦା ଉଠାଉଛନ୍ତି । ସରକାର ସମ୍ବିଧାନ ଧାରା ୩୪୨ରେ ସଂଶୋଧନ ଆଣି ଏଭଳି ବ୍ୟକ୍ତିଙ୍କୁ ଜନଜାତି ସଂରକ୍ଷଣରୁ ବାଦ୍ ଦେବାକୁ ଦାବି ହୋଇଛି । ସାଧାରଣ ନିର୍ବାଚନକୁ ଆଉ ମାତ୍ର ବର୍ଷେ ସମୟ ଥିବା ବେଳେ ଜନଜାତି ସମାବେଶକୁ ନେଇ ତେଜିଛି ରାଜନୀତି । ଟ୍ରାଇବାଲ୍ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ କସରତ ଆରମ୍ଭ କରିଛନ୍ତି ପ୍ରମୁଖ ରାଜନୈତିକ ଦଳ ।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ପ୍ରଭାତ ଓ ପ୍ରଶାନ୍ତଙ୍କ ସହ ଜଗଦୀଶ ଦାସ ଓ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି