• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାସୁଦେବପୁର(କିରୀଟି ଦାସ) : ଓଡ଼ିଶାରେ କାଶ୍ମୀର ରେଡ ବେରୀ ଚାଷ । ଯୁଗ ବଦଳିବା ସଙ୍ଗେ ସଙ୍ଗେ ବଦଳିଛି ଚାଷ କରିବାର ଜ୍ଞାନ କୌଶଳ । କାଶ୍ମୀର ନାମିଦାମୀ ଫଳ ଚାଷ ଏବେ ଗାଁ ମାଟିରେ ହେଉଛି । କଠିନ ପରିଶ୍ରମ ବଳରେ ନିଜ ଫାର୍ମରେ ଥାଇ କାଶ୍ମୀର ରେଡ ବେରୀ ଫଳାଇଛନ୍ତି ଭଦ୍ରକର ଉପେନ୍ଦ୍ର ବିଶ୍ୱାଳ । କେବଳ ସେତିକି ନୁହଁ ଅନ୍ୟ ଫଳ ଚାଷ ସହିତ ମାଛ, ପରିବା, କୁକୁଡା ମଧ୍ୟ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରୀ ପଛରେ ନଦୌଡି ନିଜ ବାଡିରେ ଚାଷ କରି ପରିବାର ଚଳାଇବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଚାଷରୁ ନିଜେ ଭଲ ଦୁଇପଇସା ରୋଜଗାର କରିବା ସହ ଅନ୍ୟକୁ ମଧ୍ୟ ରୋଜଗାର ଦେଇ ପାରିଛନ୍ତି ।

ବାସୁଦେବପୁର ବ୍ଲକ ବାସୁଦେବପୁର ଆରୁହା ପଞ୍ଚାୟତ ତୁଳମତୁଳା ଗାଁର ଉଚ୍ଚ ଶିକ୍ଷିତ ଯୁବକ ଉପେନ୍ଦ୍ର ବିଶ୍ୱାଳ । ୧୯୯୭ରେ ଇତିହାସ ସମ୍ମାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଅଧ୍ୟାପକ ହେବା ପାଇଁ ସୁଯୋଗ ମଧ୍ୟ ପାଇଥିଲେ । ହେଲେ ଏହି ଅଧ୍ୟାପକ ଚାକିରୀ ପାଇଁ ହାତଗୁଞ୍ଜା ଟଙ୍କା ଦେବାକୁ କୁହାଯିବାରୁ ସ୍ୱାଭିମାନୀ ଉପେନ୍ଦ୍ର ଚାକିରି ମୋହ ଛାଡି ଘରକୁ ଫେରି ଆସିଥିଲେ । ଘରେ କିଛିଦିନ ବସିବା ପରେ ନିଜେ ସ୍ୱାଧୀନ ଭାବେ କିଛି କରିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରଥମେ ସରକାରୀ ପୋଖରୀକୁ ଲିଜ ସୁତ୍ରରେ ନେଇ ମାଛ ଚାଷ ଆରମ୍ଭ କରିଥିଲେ । ୨୦୦୫ ମସିହାରେ ସ୍ଥାନୀୟ ଏକ ଟ୍ରଷ୍ଟ ଅଧୀନରେ ଥିବା ୭ ଏକର ଜମିକୁ ଲିଜରେ ନେଇଥିଲେ । ଆଉ ଏହି ଜମିରେ ମାଛ, ପନି ପରିବା, ହଳଦୀ, କୁକୁଡା ଓ ଗାଈ ଚାଷ ଆରମ୍ଭ କଲେ । ଏଥରୁ ଭଲ ଲାଭ ପାଇବା ସହ ଆଉ କିଛି ନୂଆ ଚାଷ କରିବାର ଯୋଜନା କଲେ ।

ଦିନେ ଉପେନ୍ଦ୍ରଙ୍କ ସ୍ତ୍ରୀ ପ୍ରଜ୍ଞା ଫେସବୁକରୁ ଥାଇ କାଶ୍ମୀର ରେଡ ଆପଲ ବେରୀ ଫଳଚାଷ ଦେଖି ଆଗ୍ରହ ପ୍ରକାଶ କରିଥିଲେ । ଆଉ ଏ ସମ୍ପର୍କରେ ତାଙ୍କ ସ୍ୱାମୀ ଉପେନ୍ଦ୍ରଙ୍କୁ କହିଥିଲେ । ଉଭୟେ ସ୍ୱାମୀ ସ୍ତ୍ରୀ ମିଳିତ ଭାବେ ଏହି ନିଆରା ବରକୋଳିକୁ ଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ରେଡ ବେରୀ ଚାଷ ସମ୍ପର୍କରେ ୟୁଟ୍ୟୁବରୁ ଆହୁରି ଅଧିକ ଦେଖି ନିଜେ ଫଳ ଚାଷ କରିବାକୁ ଯୋଜନା କରିଥିଲେ । କୋଲକାତା ଯାଇ ୪ଟି କିସମର ୨୦୦ଚାରା ସଂଗ୍ରହ କରିଥିଲେ । ନିଜ କ୍ଷେତରେ ଏହି ରେଡ ବେରୀ ଚାରା ଲଗାଇଥିଲେ । ଗତ ଏପ୍ରିଲ ୨୨ ରେ ଚାରା ଲାଗାଇଥିଲେ ।

ବିନା ସାରରେ କେବଳ ଜୈବିକ ପଦ୍ଧତିରେ ଚାଷ କରାଯାଇଥିବା ଏହି ଗଛରେ ଜୁଲାଇରେ ଫୁଲ ଆସିଥିଲା । ଆଉ ଏବେ ସବୁ ଗଛରେ ଏବେ ଫଳ  ଭର୍ତ୍ତି ହୋଇଯାଇଛି । ଥାକ ଥାକ ହୋଇ ଓହଳିଛି ରେଡ ବେରୀ ଆପଲ କୋଳି । ସୁଆଦିଆ ଏହି କୋଳିର ବଜାରରେ ଚାହିଦା ମଧ୍ୟ ରହିଛି । କିଲୋ ପ୍ରତି ୧୦୦ଟଙ୍କାରେ ବିକ୍ରି କରୁଥିବା କହିଛନ୍ତି ଉପେନ୍ଦ୍ର । କାଶ୍ମୀର କୋଳି ଚାଷ ଦେଖିବାକୁ ଦେଖଣାହାରୀଙ୍କ ଭିଡ ଲାଗୁଛି ଉପେନ୍ଦ୍ରଙ୍କ ଫାର୍ମରେ ।

ଉଚ୍ଚ ଶିକ୍ଷକ ଯୁବକ ଉପେନ୍ଦ୍ର ଚାଷକୁ ନିଶା କରି ରୋଜଗାର କରୁଥିବା ବେଳେ ଏଥିରେ ନିୟୋଜିତ କେତେକ ପରିବାରକୁ ମୂଲ ମଜୁରୀ ଦେଇ ସାହାରା ଯୋଗାଇଛନ୍ତି । ଚାକିରି ଛାଡି ସ୍ୱାଭିମାନର ସହ ବଞ୍ଚିବାକୁ ନିଷ୍ପତ୍ତି ନେଇଥିବା ଉପେନ୍ଦ୍ର ଚାଷରୁ ପାଇଛନ୍ତି ରୋଜଗାର ସହ ପ୍ରଶଂସା ।