• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାଜା ଚାଲିଗଲେ ପ୍ରଜାଙ୍କୁ ଦୁଃଖ ଦେଇ। ଏବେ ଏମିତି କିଛି କହୁଛନ୍ତି ଲୋକେ। ହଠାତ୍‌ କିଛି ବୁଝିପାରୁନଥିବେ। ଆଉ ଭାବୁଥିବେ ରାଜା କିଏ? କୋଉ ପ୍ରଜାଙ୍କୁ ଦୁଃଖ ଦେଇଗଲେ? କଣ ଥିଲା ପୂରା ଘଟଣା? ରାଜତନ୍ତ୍ର ବେଳେ କିଛି ଏମିତି କାମ ହୋଇଛି ଯାହାକୁ ନେଇ ଗଣତନ୍ତ୍ର ପ୍ରତିଷ୍ଠା ହେବା ପରେ ବି ସମସ୍ୟା ଭୋଗୁଛନ୍ତି ଶହଶହ ଲୋକ।

ଦାଦନଠାରୁ ବଳିଗଲାଣି ମୌଳିକ ସୁବିଧା ପାଇବାର ଦୁଃଖ। ଏମିତି ଦୁର୍ଦ୍ଦଶାର ସାମ୍ନା କରୁଛନ୍ତି ଲୋକ ଯାହାକୁ ନଦେଖିଲେ ବିଶ୍ୱାସ ହେବନି। ଜୟପୁରର ମହାରାଜା ମାମୁଁ ହୋଇ ସେହି ସମୟରେ କାଶୀପୁର ରାଜାଙ୍କୁ ଦାନ ଆକାରରେ ଗମ୍ଭାରୀଗୁଡା ଗାଁକୁ ଦାନ କରିଥିଲେ। ମହାରାଜ ଯେବେ କାଶୀପୁର ଯାଉଥିଲେ ସେବେ ଦାନ ଗାଁରେ ବିଶ୍ରାମ ପାଇଁ ରହୁଥିଲେ। ହେଲେ ଦିନ ବଦଳିଛି କିନ୍ତୁ ଏଇ ଗାଁ ଲୋକଙ୍କ ଦୁର୍ଦ୍ଦଶା କମିବାରେ ନା ନେଉନି।

ଅଧିକ ପଢ଼ନ୍ତୁ: ଭୋଟ୍ ମାଗି ଆସିଲେ, ମାଡ଼ ଖାଇବେ ନେତା ! ମୌଳିକ ସୁବିଧା ମିଳୁ ନଥିବାରୁ ତାତିକି ଅଛନ୍ତି କେତକିଝର ଗାଁ ଲୋକ

ରାଜତନ୍ତ୍ର ପରେ ରାୟଗଡା ଜିଲ୍ଲା ରେ ରହିଯାଇଛି କାଶୀପୁର । ତେଣୁ ସରକାରୀ ସୁବିଧା ପାଇବାକୁ ହେଲେ ୪୦ କିମି ଦୂରରେ ଥିବା କୁଚେଇପଦର ପଂଚାୟତକୁ ଯିବାକୁ ପଡୁଛି ସ୍ଥାନୀୟ ଲୋକଙ୍କୁ। ଯେଉଁଥି ଲାଗି ତାଙ୍କୁ ଖର୍ଚ୍ଚ କରିବାକୁ ପଡୁଛି ଶହଶହ ଟଙ୍କା।  ଗମ୍ଭାରୀଗୁଡା ଗାଁ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତରେ ରହିଥିବାବେଳେ ଏହାକୁ କେରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଦଶମନ୍ତପୁର ପଞ୍ଚାୟତ ଅଧୀନରେ ମିଶାଯିବା ନେଇ ସଂସଦରେ ଅଣତାରକା ପ୍ରଶ୍ନ ବି କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା।

ସୂଚନା ଅନୁସାରେ, ଏହି ଗାଁ କୋରାପୁଟ ଜିଲ୍ଲା ର ଦଶମନ୍ତପୁର ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଥିବା ବେଳେ ପ୍ରାୟ ୭୦ ବିପିଏଲ ପରିବାର ରହୁଛନ୍ତି। ସ୍ୱାଧୀନତାର ୭୫ ବର୍ଷ ହେଲାଣି କିନ୍ତୁ ମୌଳିକ ସୁବିଧା ପାଇବାରୁ ଏମାନେ ବଞ୍ଚିତ ହେଉଛନ୍ତି।

ବାରମ୍ବାର ଦାବି ପରେ ଏଇ ଗାଁ ଲୋକଙ୍କ କଥା ଶୁଣୁନି ପ୍ରଶାସନ। ସରକାରୀ ସୁବିଧା ପାଇବାକୁ ପଂଚାୟତ ମୁଖ୍ୟାଳୟକୁ ଯିବାକୁ ହେଲେ ଶହଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାରୁ ସହାୟତା ନପାଇବୁ ନାହିଁ ଏତେ ଟଙ୍କା ଖର୍ଚ୍ଚ କରିବୁ ନାହିଁ ବୋଲି ରୋକ୍‌ଠୋକ୍‌ କହୁଛନ୍ତି ଗାଁ ଲୋକେ। ଖାଲି ଏତିକି ନୁହେଁ ବରଂ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭୋଟ୍‌ ବର୍ଜନ କରିବା ନେଇ ଚେତାଇ ଦେଇଛନ୍ତି ସ୍ଥାନୀୟବାସୀ।

ଲୋକଙ୍କ ସୁବିଧା ଲାଗି ମାଳମାଳ ଯୋଜନା କରୁଛନ୍ତି ସରକାର। ହେଲେ ରାଜ୍ୟର ଇଏ ଏମିତି ଏକ ଗାଁ ଯେଉଁଠିକାର ଲୋକ ସରକାରୀ ସୁବିଧା ପାଇବାକୁ ଖର୍ଚ୍ଚ କରୁଛନ୍ତି ଶହଶହ ଟଙ୍କା। ତେବେ ସମୟ କହିବ କେବେ ଏଇ ଗାଁ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି ସରକାର ।

(କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ)