• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାଲେଣ୍ଟାଇନ ୱିକରେ ଭିଲେନ୍ ସାଜିଲା ପ୍ରେମିକ । ଦିଲ୍ଲୀରେ ଚର୍ଚ୍ଚିତ ଶ୍ରଦ୍ଧା ୱାକର୍ ହତ୍ୟା ମାମଲା ର ହେଲା ପୁନରାବୃତ୍ତି । ସେଠି ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା ଅଭିଯୁକ୍ତ ଅଫତାବ ପୁନାୱାଲା । ଆଉ ଏବେ ସାମ୍ନାକୁ ଆସିଥିବା ନିକ୍କି ଯାଦବ ହତ୍ୟାକାଣ୍ଡରେ ପ୍ରେମିକା ଅର୍ଥାତ୍ ନିକ୍କିକୁ ମାରି ଫ୍ରିଜରେ ଭର୍ତ୍ତି କରିଛି ସୈତାନ ପ୍ରେମିକ ସାହିଲ ଗେହଲଟ୍ ।

କଥା ଏତିକିରେ ସରିନି, ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ସାହିଲ ଆଉ ଜଣେ ଯୁବତୀଙ୍କୁ ବେଦୀରେ ବସି ବିବାହ କରିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେଣେ ମହାରାଷ୍ଟ୍ରରେ ବି ଜଣେ ଯୁବତୀଙ୍କୁ ମାରି ବେଡ୍ ବକ୍ସରେ ଲୁଚାଇ ଦେଇଥିବା ଲିଭ୍ଇନ୍ ପାର୍ଟନର ଧରାପଡ଼ିଛି ।

ଅଧିକ ପଢ଼ନ୍ତୁ: କାଳ ହେଲା ପ୍ରେମିକାକୁ ଦେଖା କରିବା ! ମିଳିଲା ଖପୁରୀ ହାଡ଼

ଲଭ୍ ଓ ଲିଭ୍ଇନ ପରେ, ପୁଣି ସୈତାନ ସାଜିଲା ପ୍ରେମିକ । ଭାଲେଣ୍ଟାଇନ୍ସ ଡେ'ରେ ସାମ୍ନାକୁ ଆସିଲା, ଦିଲ୍ଲୀ ଫ୍ରିଜ୍ ହରର୍- ପାର୍ଟ ଟୁ । ରାତିରେ ପ୍ରେମିକାକୁ ମାରି, ପରଦିନ ଆଉ ଜଣଙ୍କୁ ବାହା ହେଲା ହତ୍ୟାକାରୀ ।

ଭାଲେଣ୍ଟାଇନ୍ସ ଡେ' ଦିନ ଜଣେ ଯୁବତୀଙ୍କ ମୃତଦେହ ଜବତ କରିଛି ପୋଲିସ । ତାଙ୍କ ନାଁ ନିକ୍କି ଯାଦବ। ତଦନ୍ତରୁ ଜଣାପଡ଼ିଛି, ନିକ୍କିଙ୍କ ବୟଫ୍ରେଣ୍ଡ୍ ତଥା ଢାବା ମାଲିକ ସାହିଲ ଗେହଲଟ୍ ହିଁ ଘଟାଇଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ପୋଲିସ ଜାଣିବାକୁ ପାଇଛି ଯେ, ଫେବୃଆରୀ ୯-୧୦ ରାତିରେ କାର୍ ଭିତରେ ନିକ୍କିଙ୍କୁ ହତ୍ୟା କରିଛି ସାହିଲ ।

ତାପୁଣି ମୋବାଇଲ୍ ଫୋନ୍ ଡାଟା କେବୁଲ ବ୍ୟବହାର କରି । ହତ୍ୟାକାଣ୍ଡର ୪ ଦିନ ପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ନିକ୍କିଙ୍କ ମୋବାଇଲ୍ ଫୋନକୁ ଟ୍ରାକ୍ କରି ଢାବା ଫ୍ରିଜ୍ ଭିତରୁ ତାଙ୍କ ମୃତଦେହ ଜବତ କରିଛି । ଏଥିସହ ସାହିଲକୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇଛି । ସାହିଲ ସବୁସତ ମାନିଯାଇଥିବା ସୂଚନା ମିଳିଛି । ଢାବାକୁ ସିଲ୍ କରାଯିବା ସହିତ, ହତ୍ୟାକାଣ୍ଡ ଘଟିଥିବା ଭର୍ନା କାର୍ ବି ଜବତ ହୋଇଛି। ତେଣେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡର କିଛି ସମୟ ପୂର୍ବରୁ ନିକ୍କିଙ୍କ ଭଡ଼ଘରର ଏକାଧିକ ସିସିଟିଭି ଫୁଟେଜ୍ ।

ସୂଚନା ଅନୁସାରେ, ହରିୟାଣା ଝଜ୍ଜରର ୨୩ ବର୍ଷୀୟା ନିକ୍କି ଯାଦବ ଏବଂ ଦିଲ୍ଲୀ ନଜଫଗଡ଼ର ୨୬ ବର୍ଷୀୟ ଫାର୍ମା ଗ୍ରାଜୁଏଟ୍ ସାହିଲ ଗେହଲଟ ଲିଭ୍ଇନରେ ରହୁଥିଲେ । ଏସବୁ ସତ୍ତ୍ୱେ ପରିବାରର ଚାପରେ ଆଉ ଜଣେ ଝିଅକୁ ବାହା ହେବାକୁ ରାଜି ହୋଇଥିଲେ ସାହିଲ । ଫେବୃଆରୀ ୯ରେ ନିର୍ବନ୍ଧ ବି ସରିଥିଲା । ହେଲେ ୧୦ରେ ବିବାହ ପୂର୍ବରୁ ଏକଥା ନିକ୍କି ଜାଣିପାରିବାରୁ ସାହିଲଙ୍କ ସହ ପ୍ରବଳ ଝଗଡ଼ା ହୋଇଥିଲା ।

ସାହିଲ ଏକଥା ଅସ୍ୱୀକାର କରିବା ସହିତ, ନିକ୍କିଙ୍କୁ କାରରେ ଧରି ବୁଲିବାକୁ ବାହାରିଥିଲା । କାଶ୍ମିର ଗେଟ୍ ବସ୍ ଟର୍ମିନାଲ ନିକଟରେ ପୁଣି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବଢ଼ିବାରୁ, ସେହି କାର୍ ଭିତରେ ହିଁ ମୋବାଇଲ ଡାଟା କେବୁଲରେ ତଣ୍ଟିଚିପି ନିକ୍କିକୁ ହତ୍ୟା କରିଥିଲା ସାହିଲ । ଏହାପରେ କଣ କରିବ ସ୍ଥିର କରିନପାରି, ଦିଲ୍ଲୀ ସଡ଼କରେ ପ୍ରାୟ ୪୦ କିଲୋମିଟର ବୁଲିଥିଲା ।

ସେତେବେଳେ ସାହିଲ ଗାଡ଼ି ଚଳାଉଥିଲା, ଆଉ ଆଗ ସିଟରେ ଥିଲା ନିକ୍କିର ଲାଶ୍ । ଏହାପରେ ନଜଫଗଡ଼ରେ ବନ୍ଦ ଥିବା ନିଜର ଢାବାକୁ ନେଇ ସେଠାରେ ଅଚଳ ପଡ଼ିଥିବା ଏକ ଫ୍ରିଜ ଭିତରେ ତାକୁ ଲୁଚାଇ ଦେଇଥିଲା । ରାତିରେ ଘରକୁ ଫେରିଆସି, ତା ପରଦିନ ବେଦୀରେ ଧରିଥିଲା ଆଉ ଜଣେ ଝିଅଙ୍କ ହାତ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ, ସାହିଲକୁ ଫାଶିଖୁଣ୍ଟରେ ଝୁଲାଇବାକୁ ଦାବି କରିଛନ୍ତି ନିକ୍କିଙ୍କ ପରିବାର।

ତେଣେ ମହାରାଷ୍ଟ୍ର ପାଲ୍ଘରରେ ଘଟିଛି ଆଉ ଏକ ଚାଞ୍ଚଲ୍ୟକର ଘଟଣା । ପ୍ରେମିକାକୁ ହତ୍ୟା କରି ବେଡ୍ ବକ୍ସ ଭିତରେ ଲୁଚାଇ ଦେଇଥିଲା ଲିଭ୍ଇନ୍ ପାର୍ଟନର । ୩୭ ବର୍ଷୀୟା ମେଘା ଜଣେ ନର୍ସ ଏବଂ ସେ ୬ ମାସ ହେଲା ୨୭ ବର୍ଷୀୟ ହାର୍ଦ୍ଦିକ ଶାହ ସହିତ ଭଡ଼ାଘରେ ଏକାଠି ରହୁଥିଲେ ।

ହାର୍ଦ୍ଦିକର କୌଣସି ରୋଜଗାର ନଥିବାରୁ ମେଘା ଏକାକୀ ଘରଖର୍ଚ୍ଚ ଉଠାଉଥିଲେ ଏବଂ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା । ଯାହାର ପରିଣତି, ମେଘାଙ୍କ ଗଳିତ ମୃତଦେହ ପଲଙ୍କର ବାକ୍ସରୁ ମିଳିଥିବା ବେଳେ, ହାର୍ଦ୍ଦିକ ଟ୍ରେନରେ ଖସି ପଳାଉଥିବା ବେଳେ ମଧ୍ୟପ୍ରଦେଶରୁ ଗିରଫ ହୋଇଛି ।