• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସମୟ ଓ ପରିସ୍ଥିତିରେ ପଡ଼ି ପାଲଟିଯାଇଥିଲେ ଅପରାଧୀ । ଚରିତ୍ରରେ ଲାଗିଯାଇଥିଲା ଅପରାଧୀର ଟ୍ୟାଗ୍‌ । ହେଲେ ଜେଲ୍‌ ଦେଇଛି ନୂଆ ପରିଚୟ । ଜେଲର ୪ କାନ୍ଥ ଭିତରେ ଦେଢବର୍ଷ ଅତିବାହିତ କରିବା ପରେ ବିଚାରାଧୀନ କଏଦୀ କହିଛନ୍ତି ମନର କଥା । ଭାଙ୍ଗି ନଯାଇ ଜିତିବା ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି । ଆଉ ବନିଯାଇଛନ୍ତି ଜେଲ୍‌ ଆର୍‌ ଜେ ବା ଜେଲ୍‌ ରେଡିଓ ଜକି । ଏହା ହେଉଛି ଝାରପଡା ଜେଲ୍‌ର ବିଚାରଧୀନ କଏଦୀଙ୍କ କଥା ।

ଗୋପାଳ । ଏକ ସଙ୍ଗୀନ ମାମଲାରେ ଛନ୍ଦି ହୋଇ ଜେଲ୍‌କୁ ଆସିଥିଲେ । ହେଲେ ଗୋପାଳ ଆଜି ଜେଲ୍‌ରେ ବନିଯାଇଛନ୍ତି ଆର.ଜେ ଗୋପାଳ । ଜେଲ୍‌ର କମ୍ୟୁନିଟି ରେଡିଓ ୟୁନିଟ୍‌ରେ ଜଣେ ଜଣାଶୁଣା ଆଙ୍କର । ଖାଲି ଆଙ୍କର ନୁହେଁ ବରଂ ଜଣେ ଭଲ ଷ୍ଟୋରୀ ଟେଲର ହୋଇପାରିଛନ୍ତି ।

ଠିକ୍‌ ସେହିପରି ଆଉ ଜଣେ କଏଦୀ ହେଉଛନ୍ତି ତୁଷାର । ରେଡିଓ ଜକିର ସେଟ୍‌ରେ ତୁଷାର କହୁଛି ଅନର୍ଗଳ କଥା...ଯିଏ ଶୁଣୁଛି ସେ ବାରମ୍ବାର ଶୁଣିବାକୁ ଇଚ୍ଛା କରୁଛି । ଦିନେ ଏକ ହତ୍ୟା ମାମଲାରେ ପରିସ୍ଥିତି ଓ ସମୟର ଦାସ ହୋଇ ଜେଲ୍‌କୁ ଆସିଥିଲେ । ହେଲେ ସମୟ ବଦଳିଛି, ତୁଷାର ବି ବଦଳିଛନ୍ତି । ଆଉ ବଞ୍ଚିବାର ପାଇଛନ୍ତି ନୂଆ ବାଟ । ତୁଷାର କେବଳ ଭଲ ଆଙ୍କରିଂ କରନ୍ତି ତାହା ନୁହେଁ ବରଂ ଜଣେ କୋରିଓଗ୍ରାଫର ହୋଇପାରିଛନ୍ତି । ଏବେ ଜେଲର ଅନ୍ତୋବାସୀଙ୍କୁ ବି ସେ ଶିଖାଉଛନ୍ତି ମର୍ଡନ ଡ୍ୟାନ୍ସ ।

ଜେଲ୍‌ରେ ରହୁଥିବା ବେଳେ ମାନସିକ ଚାପରୁ ଓହରିବା ସହ ମୁଖ୍ୟ ସ୍ରୋତରେ କେମିତି ନିଜକୁ ସାମିଲ କରିବେ ଏବଂ ଜେଲରୁ ବାହାରି କେମିତି ଦୁଇ ପଇସା ରୋଜଗାର କରିବେ ତାହା ଜେଲ୍ କର୍ତ୍ତୃପକ୍ଷଙ୍କ ଲାଗି ଏବେ ବଡ଼ ଚିନ୍ତା । ସେଥିପାଇଁ ଜେଲ୍ ଭିତରେ ନିଜେ କେମିତି କଏଦୀମାନେ ଦକ୍ଷତା ବିକାଶ କରିପାରିବେ ସେନେଇ ଦିଆଯାଉଛି ସ୍ୱତନ୍ତ୍ର ତାଲିମ୍ ।

କଏଦୀଙ୍କୁ ମିଳୁଛି କେଉଁ ତାଲିମ୍ ?

ମାଛ ଚାଷ , ବଗିଚା କରିବା, ଫୁଡ୍‌ ପ୍ରସେସିଂ ୟୁନିଟ୍‌, ହସ୍ପିଟାଲ ଆଟେଣ୍ଡାଣ୍ଟ ଟ୍ରେନିଂ ଭଳି ଦକ୍ଷତା ବିକାଶ ତାଲିମ ନେଉଛନ୍ତି କଏଦୀ । ଝାରପଡା ଜେଲ୍‌ରେ ୧୨୮୫ କଏଦୀ ଥିବା ବେଳେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ରହିଛି ୧୨୦୬ ଏବଂ କଏଦୀ ହେଉଛନ୍ତି ୭୯ । ଇଏ ତ ଥିଲା ଏ ଦୁଇଜଣଙ୍କର କାହାଣୀ । ହେଲେ ଏଭଳି ଅନେକ କଏଦୀ ଏବେ ଭିନ୍ନଭିନ୍ନ ଶୈଳୀରେ ନିଜକୁ ପରିବର୍ତ୍ତନର ଡୋରରେ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି ..ତେବେ ଦକ୍ଷତା ବିକାଶର ଏହି ଢାଂଚା ଜେଲର ଅନ୍ତେବାସୀଙ୍କୁ କେତେ ସ୍ୱାବଲମ୍ବୀ କରାଇପାରୁଛି ତାହା ସମୟ କହିବ ।

 

  • Reported by:
  • ALOK MOHANTY