/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691077496.jpg)
ଆସୁଛନ୍ତି ଅମିତ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଚାନକ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା। କାଲିଠାରୁ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଷ୍ଟେଜ୍ ସେୟାର କରିବେ। ତେବେ ନିକଟରେ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍ କୁ ସମର୍ଥନ ପରେ, ରାଜନୈତିକ ଦିଗରେ କୌଣସି ଆଲୋଚନା ହେବ ନାହିଁ ତ, ତାକୁ ନେଇ ଚର୍ଚ୍ଚା ହେଉଛି। ସେପଟେ ପାର୍ଟି ମୁଖ୍ୟାଳୟରେ ବି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ୨୪ ନିର୍ବାଚନ ଲାଗି ଶାହ ଦେବେ ଗୁରୁମନ୍ତ୍ର।
ଓଡ଼ିଶା ଆସୁଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହ। ସରକାରୀ କାର୍ଯ୍ୟକ୍ରମରେ ଏକାଠି ହେବେ ଶାହ-ନବୀନ। ସାଇଡ୍ ଲାଇନରେ କିଛି ରାଜନୈତିକ ଚର୍ଚ୍ଚା ହେବ କି ? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ରାତି ୧୦ଟା ୪୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଶନିବାର ଶାହଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି। ଏଠାରେ ସେ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ। ତାଛଡ଼ା ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା। ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ। ଯେଉଁଠି ଦଳୀୟ ସଂଗଠନର ସ୍ଥିତି ଓ ପୂର୍ବରୁ ଦିଆଯାଇଥିବା ଟାସ୍କ କେତେ ଦୂର କାର୍ଯ୍ୟକାରୀ ହୋଇଛି ସେ ସଂପର୍କରେ ସମୀକ୍ଷା କରିବେ ଶାହ।
୨୦୨୪ ସାଧାରଣ ନିର୍ବାଚନ ଉପରେ ଫୋକସ୍ କରି ଆଗାମୀ ଦିନରେ ବିଜେପିର ରୋଡମ୍ୟାପ୍ ନେଇ ବି ମାନସ ମନ୍ଥନ ହେବ। ଯାହାକୁ ନେଇ ଉତ୍ସାହିତ ପଦ୍ମ ଶିବିର। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଶାହଙ୍କ ମାଇକ୍ରୋ ମ୍ୟାନେଜମେଣ୍ଟ, ମାଇକ୍ରୋ ପ୍ଲାନିଂ ବେଶ୍ ଗୁରୁତ୍ବପୂର୍ଣ୍ଣ ତଥା ଉପାଦେୟ। ଏଠାରେ ୧୪୭ ବିଧାନସଭା ସିଟ୍ ଓ ୨୧ ଲୋକସଭା ଆସନ ପାଇଁ ବିଜେଡି ସହ ଲଢେଇ ହେବ। ବିଜେଡି କହିଛି ବିନା ମେଣ୍ଟରେ ବିଜେଡି ଅଧିକ ଲୋକସଭା ଓ ବିଧାନସଭା ସିଟ୍ ଜିତିବ। ଅନ୍ୟପକ୍ଷରେ ମୋଦି ସରକାରକୁ ବିଜେଡି ଦୁଇଟି ପ୍ରସଙ୍ଗରେ ସମର୍ଥନ ଦେବା ପରେ ଶାହ ବଧେଇ ଦେବାକୁ ଆସୁଥିବା କହି କଂଗ୍ରେସ କଟାକ୍ଷ କରିଛି।
ସଂଯୋଗବଶତଃ କେନ୍ଦ୍ର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍ କୁ ସମର୍ଥନ ଘୋଷଣା ପରେ ପରେ ଶାହ ଓଡ଼ିଶା ଆସୁଛନ୍ତି। ତେଣୁ ଚର୍ଚ୍ଚା, ହଠାତ ଶାହ ଓଡ଼ିଶା ଆସିବା ପଛରେ କାରଣ କଣ ? ଏମିତି କଣ ଅତି ଆବଶ୍ୟକ ପଡ଼ିଲା ଯେ, ଖୋଦ୍ ଶାହଙ୍କୁ ଆସିବାକୁ ପଡ଼ିଲା? ରାଜନୈତିକ ପ୍ରସଙ୍ଗରେ କିଛି ଆଲୋଚନା ହେବ କି ? ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଶାହଙ୍କ ଏହି ଗସ୍ତ ବିଜେପି ପାଇଁ କେତେ ସହାୟକ ହେବ ତାଉପରେ ନଜର ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)