• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବର୍ଷା ଆଣିଲା ବିପତ୍ତି । ଉଜାଡିଦେଇଛି ଚାଷୀର ସୁନାର ଫସଲ । କେଉଁଠି ତଳି ପଡିଥିବା ଧାନ ବିଲରେ ପାଣି ପଶି ଫସଲ ଧୋଇ ଯାଇଛି ତ କେଉଁଠି ବେକେ ପାଣିରେ ବୁଡି ରହିଛି ପନିପରିବା ଫସଲ । ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟା ଜଳ। ଆଖି ଆଗରେ ଫସଲ ଉଜୁଡୁଥିବା ଦେଖି ଚାଷୀଙ୍କୁ ଘାରିଛି ଋଣ ସୁଝିବା ଚିନ୍ତା ।

ନିଆଳିରେ ଦି ଦିନ ତଳେ ଶୁଖିଲା ପଡିଥିବା ବିଲରେ ଏବେ ଅଣ୍ଟାଏ ପାଣି । ଆଉ ସେହି ପାଣିରେ ବୁଡିଛି ଚାଷୀର ଫସଲ, ଚାଷୀ ରୋଇଥିବା ସ୍ୱପ୍ନ। ଏକର ଏକର ଜମିରେ ମାଡିଯାଇଛି ପାଣି । କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ । ହେକ୍ଟର ହେକ୍ଟର ଧାନ ଫସଲ ଧୋଇବାକୁ ବସିଛି । ତଳି ପକାଇ ବର୍ଷାକୁ ଅନାଇ ରହିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇଛି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ ତୁରିନ୍ତିରା, ପମ୍ଫାଲୋ, କୁରୁଞ୍ଜିପୁର, ରାଜସ ଓ ସୋମଣା ପଂଚାୟତରେ ଧାନ ଗଛ ପଚି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।

ଆଠଗଡ଼ରେ ବେକେ ପାଣିରେ ବୁଡି ରହିଛି ପରିବା ଫସଲ । ଆଠଗଡ଼ର ପରିବା ଅଂଚଳ ଭାବେ ପରିଚିତ ବାଲି ସାହି ଗାଁରେ ପଶିଛି ମହାନଦୀର ପଛୁଆ ଜଳ ଓ ସାପୁଆ ନଈର ବନ୍ୟାଜଳ । ଧାର କରଜ କରି ଚାଷୀ ଲଗାଇଥିବା ପରିବା ଫସଲକୁ ଉଜାଡ଼ି ଦେଇଛି ବନ୍ୟା ପାଣି। ପୋଟଳ, ଭେଣ୍ଡି, ଜହ୍ନି, କଲରା, ବାଇଗଣ, ଝୁଡଙ୍ଗ ଭଳି ପରିବା ଚାଷ ନଷ୍ଟ ହୋଇଯାଇଛି । ଏସବୁ ପରିବାକୁ ଆହୁରି ଦେଢ ଦୁଇ ମାସ ପରେ ତୋଳିଥାନ୍ତା ଚାଷୀ, ଭଲ ଲାଭ ମିଳିଥାନ୍ତା । ଏବେ କ୍ଷତି ହେଲେ ବି ବଢିପାଣିକୁ ଦେଖି ତରତର ହୋଇ ଆଗୁଆ ତୋଳିଦେଇଛି ।

କଟକ ଜିଲ୍ଲା ବଡମ୍ବା ବ୍ଳକର କଣ୍ଢା, ବିଶୋନାଥପୁର ଓ ବାଙ୍ଗେରିସିଂହା ଭଳି ନଦୀ କୂଳିଆ ଗାଁରେ ମହାନଦୀର ବନ୍ୟାଜଳ ମାଡି ଯାଇଛି । ଫଳରେ ବ୍ୟାପକ ଧାନ ଫସଲ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି ।

ମହାନଦୀର ବନ୍ୟାଜଳରେ ଉବୁଟୁବୁ ବାଙ୍କୀର ବିଭିନ୍ନ ଅଂଚଳରେ ବି ଉଜୁଡି ଯାଇଛି ପରିବା ଫସଲ । ହଠାତ୍ ରାତି ଭିତରେ ପାଣି ଆସି ସବୁ ବୁଡାଇ ଦେଇଛି । ସୋସାଇଟିରୁ ଲୋନ୍ ଆଣି ଫସଲ ଫଳାଇଥିବା ଚାଷୀକୁ ଏବେ ଘାରିଛି ଋଣ ସୁଝିବା ଚିନ୍ତା । ସେପଟେ ନୀଳଗିରିରେ ଚାଷୀଙ୍କ ଆଶା ଉଜାଡିଦେଇଛି ସୋନ୍ ନଇର ବନ୍ୟାପାଣି । ଏକର ଏକର ବିଲରେ ହୋଇଥିବା ଭେଣ୍ଡି, ଜହ୍ନି, ପୋଟଳ, କାକୁଡି ଓ କଖାରୁ ପାଣିରେ ବୁଡି ପଚିବାକୁ ବସିଛି ।

କଣାସରେ ବେକେ ପାଣିରେ ବୁଡିଛି ପରିବା ଚାଷ । ଚାଲି ଚାଲି ଯାଉଥିବା ବିଲକୁ ଡଙ୍ଗାରେ ଯିବାକୁ ପଡୁଛି ଚାଷୀକୁ । ଆଖି ଆଗରେ ସୁନାର ଫସଲ ନଷ୍ଟ ହେଉଥିବା ଦେଖି ପାକଳ ହୋଇନଥିବା ପରିବାକୁ ତୋଳି ଆଣୁଛି । ରାଜୁଆ ନଦୀର ବନ୍ୟାଜଳ ପୁରୀ ଜିଲ୍ଲା କଣାସ ଅଂଚଳରେ ପଶିଥିବା ବେଳେ ବଡାଶ ଓ ଦୋକନ୍ଦା ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ତାରି ଭିତରେ ବୁଡି ରହି ନଷ୍ଟ ହେବାକୁ ବସିଛି ସବୁଜ ପନିପରିବା ।

ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ବ୍ୟାପକ ଧାନ ଫସଲ ସହ ପନିପରିବା ଚାଷକୁ ଧୋଇ ନେଇଛି । ଆଉ ଉଜୁଡା ଫସଲକୁ ଧରି ସରକାରୀ ସହାୟତାକୁ ଅନାଇ ବସିଛି ଚାଷୀ ।