• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସହରାଞ୍ଚଳ ବସ୍ତି ବାସିନ୍ଦା ସମ୍ମାନର ସହ ବଞ୍ଚିବାକୁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିବା ବିଶ୍ୱର ସର୍ବବୃହତ ଥଇଥାନ ଯୋଜନା ଜାଗା ମିଶନର ସ୍ଥିତି କଣ ? ଯୋଜନା ଆରମ୍ଭ ହେବାର ୬ ବର୍ଷ ଭିତରେ କେତେଲୋକ ଉପକୃତ ହୋଇଛନ୍ତି ? ଏ ପ୍ରଶ୍ନ ଏବେ ରାଜ୍ୟର ସବୁ ସହାରଞ୍ଚଳ ବସ୍ତି ବାସିନ୍ଦାଙ୍କ ମନରେ । କାରଣ ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ଯେ କେବଳ ମାଳମାଳ ହୋର୍ଡିଂ ଛଡ଼ା ଆଦୌ ପୂରଣ ହୋଇନି, ତାହା ଜଳ ଜଳ ଦିଶୁଛି ।

ଅଧିକ ପଢ଼ନ୍ତୁ: ‘ଜାଗା ମିଶନ’ରେ ମିଳୁନି ଜାଗା; ଛପର ଘରକୁ ପଲିଥିନ ସାହା

କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ? ସରହାଞ୍ଚଳ ଭୂମିହୀନଙ୍କୁ ସମ୍ମାନର ସହ ମୁଣ୍ଡ ଗୁଂଜିବାକୁ ଆଉ କେବେ ମିଳିବ ସ୍ଥାୟୀ ଜମି ପଟ୍ଟା ? ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ୨୦୧୭ରେ ରାଜ୍ୟ ସରକାର ଘୋଷଣା କରିଥିଲେ ମହତ୍ୱାକାଂକ୍ଷୀ ଜାଗା ମିଶନ୍ ଯୋଜନା । ଏ ପ୍ରକଳ୍ପ ଘୋଷଣାକୁ ୟା ଭିତରେ ବିତିଲାଣି ୬ ବର୍ଷ । ଏଥିପାଇଁ ଥରକୁ ଥର ସର୍ଭେ ଚାଲିଛି, ବାରମ୍ବାର ସଂଶୋଧିତ ହିତାଧକାରୀ ତାଲିକା ବି ପ୍ରକାଶ ପାଇଛି ।

ହେଲେ ଆଜି ପର୍ଯ୍ୟନ୍ତ ବସ୍ତି ବାସିନ୍ଦାଙ୍କ ଜାଗା ପାଇବାର ସ୍ବପ୍ନ ପୂରଣ ହୋଇପାରୁନି । ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନିକଟ ରମାଦେବୀ ବସ୍ତିରେ ଆଜିକୁ ୫୦ ବର୍ଷ ଧରି ରହିଆସୁଛନ୍ତି ୧୫୦ରୁ ଅଧିକ ପରିବାର । ସରକାରଙ୍କ ଯୋଜନା ଘୋଷଣା ଓ ଘନ ଘନ ବିଜ୍ଞାପନ ପରେ ଏମାନେ ଆଶା କରିଥିଲେ ରାଜଧାନୀରେ ଜାଗା ଖଣ୍ଡେ ମିଳିଲେ ପରିଚୟ ବଦଳିବ । କିନ୍ତୁ ସେ ଆଶା କେବଳ ଆଶାରେ ରହିଯାଇଛି ।

ବାଲେଶ୍ୱରରେ ବି ବର୍ଷ ବର୍ଷ ଧରି ଲାଗି ରହିଛି ଜାଗା ମିଶନ୍ ଭେଳିକି । ବାଲେଶ୍ୱର ମୁନିସିପାଲିଟିର ୧୦ ନମ୍ବର ୱାର୍ଡରେ ଜାଗା ମିଶନ ବିଜ୍ଞାପନ ହୋର୍ଡିଂ ଲାଗିବା ପରଠୁ ଏଠି ବସ୍ତିବାସିନ୍ଦାଙ୍କ ଭିତରେ ରହିଥିଲା ପ୍ରବଳ ଉତ୍କଣ୍ଠା । ପରେ ୨୦୨୧ରେ ଉଷା ସର୍ଭେ ପରେ ଲୋକଙ୍କୁ ସାର୍ଟିଫିକେଟ୍ ବି ମିଳିଛି । କିନ୍ତୁ ଜାଗା କେବେ ଓ କେଉଁଠୁ ମିଳିବ, ତାହା ଆଜି ପର୍ଯ୍ୟନ୍ତ ବସ୍ତିବାସିନ୍ଦାଙ୍କୁ ଜଣାନାହିଁ । ତେଣେ ସରକାର ଜାଗା ଦେବାର ବିଳମ୍ବ କରୁଥିବା ଦର୍ଶାଇ ଜିଲ୍ଲାପାଳଙ୍କ ଅଫିସକୁ ଆସିଲାଣି ଅନେକ ଅଭିଯୋଗପତ୍ର ।

ସେପଟେ ଜିଲ୍ଲା ପ୍ରଶାସନ ରେମୁଣା NACରେ ସହରାଞ୍ଚଳ ବାସିନ୍ଦାଙ୍କୁ ଜାଗା ଦେବାକୁ ଯୋଜନା କରିଥିବାରୁ ଏହାକୁ ନେଇ ବି ସ୍ଥାନୀୟ ବାସିନ୍ଦାଙ୍କ ଭିତରେ ପ୍ରବଳ ବିରୋଧ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନ୍ ଏ ସି ଅଞ୍ଚଳର ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନରେ ଜାଗା ମିଳିବ ବୋଲି ୨୦୧୯ରେ ମିଳିଥିଲା ପ୍ରମାଣପତ୍ର । କିନ୍ତୁ ୪ ବର୍ଷ ପରେ ବି ନା ମିଳିଛି ଜମି ନା ମିଳିଛି ଘର ।

ଫଳରେ ଏମାନଙ୍କ ଅବସ୍ଥା ପୂର୍ବରୁ ଯାହାଥିଲା, ଏବେ ବି ସେୟା । ସେପଟେ ଯୋଜନାର ଲାଭ ପାଇବାକୁ ଲୋକେ ବାରମ୍ବାର ଏନଏସି କାର୍ଯ୍ୟାଳୟରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଫିସ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ଏମାନଙ୍କ ଜାଗା ସ୍ୱପ୍ନ ସାକାର ହୋଇପାରୁନି ।

  • Reported by:
  • RASHMIRANJAN DAS , CHANDAN PAIKRAY , DEEPAK MAHANTA