• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଢାଞ୍ଚା ବଦଳିଲା, ବଢ଼ିଲା ପାସ୍ ହାର । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାସ ହାର CBSE ଠାରୁ ବି ଅଧିକ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ ଚଳିତ ବର୍ଷ ପାସ ହାର ରହିଛି ୯୬.୪୦ ପ୍ରତିଶତ । ଆଉ ଝିଅମାନେ ପୁଅଙ୍କ ଅପେକ୍ଷା ଭଲ ରେଜଲ୍ଟ କରିଛନ୍ତି । ସେପଟେ ବୋର୍ଡ, ଆସନ୍ତା ବର୍ଷଠାରୁ ପୂର୍ବ ପରି ଗୋଟିଏ ବୋର୍ଡ ପରୀକ୍ଷା କରିବା ନେଇ ସଂକେତ ଦେଇଛି ।

CBSE ରେଜଲ୍ଟକୁ ପଛରେ ପକାଇଲା ରାଜ୍ୟ ବୋର୍ଡ । ମାଟ୍ରିକ ପାସ୍ ହାର ୯୬.୪୦ ପ୍ରତିଶତ । ୩ ହଜାର ୨୨୨ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ । A1 ଗ୍ରେଡ୍ ଅର୍ଥାତ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୪, ୧୫୮ ଜଣ । ଏଥର ବି ଝିଅ ଆଗରେ । ଆଜି ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳରୁ ଆସିଛି ଏହି ତଥ୍ୟ । ଚଳିତ ବର୍ଷ CBSE ଦଶମ ବୋର୍ଡ ପରୀକ୍ଷାର ପାସ୍ ହାର ୯୩.୧୨% ଥିବା ବେଳେ ଓଡ଼ିଆ ମିଡିଅମ୍ ପରୀକ୍ଷାର୍ଥୀ କିନ୍ତୁ ଏହି ହାରକୁ ଅତିକ୍ରମ କରିଛନ୍ତି ।

ଅଧିକ ପଢ଼ନ୍ତୁ: ମାଟ୍ରିକ ପରୀକ୍ଷାରେ କମାଲ୍ ଦେଖାଇଲେ ପାନ ଦୋକାନୀ, ମେକାନିକ ଓ ରୋଷେୟାଙ୍କ ପୁଅଝିଅ

ଗତଥର କିନ୍ତୁ ରାଜ୍ୟ ବୋର୍ଡର ପାସ୍ ହାର ଥିଲା ୯୦. ୫୫% । ଏଥରେ ସେଥିରେ ୫.୮୫ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ଚଳିତ ଥର କଟକ ଓ ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ରହିଛି ୯୭.୯୯% । ସେହିପରି ୯୨.୬୮% ପାସ ହାର ସହିତ ମାଲକାନଗିରି, ଜିଲ୍ଲା ତାଲିକାର ସବା ଶେଷରେ ରହିଛି । ମଧ୍ୟମାରେ ୮୫.୯୪% ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୭୫.୦୭% ପାସ ହାର ରହିଛି ।

କୁହାଯାଉଛି ପରୀକ୍ଷାରେ ଆସିଥିବା ସଂସ୍କାର ପାଇଁ ପରୀକ୍ଷାର୍ଥୀ ଭଲ ରେଜଲ୍ଟ କରିଛନ୍ତି । ଦଶମରେ ଗୋଟିଏ ବୋର୍ଡ ପରୀକ୍ଷା ବଦଳରେ ଦୁଇଟି ସମ୍ମେଟିଭ୍ ପରୀକ୍ଷା ସହ ଇଣ୍ଟରନାଲ ପରୀକ୍ଷା ଲାଗୁ ହୋଇଥିବାରୁ ପିଲାଙ୍କ ପ୍ରଦର୍ଶନରେ ଅହେତୁକ ଭାବେ ଉନ୍ନତି ଆସିଛି । ତେବେ କୋଭିଡ୍ ସ୍ଥିତି ପାଇଁ ଏହି ବ୍ୟବସ୍ଥା ଲାଗୁ ହୋଇଥିଲା । ବର୍ତ୍ତମାନ କୋଭିଡ୍ ସ୍ଥିତି ନଥିବାରୁ ଆସନ୍ତାବର୍ଷଠୁ ପୂର୍ବପରି ଗୋଟିଏ ବୋର୍ଡ ପରୀକ୍ଷା କରିବାକୁ ଚିନ୍ତା କରୁଛି ପରିଷଦ । ଏନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।

ଅନ୍ୟପକ୍ଷରେ ଏଥର ଫର୍ମଫିଲପ୍ ସତ୍ତ୍ୱେ ୧୦ ହଜାର ୯୩୯ ପିଲା ପରୀକ୍ଷା ଦେଇ ନଥିଲେ । ସେମାନଙ୍କୁ କାଉନସେଲିଂ କରି ମୁଖ୍ୟ ସ୍ରୋତକୁ ଆଣିବାକୁ ବିଭାଗ ଚେଷ୍ଟା କରୁଛି । ସେହିପରି ଚଳିତ ବର୍ଷ ସପ୍ଲିମେଣ୍ଟାରି ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି। ରିଚେକିଂ ପାଇଁ ପରୀକ୍ଷାର୍ଥୀମାନେ ମେ ୨୩ରୁ ଆବେଦନ କରିପାରିବେ । ଏଥିପାଇଁ ୧୫ ଦିନ ସମୟ ଦିଆଯାଇଛି ।

  • Reported by:
  • DEBASHISH MOHANTY , JAGDISH DAS