/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746290018.jpg)
NEET ପୂର୍ବରୁ ଡିଲ୍ ଖୁଲାସା ।
ଡାକ୍ତର ହେବାର ସ୍ବପ୍ନ ଦେଖି NEET କ୍ବାଲିଫାଏ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ପାଠୁଆ ପିଲା । କିନ୍ତୁ, ଅନ୍ୟପଟେ ପ୍ରବେଶିକା ପରୀକ୍ଷା ଗଳାବାଟ ଦେଇ ଟଙ୍କା ବଳରେ ଅନ୍ୟକୁ ଏଣ୍ଟ୍ରି ପାଇଁ ଚାଲୁଛି ମହାଡିଲ୍ । କୋଟି କୋଟିର ଟଙ୍କା ଖେଳ କରୁଛନ୍ତି ଆନ୍ତଃରାଜ୍ୟ କୁଖ୍ୟାତ ଗ୍ୟାଙ୍ଗ୍ ।
ଆସନ୍ତକାଲି NEET ପୂର୍ବରୁ ଆଜି ଏଭଳି ଏକ ଗ୍ୟାଙ୍ଗର ଖୁଲାସା କରିଛି କମିଶନରେଟ୍ ପୋଲିସ । ତା’ସହ ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରର ୪ ଜଣଙ୍କୁ ଗିରଫ କରିଛି। ମେଡ଼ିକାଲ୍ ପାଠ୍ୟକ୍ରମରେ ଆଡ଼ମିଶନ୍ ପାଇଁ ମହାଡିଲ୍ । ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ-NEETରେ ରାଙ୍କ ପାଇଁ କୋଟି କୋଟି ଟଙ୍କାର ଖେଳ । ଅର୍ଥାତ ଟଙ୍କା ବଳରେ ଗଳାବାଟ ଦେଇ ମେଡ଼ିକାଲ୍ କଲେଜରେ ଭର୍ତ୍ତି କରାଇଦେବାର ମହା ଚାଲ୍। ସେହି ରାକେଟର ୪ ଜଣ ଚାଲବାଜଙ୍କ ଖୁଲାସା କରିଛି କମିଶନରେଟ୍ ପୋଲିସ ।
ଏଭଳି ସାଂଘାତିକ ଅଭିଯୋଗରେ ଝାଡ଼ଖଣ୍ଡର ପ୍ରିୟଦର୍ଶୀ କୁମାର, ବିହାରର ଅରବିନ୍ଦ କୁମାର, ଓଡ଼ିଶାର ସୁନୀଲ ସାମନ୍ତରାୟ ଓ ରୁଦ୍ର ନାରାୟଣ ବେହେରାଙ୍କୁ ବାନ୍ଧିଛି ପୋଲିସ । ଭୁବନେଶ୍ବର ପାତ୍ରପଡ଼ାର ଏକ ବାର୍ ରେ ଏମାନେ ଝାଡ଼ଖଣ୍ଡର ଜଣେ ଅଭିଭାବକଙ୍କ ସହ ଚଳାଇଥିଲେ ଡିଲ୍ । ଟଙ୍କା ଏବଂ ପରୀକ୍ଷା କେନ୍ଦ୍ର ସଂପର୍କରେ ହେଉଥିଲା ମୂଲଚାଲ୍ । ଠିକ୍ ଏହି ସମୟରେ ମାଡ଼ିବସିଲା କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ।
ଅଧିକ ପଢ଼ନ୍ତୁ: ତେଜିଲା ଦୀଘା ଦିଅଁ ଓ ଧାମ ବିବାଦ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଖରେ ହାଜର ହେବେ ରାମକୃଷ୍ଣ
ପୋଲିସ ଘଟଣାସ୍ଥଳରୁ ୩ ଜଣଙ୍କୁ ଧରିଥିବା ବେଳେ ଏହି ରାକେଟରେ ସଂପୃକ୍ତ ଅନ୍ୟ ଜଣଙ୍କୁ ଭିନ୍ନ ଏକ ସ୍ଥାନରୁ ଗିରଫ କରିଥିଲା । ତା’ସହ ୬ ପ୍ରାର୍ଥୀଙ୍କ ନାଁରେ ଥିବା ୯୦ ଲକ୍ଷ ଟଙ୍କାର ୩ଟି ଚେକ୍, ଗୋଟିଏ ବ୍ଲାଙ୍କ୍ ଚେକ୍, ୨ଟି ଦାମୀ କାର୍ ସହ ଜମି ପ୍ଲଟ୍ ସମ୍ବନ୍ଧୀୟ କାଗଜପତ୍ର ବି ଜବତ କରାଯାଇଛି । ଏହି NEET କେଳେଙ୍କାରୀ ରାକେଟର ଅପରେଟିଂ ଏରିଆ ହେଉଛି ବିହାରରୁ ଓଡ଼ିଶା ଭାୟା ଝାଡ଼ଖଣ୍ଡ ।
ମୋଡସ୍ ଅପରେଟିଂ ବି ବେଶ୍ ବ୍ୟବସ୍ଥିତ । ଗ୍ୟାଙ୍ଗରେ ରହିଛି ୩ଟି ଟିମ୍ । ଗୋଟିଏ ଟିମ୍ NEETରେ ଟଙ୍କା ଦେଇ ପାସ୍ ହେବାକୁ ଚାହୁଁଥିବା ପିଲାଙ୍କ ତଥ୍ୟ ସଂଗ୍ରହ କରିଥାଏ । ଅନ୍ୟ ଏକ ଟିମ୍ ଅଭିଭାବକଙ୍କ ସହ କିସ୍ତି ଆକାରରେ ୨୦ରୁ ୩୦ ଲକ୍ଷ ଯାଏଁ ପୈଠ ପାଇଁ କରିବ ସିକ୍ରେଟ୍ ଡିଲ୍ । ଆଉ ଡିଲ୍ ଫାଇନାଲ୍ ପରେ ୩ ନମ୍ବର ଟିମ୍ ଫିକ୍ସ କରେ ପରୀକ୍ଷା କେନ୍ଦ୍ର ।
ଯେଉଁ କେନ୍ଦ୍ରକୁ NEET ପରୀକ୍ଷା ଦେବାକୁ ଯିବ ଜଣେ ପ୍ରକ୍ସି ପ୍ରାର୍ଥୀ । ଏଥିପାଇଁ ପ୍ରସ୍ତୁତ ହେବ ସମସ୍ତ ଜାଲ୍ କାଗଜପତ୍ର । କେବଳ ଏତିକି ନୁହେଁ, ସଂପୃକ୍ତ ପରୀକ୍ଷା କେନ୍ଦ୍ରର ଲୋକଙ୍କ ବି ରହିବ ଭାଗ । ଆସନ୍ତାକାଲି ହେବ NEET ପରୀକ୍ଷା । କଡ଼ା ଚେକିଂ ପ୍ରକ୍ରିୟା ଭିତରେ ପରୀକ୍ଷାର୍ଥୀଙ୍କୁ ଏଣ୍ଟ୍ରି ଏବଂ ପରୀକ୍ଷା କରାଯାଉଥିବା ବେଳେ ଏହି ସିଣ୍ଡିକେଟର ପ୍ରକ୍ସି କ୍ୟାଣ୍ଡିଡେଟ୍ ଭିତରକୁ ପ୍ରବେଶ କରିବେ କେମିତି ? ନା ପ୍ରକ୍ସି କ୍ୟାଣ୍ଡିଡେଟ୍ ନାଁରେ ଏମାନେ ଲଗାଉଥିଲେ ଚୂନ?
ମେଡ଼ିକାଲ୍ ସିଟ୍ ଆଡମିଶନରେ ମହାଦୁର୍ନୀତି ଲିଙ୍କରେ ଗତ ମାର୍ଚ୍ଚ ୫ରେ କିମ୍ସ, ହାଇଟେକ୍, ସମ୍ ଆଦି ଘରୋଇ ମେଡ଼ିକାଲ ଗୁଡ଼ିକରେ ଛାପା ମାରିଥିଲା ED । NRI କୋଟା ସ୍କାମରେ ଏହି ରେଡ୍ ହୋଇଥିବା କୁହାଯାଉଥିଲା । ଏଭଳି କେଳେଙ୍କାରୀରେ ପୂର୍ବରୁ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ବି ଗିରଫ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)