• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶାରୁ ଦୌଡ଼ିଲା ବନ୍ଦେ ଭାରତ । ପୁରୀରୁ ହାୱଡ଼ା ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଭିଭାଷଣରେ ମୋଦି କହିଥିଲେ ଏହି ଟ୍ରେନ୍ ଓଡ଼ିଶା-ପଶ୍ଚିମବଙ୍ଗ ସମ୍ପର୍କକୁ ସମୃଦ୍ଧ କରିବ । ତେଣେ ବନ୍ଦେ ଭାରତ ପରେ ଆଗକୁ ଖୁବଶୀଘ୍ର ବନ୍ଦେ ମେଟ୍ରୋ ଓ ବନ୍ଦେ ସ୍ଲିପର ବି ଆରମ୍ଭ ହେବାକୁ ଯାଉଥିବା ସୂଚନା ଦେଇଥିଲେ ରେଳମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଓଡ଼ିଶା ପାଇଁ ଆଉ ୨ଟି ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ଦାବି ଉପସ୍ଥାପନ କରିଥିଲେ ।

ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ ହେଲା ।ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଓଡ଼ିଶା ଓ ପଶ୍ଚିମବଙ୍ଗବାସୀଙ୍କ ପାଇଁ ଉପହାର ଭାବେ ଏହି ସେମି ହାଇସ୍ପିଡ୍ ଟ୍ରେନର ଲୋକାର୍ପଣ ପୂର୍ବରୁ ଜୟ ଜଗନ୍ନାଥ କହି ନିଜ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ବନ୍ଦେ ଭାରତରେ ଦେଶର ଗତି ଓ ପ୍ରଗତି ପ୍ରତିଫଳିତ ହେଉଛି ।

ଏଣିକି ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ ଓ ଏହାଦ୍ୱାରା ସମୟ ବଞ୍ଚିବ, କାରବାର ବି ବଢ଼ିବ । ଭାରତୀୟ ରେଳ ଭଳି ବନ୍ଦେ ଭାରତ ଟ୍ରେନ୍ ସମସ୍ତଙ୍କୁ ଯୋଡ଼ିବ । ଓଡ଼ିଶା-ପଶ୍ଚିମବଙ୍ଗର ଆଧ୍ୟାତ୍ମିକ, ସାଂସ୍କୃତିକ ସଂବନ୍ଧକୁ ସମୃଦ୍ଧ କରିବ ବୋଲି କହିଥିଲେ ମୋଦି । ଗତ ୯ ବର୍ଷ ହେଲାଣି ଓଡ଼ିଶାକୁ ରେଳ ଅନୁଦାନ ବଢ଼ି ଚାଲିଛି, ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ଅନେକ ବର୍ଷ ହେଲା ପଡ଼ି ରହିଥିଲା, ଏବେ ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଓଡ଼ିଶାରେ ଶତ ପ୍ରତିଶତ ରେଳ ବିଦ୍ୟୁତକରଣ କାର୍ଯ୍ୟ ବି ସଂପନ୍ନ ହୋଇଛି । ତେଣୁ ଖଣିଜ ସଂପଦରେ ଭରପୁର ଓଡ଼ିଶାକୁ ଏହା ଦ୍ୱାରା ଫାଇଦା ମିଳିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ସେପଟେ ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମରେ ଭର୍ଚୁଆଲରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ପାଇଁ ଆଉ ୨ଟି ବନ୍ଦେ ଭାରତ ଟ୍ରେନ୍, ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ମଧ୍ୟରେ ଚଳାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି । ଏଥିସହ ଅନୁଗୁଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ୍ ଚଳାଇବାକୁ ବି ଦାବି ଉପସ୍ଥାପନ କରିଛନ୍ତି ।

କାର୍ଯ୍ୟକ୍ରମ ଅଭିଭାଷଣରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବନ୍ଦେ ଭାରତ ପରେ ଖୁବଶୀଘ୍ର ଦେଶରେ ବନ୍ଦେ ମେଟ୍ରୋ ଓ ବନ୍ଦେ ସ୍ଲିପର ବି ଆରମ୍ଭ ହେବାକୁ ଯାଉଥିବା ସୂଚନା ଦେଇଥିଲେ । ବନ୍ଦେ ମେଟ୍ରୋ ଆରମ୍ଭ ହେଲେ ଓଡ଼ିଶାକୁ ବି ଫାଇଦା ମିଳିବ ଓ ଏହି ଟ୍ରେନ୍ ପୁରୀ-ଭୁବନେଶ୍ୱର ଓ କଟକ ମଧ୍ୟରେ ଚାଲିବାର ଯୋଜନା ଥିବା କହିଥିଲେ । ଏଥିସହ ଓଡ଼ିଶାକୁ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ଭାବେ ପୁରୀ-ଭୁବନେଶ୍ୱର-କଟକ-ଅନୁଗୁଳ-ରାଉରକେଲାକୁ ଚାଲିପାରେ ବୋଲି କହିଥିଲେ ବୈଷ୍ଣବ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ମୋଦି ସରକାର ଅମଳରେ ଇ-ୱେ, ହାଇ-ୱେ ଓ ରେଲୱେ ସବୁ କ୍ଷେତ୍ରରେ ଦୃତ ବିକାଶ ଚାଲିଛି । ପୂର୍ବ ସରକାରମାନଙ୍କ ଅମଳରେ ଓଡ଼ିଶାକୁ ରେଳ ଅନୁଦାନ ଅତି ନଗନ୍ୟ ଥିଲା, ହେଲେ ଗତ ୯ବର୍ଷ ଭିତରେ ମୋଦି ସରକାର ୫୧ ହଜାର କୋଟି ଟଙ୍କାର ଅନୁଦାନ ଦେଲେଣି । ଯାହା ପୂର୍ବୋଦୟ ବିକାଶରେ ଏକ ବଡ଼ ଉପଲବ୍ଧି ।

ଆଜି ପୁରୀରୁ ବନ୍ଦେ ଭାରତର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ପୁରୀ ଓ କଟକ ରେଳ ଷ୍ଟେସନର ପୁନର୍ବିକାଶ ଲାଗି ଆଧାରଶିଳା ରଖିବା ସହ ଅନୁଗୁଳ-ସୁକିନ୍ଦା ରୋଡ୍ ନୂଆ ରେଳ ଲାଇନର ଦୋହରୀକରଣ, ବିଛୁପାଲ୍ଲୀ-ଝାରତରଭା ନୂଆ ରେଳ ଲାଇନର ଶୁଭାରମ୍ଭ ସହ ସମ୍ବଲପୁର-ଟିଟିଲାଗଡ଼ ରେଳ ଲାଇନର ଦୋହରୀକରଣ କାମର ବି ଶୁଭାରମ୍ଭ କରିଥିଲେ ।