• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବଲାଙ୍ଗିର ଜିଲ୍ଳା ପୁଇଁନ୍ତଲା ଗାଁର ଦିବ୍ୟାଙ୍ଗ ସବ୍ୟସାଚୀ ପଟେଲ

  •  ଯୁବପିଢିଙ୍କ ପାଇଁ ନୂଆ ପ୍ରେରଣା

ବଲାଙ୍ଗିର(ଘଟେଶ୍ୱର ମିଶ୍ର) : ଏକା ଏକା ଧୁରନ୍ଧର ସବ୍ୟସାଚୀ । ଭିନ୍ନକ୍ଷମ ହୋଇ ବି ସକ୍ଷମ । ଶଢ଼େଇ କଳାରେ ପାରଙ୍ଗମ । ଜନ୍ମରୁ ଦୁଇଗୋଡ ଦୁର୍ବଳ ଯୋଗୁଁ ଠିକ ଭାବରେ ଚାଲିପାରନ୍ତି ନାହିଁ । ପାଠ ପଢିବା ପରେ ଚାକିରୀ ମିଲିଲା ନାହିଁ । ୫୦ ଶତକଡା ଦିବ୍ୟାଙ୍ଗ ବୋଲି ସାର୍ଟିଫିକେଟ ଅଛି । କିନ୍ତୁ ଦିବ୍ୟାଙ୍ଗ ବୋଲି କେବେ ନିଜକୁ ଦିନହୀନ ମନେ କରନ୍ତି ନାହିଁ । ଶଢ଼େଇ କଳା ଓ କୁକୁଡା ଫାର୍ମ କରି ପରିବାର ଚଳାଉଛନ୍ତି । ଏବେ ସେ ଯୁବପିଢିଙ୍କ ପାଇଁ ନୂଆ ପ୍ରେରଣା ପାଲଟିଛନ୍ତି ।

ବଲାଙ୍ଗିର ଜିଲ୍ଳା ପୁଇଁନ୍ତଲା ଗାଁର ଦିବ୍ୟାଙ୍ଗ ସବ୍ୟସାଚୀ ପଟେଲ । ଶିକ୍ଷାଗତ ଯୋଗ୍ୟତା ବି.ଏ , ତାସାଙ୍ଗକୁ ହୋଟେଲ ମ୍ୟାନେଜମେଣ୍ଟରେ ଡିପ୍ଳୋମା । ହେଲେ ଏତେ ପାଠ ସହ ଦିବ୍ୟାଙ୍ଗ ହେଲେ ମଧ୍ୟ ସରକାରୀ ବ୍ୟବସ୍ଥାରେ ଚାକିରୀ ଟିଏ ପାଇପାରିଲେ ନାହିଁ ।  ଭଗବାନ ସିନା ଦିବ୍ୟାଙ୍ଗ ଜନ୍ମ ଦେଲେ, କିନ୍ତୁ ସବ୍ୟସାଚୀଙ୍କ ହାତର ଯାଦୁଗରୀ କଥା କହୁଛି । ସେ ବିନା କୌଣସି ଯନ୍ତ୍ରପାତିରେ ସଢ଼େଇରେ  ସୁନ୍ଦର ସୁନ୍ଦର ସୌଖୀନ ସାମଗ୍ରୀ ତିଆରି କରୁଛନ୍ତି । ବଲାଙ୍ଗିର ସହରର ବଡ ବଡ ମନ୍ଦିର ଗୁଡିକରେ ପୂଜାର୍ଚ୍ଚନା ସମୟରେ ବ୍ୟବହାର ହୋଇଥାଏ ଶହ ଶହ ଫଟାଇବା ପରେ ଖୋଲପାକୁ ଫିଙ୍ଗି ଦିଆଯାଇଥାଏ । ଆଉ ସେ ସବୁ ଖୋଲପାକୁ ସଂଗ୍ରହ କରି ଆଣନ୍ତି ସବ୍ୟସାଚୀ ।

ତାପରେ ନିଜ ଘରେ ଘଣ୍ଟା ଘଣ୍ଟା ଧରି ନଡିଆ ଖୋଲପା ସହ ବିତେ । ତାପରେ ତିଆରି ହୁଏ ସୁନ୍ଦର ସୁନ୍ଦର ଜିନିଷ । ସବ୍ୟସାଚୀଙ୍କ ହାତର ପରଶ ପାଇ କେତେବେଲେ ନଡିଆ ଖୋଲପା ସ୍କୁଟର ସାଜିଥାଏ ତ କେତେବେଲେ ବନିଯାଏ ସାଇକେଲ । ଏପରିକି ଶିବଲିଙ୍ଗ ମଧ୍ୟ ତିଆରି ହୁଏ ଖୋଲପାରେ । ଏସବୁ ସୁନ୍ଦର ସୁନ୍ଦର ଜିନିଷ ସବୁ ତିଆରି କଲା ପରେ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ସବ୍ୟସାଚୀ । ତାପରେ ଗ୍ରାହକ ମାନେ ତାଙ୍କ ସହିତ ଯୋଗାଯୋଗ କରି ଏସବୁକୁ କିଣି ନିଅନ୍ତି । ସବ୍ୟସାଚୀଙ୍କୁ ଏହି କାମରେ ସହଯୋଗ କରନ୍ତି ତାଙ୍କର ଧର୍ମପତ୍ନୀ

ଦିବ୍ୟାଙ୍ଗ ସବ୍ୟସାଚୀଙ୍କ ବାପା ବିଜୟ ଶଂକର ପଟେଲ କିରାଣା ଦୋକାନ ଟିଏ କରିଛନ୍ତି । ୬ ପ୍ରାଣୀ କୁଟୁମ୍ବ ପରିବାର ଚଳାଇବା ପାଇଁ ଟଙ୍କା ନିଅଣ୍ଟ ପଡ଼ିବାକୁ ଦିବ୍ୟାଙ୍ଗ ସବ୍ୟସାଚୀ ଘର ନିକଟରେ ଏକ କୁକୁଡା ଫାର୍ମ ଖୋଲିଛନ୍ତି । ସେଥିରେ ଯେଉଁ ଦୁଇ ପଇସା ରୋଜଗାର ହୁଏ ସେଥିରେ ସୁରୁଖୁରୁରରେ ପରିବାର ଚଳେ । କୁକୁଡା ବ୍ୟବସାୟ ସହିତ ଏବେ ସବ୍ୟସାଚୀ ଆରମ୍ଭ କରିଛନ୍ତି ଶଢେଇ କାରିଗରୀ ।

 ସହରରୁ ଅନେକ ଲୋକ ଆସି ସବ୍ୟଙ୍କ ଅନନ୍ୟ କଳାକୃତିକୁ କିଣିକି ନେଉଛନ୍ତି । ତାଙ୍କୁ ସରକାରୀ ସୁବିଧା ସୁଯୋଗ ମିଲିପାରିଲେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି ।