• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ଆଜି ପବିତ୍ର ଜନ୍ମାଷ୍ଟମୀ । ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥିକୁ ପାଳନ ଲାଗି ସାରା ଦେଶ ଆଜି ଚଳଚଞ୍ଚଳ । ଧୂପ, ଦୀପ ନୈବେଦ୍ୟରେ ସାରା ପରିବେଶ ଆରାଧନାମୟ । ଭକ୍ତମାନେ ଉପବାସ ରଖି ପୂଜାର୍ଚ୍ଚନା କରୁଛନ୍ତି। ଏହି ଅବସରରେ ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତିର ଆୟୋଜନ ମଧ୍ୟ ହୋଇଛି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମହାରାଜ କଂସଙ୍କ ବନ୍ଦୀଶାଳାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ ।

ରୋହିଣୀ ନକ୍ଷତ୍ରର ଉଦୟ କାଳରେ, ଅର୍ଦ୍ଧରାତ୍ରିରେ ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । କରୋନା କଟକଣା ଥିବାରୁ ଆଡ଼ମ୍ବରରେ ପର୍ବ ପାଳନ ହେଉନଥିଲେ ମଧ୍ୟ ବିଭିନ୍ନ ମନ୍ଦିରରେ ପରମ୍ପରା ରକ୍ଷା କରାଯାଉଛି । ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ଆଳତୀ କରିବା ସହ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି । ରାଜ୍ୟର ବିଭିନ୍ନ ମଠ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଉଛି ।

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଲାଗି ସ୍ୱତନ୍ତ୍ର ରୀତିନୀତି ସଂପନ୍ନ ହୋଇଥାଏ । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି ପୂର୍ବରୁ ଗତକାଲି ଭାଦ୍ରବ କୃଷ୍ଣପକ୍ଷ ସପ୍ତମୀ ତିଥିରେ ମହାପ୍ରଭୁଙ୍କୁ ଜେଉଟ ଭୋଗ ଲାଗି କରାଯାଇଛି । ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ପରେ ଯେଉଠ ଭୋଗସହ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ନୀତି ମଧ୍ୟ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଶ୍ରୀବିଗ୍ରହଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ।ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଅଣସର ପିଣ୍ଡିରେ ଜେଉଟ ଭୋଗ ଲାଗି ହୋଇଛି ।

ଶ୍ରୀକୃଷ୍ଣଙ୍କ ପୂଜାରେ ବିଭିନ୍ନ ରଙ୍ଗର ଫୁଲକୁ ପୂଜା କରାଯାଏ । ହଳଦିଆ ରଙ୍ଗର ବ୍ରତକୁ ପୂଜା କରାଯାଏ । ଚନ୍ଦନ ପାଣିରେ ପ୍ରଭୁଙ୍କର ଶୃଙ୍ଗାର କରାଯାଇଥାଏ । ଶ୍ରୀକୃଷ୍ଣଙ୍କ ପୋଷାକ ଠାରୁ ଆରମ୍ଭ କରି ଅଳଙ୍କାର ପର୍ଯ୍ୟନ୍ତ କିଛି ବି କଳା ରଙ୍ଗ ଜିନିଷକୁ ବ୍ୟବହାର କରନ୍ତୁ ନାହିଁ। ଭୁଲ୍‌ରେ ବି କଳା ରଙ୍ଗକୁ ବ୍ୟବହାର କରନ୍ତୁ ନାହିଁ । ଜନ୍ମାଷ୍ଟମୀରେ ପଞ୍ଚାମୃତ ଭୋଗ କରାଯାଏ । ସେହି ପଞ୍ଚାମୃତରେ ତୁଳସୀ ଜଟା ବା ପତ୍ରକୁ ପକାଇ ଶୁଖିଲା ଫଳ, ଲହୁଣୀ ଓ ମିଶ୍ରିକୁ ଭୋଗ ହୁଏ । ଏହି ଦିନରେ ଶ୍ରୀକୃଷ୍ଣଙ୍କୁ ସମ୍ପୂର୍ଣ୍ଣ ସ୍ୱାତ୍ତିକ ଭୋଜନ ଭୋଗ ଲଗାଯାଇଥାଏ ।