• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଗୋଟିଏପଟେ ଶିଳ୍ପାୟନକୁ ତ୍ୱରାନିତ କରିବା ସହ ପୁଞ୍ଜି ନିବେଶ ପାଇଁ ଅନ୍ୟ ରାଜ୍ୟକୁ ମୁଖ୍ୟମନ୍ତ୍ରୀ ଗସ୍ତ କରୁଛନ୍ତି, ଅନ୍ୟପଟେ ରାଜ୍ୟରେ ଅନେକ ଶିଳ୍ପରେ ତାଲା ଝୁଲୁଛି। ଫଳରେ ହଜାର ହଜାର କର୍ମଚାରୀଙ୍କ ଜୀବନ ଜୀବିକା ଏବେ ସଙ୍କଟରେ। ପ୍ରତିବର୍ଷ ରାଜ୍ୟ ସରକାର ଅନେକ ଶିଳ୍ପ ସଂସ୍ଥା ସହ ଏମ୍ଓୟୁ କରୁଛନ୍ତି।ଶିଳ୍ପ ପ୍ରତିଷ୍ଠା ପାଇଁ ଅନେକ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର। ହେଲେ କେବେ ଭାବିଛନ୍ତି, ରାଜ୍ୟରେ ଥିବା କମ୍ପାନୀ ଗୁଡ଼ିକର ଏବେ ଅବସ୍ଥା କ’ଣ ? କେମିତି ଚାଲୁଛି ସେ ସବୁ ? କେତେ କମ୍ପାନୀ ବନ୍ଦ ହୋଇଛି ? ଆଉ ସେଠି କାମ କରୁଥିବା ଲୋକଙ୍କ ଅବସ୍ଥା ଏବେ କେମିତି ? ବ୍ରଜରାଜନଗରର ପ୍ରମୁଖ ଶିଳ୍ପ ସଂସ୍ଥା ଓ ବାଲେଶ୍ୱରେ ବିର୍ଲା ଟାୟାର୍ସ ବନ୍ଦ ହେବା ପରେ କେମିତି ଚଳୁଛନ୍ତି କମ୍ପାନୀରେ କାମ କରୁଥିବା ଲୋକେ ? 

ବାଲେଶ୍ୱର ଜିଲ୍ଲା ମାକଲପୁରର ଖୁଦିରାମ ଦାସ, ବିର୍ଲା ଟାୟାର୍ସର ୱାର୍କସ୍‌ ଡିପାର୍ଟମେଣ୍ଟରେ କାମ କରୁଥିଲେ। ମାସିକ ଦରମା ତାଙ୍କର ୪୦ ହଜାର ଥିଲା। ହେଲେ ନାଁ ଏବେ କାମ ଅଛି ନା କମ୍ପାନୀ। ଧାର କରଜ ଆଣି କିଛି ଦିନ ସେ ଚଳିଲେ। ହେଲେ ଏବେ ପରିସ୍ଥିତି ଦିନକୁ ଦିନ ଖରାପ ହେବା ପରେ ଅଣ୍ଡା ଦୋକାନ କରି ପରିବାର ଚଳାଉଛନ୍ତି। ହେଲେ ପିଲାଙ୍କ ପାଠପଢ଼ା ଓ ଘର ଚଳାଇବା ଏତେ ସହଜ ହେଉନି।

ସେହିପରି ବିର୍ଲା ଟାୟାର୍ସରେ ଯାନ୍ତ୍ରିକ ବିଭାଗରେ କାମ କରୁଥିଲେ ରବି ମିତ୍ର। କମ୍ପାନୀ ବନ୍ଦ ହେବା ପରେ ଆଳୁ, ପିଆଜ ବିକ୍ରି କରୁଛନ୍ତି। ୧୯୯୧ ମସିହାରେ ପ୍ରତିଷ୍ଠିତ ବାଲେଶ୍ୱରର ବିର୍ଲା ଟାୟାର୍ସ ଥିଲା ଦେଶର ଏକ ପ୍ରମୁଖ ଶିଳ୍ପାନୁଷ୍ଠାନ। ଏଠି ଓଡ଼ିଶା ଓ ପଶ୍ଚିମବଙ୍ଗର ଶହ ଶହ ଲୋକ କାମ କରୁଥିଲେ।  ହେଲେ ୨୦୨୦ ମସିହା ପରେ କମ୍ପାନୀ ଆଉ କାର୍ଯ୍ୟକ୍ଷମ ନାହିଁ। ଏହାର ଢେର ଦିନ ପୂର୍ବରୁ ଧିରେ ଧିରେ ସୁପ୍ତ ନିଦ୍ରାକୁ ଚାଲି ଯାଇଥିଲା ସଂସ୍ଥା। ରୋଜଗାରର ଏକମାତ୍ର ପନ୍ଥା ଚାଲିଯିବା ପରେ ଏବେ ୫ ହଜାରରୁ ଅଧିକ ଲୋକଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।  

ବ୍ରଜରାଜନଗରରେ ଥିବା ଓରିଏଣ୍ଟ ପେପର ମିଲ୍ ପାଇଁ କାହିଁ କେତେ ଲୋକଙ୍କ ଘରେ ଚୁଲି ଜଳୁଥିଲା। ସାରା ଦେଶରେ ଥିଲା ଏହାର ଅନନ୍ୟ ପରିଚୟ। ଖାଲି ଏହି ଗୋଟିଏ ନୁହେଁ ଝାରସୁଗୁଡ଼ା ଜିଲ୍ଲା ରେ ଭାସ୍କର ସୁତାକଳ, ଆକ୍ସନ୍ ଇସ୍ପାତ ସ୍ପଞ୍ଜ ଆଇରନ୍, ଜେଏସ୍‌ପିଏଲ୍‌ ସ୍ପଞ୍ଜ ଆଇରନ୍, ଇନ୍ ବରାଥ ପାୱାର ପ୍ଲାଣ୍ଟ। ଦିନ ଥିଲା ଏହିସବୁ କମ୍ପାନୀରେ କାମ କରିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଝାରସୁଗୁଡ଼ାକୁ କାମ ସନ୍ଧାନରେ ଆସୁଥିଲେ। ରୋଜଗାରର ପ୍ରମୁଖ ଉତ୍ସ ଥିବା ଏହି କମ୍ପାନୀ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ଭାଙ୍ଗି ଯାଇଛି କାନ୍ଥ, ମାଟିରେ ଲୋଟୁଛି ମେସିନ୍। ପରିସ୍ଥିତି ଏବେ ଏମିତି କି ଦଶନ୍ଧି ଦଶନ୍ଧି ଧରି କୋଳାହଳପୂର୍ଣ୍ଣ ବ୍ରଜରାଜନଗର ଶାନ୍ତ ପଡ଼ି ଯାଇଛି। ନା ଅଛି କମ୍ପାନୀ ନା ଅଛି ରୋଜଗାରର ମାଧ୍ୟମ।

ରାଜ୍ୟରେ ଶିଳ୍ପର ବିକାଶ ପାଇଁ ଅନେକ ଯୋଜନା ହେଉଛି, ଅନେକ ପ୍ରତିଶ୍ରୁତି ମଧ୍ୟ ମିଳୁଛି। ହେଲେ ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାର ବାସ୍ତବ ଚିତ୍ର ଏବେ ଦେଖିବାକୁ ମିଳିଛି। ଯେଉଁଠି କାରଖାନା ଥିଲା ତାହା ଏବେ ଭୂତ କୋଠି ପାଲଟିଛି, ଯେଉଁ କମ୍ପାନୀ ଉପରେ ଭରସା କରି ଗାଁ ଛାଡ଼ି ଲୋକେ ସହରକୁ ଆସିଥିଲେ ଆଜି ସେମାନେ କାମ ସନ୍ଧାନରେ ଏତେ ତେଣେ ବୁଲୁଛନ୍ତି।

ନୂଆ କମ୍ପାନୀ, ନୂଆ ଶିଳ୍ପାନୁଷ୍ଠାନ ଓଡ଼ିଶାକୁ ଆସିଲେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କିନ୍ତୁ ଯେଉଁସବୁ ଶିଳ୍ପ ବନ୍ଦ ହୋଇଛି ତାକୁ ଯଦି, ପୁନଃ କାର୍ଯ୍ୟକ୍ଷମ କରାଯାଇଥାନ୍ତା ତା’ହେଲେ ଅନେକ ଲୋକ ଉପକୃତ ହୋଇପାରିଥାନ୍ତେ।

(ରିପୋର୍ଟ- ରଶ୍ମୀରଞ୍ଜନ ଦାସ, ଭାଗିରଥି ସାହୁ-ବାଲେଶ୍ୱର ଓ ଝାରସୁଗୁଡ଼ା)