ପୁରୀ ଜିଲ୍ଲା ଅସ୍ତରଙ୍ଗର ଦେବୀ ନଦୀ ପଠାରୁ କାଜୁ ମଞ୍ଜି ତୋଳାକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଅସ୍ତରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦେବୀ ନଦୀର ସୁନେଇଡିଆ ପଠାରୁ କାଜୁ ମଞ୍ଜି ତୋଳାକୁ ନେଇ ବାଲିଡ଼ିଆ ଓ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତରାସାହି ମଧ୍ୟରେ ଏହି ରକ୍ତାକ୍ତ ସଂଘର୍ଷ ଘଟିଥିବା ଜଣାପଡିଛି ।
ଅଧିକ ପଢ଼ନ୍ତୁ: ମହାବିନାୟକ ମନ୍ଦିରରେ ଫୁଟିଲା ଗୁଳି, ୨ ଆହତ
ଦେବୀ ନଦୀର ଦ୍ୱିପାଞ୍ଚଳରେ ଥିବା କାଜୁ ଜଙ୍ଗଲରୁ ପ୍ରତିବର୍ଷ ବାଲିଡିଆ ଗାଁ ଲୋକେ କାଜୁ ମଞ୍ଜି ତୋଳିଥାନ୍ତି । ଆଜି ସକାଳୁ ବାଲିଡିଆ ଗାଁର ୪୦ ପରିବାର ଲୋକେ ଡ଼ଙ୍ଗା ପାର୍ ହୋଇ କାଜୁ ତୋଳିବାକୁ ଯାଇଥିଲେ । ଏହି ସମୟରେ ତରାସାହି ଗାଁର ଲୋକେ କାଜୁ ତୋଳାକୁ ବିରୋଧ କରି ସଂଘବଦ୍ଧ ହୋଇ ମାରଣାସ୍ତ୍ର ଓ ଠେଙ୍ଗା ବାଡ଼ିରେ ଆକ୍ରମଣ କରିଥିଲେ । ଫଳରେ ଦୁଇ ଗାଁ ଲୋକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଆକ୍ରମଣରେ ବାଲିଡିଆ ଗାଁର ୧୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ ।
ବାଲିଡିଆ ଲୋକେ ଆହତ ଅବସ୍ଥାରେ ଜୀବନ ବଞ୍ଚାଇ ଡଙ୍ଗାରେ ନଦୀ ପାର୍ ହୋଇ ଗାଁକୁ ଆସିଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଅସ୍ତରଙ୍ଗ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।