• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ପାରାଦୀପଗଡ ପଂଚାୟତ ନିମିଢି ପିଡିଏ କଲୋନୀ ବାସିନ୍ଦା । ରାସ୍ତାଘାଟ ଶୋଚନୀୟ, ଡ୍ରେନେଜ ବିପର୍ଯ୍ୟସ୍ତ, ଲୋ-ଭୋଲଟେଜ୍ ସମସ୍ୟା, ପାନୀୟ ଜଳ ଯୋଗାଣ ଆଦି ସମସ୍ୟାରେ ଜୁଝି ହେଉଛନ୍ତି କଲୋନୀବାସୀ । ସମସ୍ୟା ସମ୍ପର୍କରେ ପିଡିଏ କର୍ତୃପକ୍ଷଙ୍କ ଠାରୁ ନେଇ ସରପଞ୍ଚ, ବିଡିଓ ସମସ୍ତେ ଅବଗତ ଥିଲେ ବି କେହି ଶୁଣୁନାହାନ୍ତି । ୨୨ ବର୍ଷ ଧରି ସମସ୍ୟାରେ ଘାଣ୍ଟି ହେବା ପରେ ଏବେ ଭାଙ୍ଗିଛି ଧର୍ଯ୍ୟର ବନ୍ଧ । ସମସ୍ୟାର ସମାଧାନ ତୁରନ୍ତ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ସେମାନେ ଦେଇଛନ୍ତି ଧମକ ।

ପାରାଦୀପଗଡ ପଂଚାୟତ ନିମିଢିରେ ରହିଛି ପାରାଦୀପ ଡେଭେଲପମେଂଟ ଅଥରିଟି ଦ୍ୱାରା ଆବଂଟିତ ଏକମାତ୍ର ପ୍ଲଟିଂ କଲୋନୀ । ୨୨ବର୍ଷ ତଳର ଏହି କଲୋନୀରେ ରାସ୍ତାଘାଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଜଳ ନିଷ୍କାସନର ବ୍ୟବସ୍ଥା ନାହିଁ । ସେପଟେ ଲୋ-ଭୋଲଟେଜ୍‌ ସମସ୍ୟା ବୋଝ ଉପରେ ନଳିତା ବିଡ଼ା ସାଜିଛି । ଫଳରେ ଏଥିରେ ଘାଣ୍ଟି ହେଉଛନ୍ତି କଲୋନୀବାସୀ । ଡିପ୍ ଟ୍ୟୁବ୍‌ୱେଲ୍ କିମ୍ବା ପାନୀୟ ଜଳ ଯୋଗାଣର ସୁବିଧା କରାଯାଇନି । ପିଡିଏ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି କିନ୍ତୁ ଫଳ ଶୂନ ।

ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ କେତେ ତତ୍ପର ତାହା ପ୍ରଶାସନିକ ଚିଠିପତ୍ର ଦିଆନିଆରୁ ସ୍ପଷ୍ଟ ବାରି ହୋଇଛି । ଚଳିତ ମାସ ୫ ତାରିଖରେ କଲୋନୀବାସୀଙ୍କ ସମସ୍ୟାର ସମାଧାନ ପାଇଁ କୁଜଙ୍ଗ ବିଡିଓଙ୍କୁ ପିଡିଏ କର୍ତୃପକ୍ଷ ଚିଠି ଲେଖିଲେ । ଚିଠିଟିକୁ ୧୯ ତାରିଖରେ ବିଡିଓ ଫରୱାର୍ଡ କଲେ ପାରଦୀପଗଡ ସରପଂଚଙ୍କ ନିକଟକୁ । ହେଲେ ପଞ୍ଚାୟତ ପିଡିଏ ପ୍ଲଟିଂ କଲୋନୀରେ ଅର୍ଥ ଖର୍ଚ୍ଚ କରିବାକୁ ଅମଙ୍ଗ । ନିଜ ପଂଚାୟତର ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଅର୍ଥ ଅଂଟୁନି ଯେତେବେଳେ ପିଡିଏ ପ୍ରୋଜେକ୍ଟରେ ଏତେ ଅର୍ଥ କୋଉଠୁ ଆଣି ଖର୍ଚ୍ଚ କରିବେ ବୋଲି କହି ସରପଂଚ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି ।

୯୨ ପ୍ଲଟ ବିଶିଷ୍ଟ ଏହି ପ୍ରୋଜେକ୍ଟ ଆରମ୍ଭ କରି ଦେଇ ପାରାଦୀପ ଉନ୍ନୟନ କର୍ତୃପକ୍ଷ ଦୀର୍ଘ ୨୨ ବର୍ଷ ନିଘୋଡ଼ ନିଦରେ ଶୋଇ ପଡିବା ପରେ ଏବେ ପ୍ରଶାସନିକ ଅଧିକାରୀମାନେ ଦାୟିତ୍ୱ ଠେଲାଠେଲି ହେଉଥିବା ନଜରକୁ ଆସିଛି । ଫଳରେ ସରକାରୀ ପ୍ଲଟ କିଣି ପସ୍ତାଉଥିବା କଲୋନୀବାସୀ ଏବେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।

 

(ରିପୋର୍ଟ- ରମାକାନ୍ତ ନାୟକ, ଜଗତସିଂହପୁର)