/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745042217.jpg)
Online Gaming
ଦର୍ଶକବନ୍ଧୁ ଆପଣ ବେଟିଂ ପରି ଅନଲାଇନ ଗେମ୍ ଖେଳୁଛନ୍ତି କି ? ରାତାରାତି ମାଲାମାଲ ହେବାକୁ ସେଥିରେ ପଇସା ଲଗାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! ନହେଲେ ଆପଣ ବଡ଼ ସ୍କାମର ଶିକାର ହୋଇପାରନ୍ତି । କାରଣ ଅନଲାଇନରେ ଏବେ ଅନେକ ଗେମ୍ ଆସିଲାଣି । ଯାହା ଅଳ୍ପ ପଇସାରେ ଅଧିକ ଲାଭର ଆଶା ଦେଖାଇ ଗ୍ରାହକଙ୍କୁ ଲୁଟୁଛନ୍ତି । ଯେପରି ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଡ୍ରାଗନ ଟାଇଗର ଅନଲାଇନ କ୍ୟାସିନୋ ଗେମ୍ । ଏହାକୁ ୧ ମିଲିୟନରୁ ଅଧିକ ଲୋକ ପ୍ଲେଷ୍ଟୋରରୁ ଡାଉନଲୋଡ କରିସାରିଲେଣି ।
ପ୍ରକୃତରେ ଏହା କ'ଣ ଏକ କାର୍ଡ ଗେମ୍ ? ଏହାକୁ ଅନଲାଇନ ଜୁଆ ବୋଲି କହି ହେବ କି ? ଏପରି ଗେମ୍ ନିଶାରେ ପଡ଼ିଛନ୍ତି ଯୁବପିଢି । କମ ସମୟରେ ଅଧିକ ପଇସା ରୋଜଗାର ଲୋଭରେ ଠକାମୀର ଶିକାର ହୋଇଛନ୍ତି । ୟୁଜରଙ୍କୁ ପ୍ରଥମେ ଏହି ଆପରେ ଲଗ୍ ଇନ୍ କରିବାକୁ ପଡ଼େ । ଏହାପରେ ପଇସା ଦେଇ ସେହି ଗେମର କରେନ୍ସି କିଣିବାକୁ ପଡିଥାଏ । ଖେଳରେ ୨ଟି ଅପ୍ସନ୍ ଥାଏ, ଗୋଟିଏ ହେଉଛି ଡ୍ରାଗନ ଅନ୍ୟଟି ଟାଇଗର ।
ଅଧିକ ପଢ଼ନ୍ତୁ: ଜଣେ ବ୍ୟକ୍ତିଙ୍କ ଅଦ୍ଭୁତ ଆଇଡିଆ; ଫ୍ୟାନ୍ରୁ ଆସିଲା AC ପରି ଥଣ୍ଡା
ଖେଳ ଆରମ୍ଭ ହୁଏ ୧୦ ସେକେଣ୍ଡର କାଉଣ୍ଟଡାଉନରୁ । ସେହି ସମୟ ମଧ୍ୟରେ ଆପଣଙ୍କ ସହ ଅନ୍ୟ ଖେଳାଳିମାନେ ଡ୍ରାଗନ, ଟାଇଗର ଓ ଟାଏ ଏହି ୩ଟି ଅପ୍ସନ ଭିତରୁ ଗୋଟିଏରେ ପଇସା ଲଗାଇବାକୁ ପଡ଼େ । କାଉଣ୍ଟଡାଉନ ଶେଷରେ ୨ଟି କାର୍ଡ ଦେଖାଯାଏ । ଆଉ ସବୁଠୁ ବଡ଼ କାର୍ଡ ହିଁ ଜିତିଥାଏ । ଉଦାହରଣ ସ୍ୱରୁପ ଯଦି ଡ୍ରାଗନ ପଟେ ଥିବା କାର୍ଡଟି ବଡ଼ ହୋଇଥାଏ ତେବେ ଡ୍ରାଗନରେ ପଇସା ଲଗାଇଥିବା ବ୍ୟକ୍ତି ଜିତିଥାନ୍ତି ।
ଏହା ଶୁଣିବାକୁ ସହଜ ଲାଗୁଥିଲେ ବି ଏହା ପଛରେ ସେତିକି ବିପଦ ଥାଏ । କାରଣ ଏଥିରେ ଆପଣ ଜିତିବାର ଚାନ୍ସ ୫୦-୫୦ ଥିଲେବି ପ୍ରକୃତ କଥା ଅଲଗା। କାରଣ ଏହା ଏକ ସଫ୍ଟଓୟାର ବେସ୍ ଗେମ ଏହାକୁ ସମ୍ପୃକ୍ତ ଆପ ଡେଭଲପରଙ୍କ ଦ୍ୱାରା ମ୍ୟାନୁପୁଲେଟ କରାଯାଇପାରେ । କାରଣ ବହୁ ସମୟରେ ଦେଖିବାକୁ ମିଳେ ଡ୍ରାଗନ ଓ ଟାଇଗର ମଧ୍ୟରୁ ଯେଉଁ ସାଇଡରେ ୟୁଜର ଅଧିକ ପଇସା ଲଗାଇଥିବେ ସେ ସାଇଡ ହିଁ ଅଧିକାଂଶ ସମୟରେ ହାରିଯାଇଥାନ୍ତି । ଏହାଦ୍ୱାରା ସମୃକ୍ତ ଆପ୍ ତିଆରି କରିଥିବା କମ୍ପାନୀ ଅଧିକ ଲାଭବାନ ହୋଇଥାନ୍ତି ।
ଏମିତି ହୁଏ ଜିତିଥିବା ପଇସାକୁ ଲୋକ ନିଜ ଆକାଉଣ୍ଟକୁ ନେବାକୁ ଚାହିଁଲେ ମଧ୍ୟ ପେମେଣ୍ଟ ଫେଲ୍ ହୁଏ ଓ ଆକାଉଣ୍ଟ ଶୂନ ହୋଇଯାଏ । ଆଉ ଆପଣ ଲଗାଇଥିବା କୋଟି କୋଟି ଟଙ୍କା କ୍ଷତି ହୋଇଯାଏ ।
ତେବେ କେବଳ ଡ୍ରାଗନ ଟାଇଗର ଅନଲାଇନ କ୍ୟାସିନୋ ନୁହଁ । ଏହାପରି ଅନେକ ଆପ୍ ଅନଲାଇନରେ ମିଳୁଛି । ଯେଉଁଥିରେ ପଇସା ଲଗାଇବାରୁ ଆପଣ ନିବୃତ୍ତ ରହିବା ଦରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)