• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର, (ରିପୋର୍ଟ- ସୌମ୍ୟ ରଞ୍ଜନ ସାହୁ, ଗୌତମ ପଣ୍ଡା): ରାଜ୍ୟର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବଢୁଛି ମଦ୍ୟପଙ୍କ ସଂଖ୍ୟା । ଗାଁ ଗହଳିରେ ବି ପୁରୁଷଙ୍କ ଅପେକ୍ଷା ମଦ ପ୍ରତି ଅଧିକ ସଂଖ୍ୟାରେ ଆସକ୍ତ ହେଉଛନ୍ତି ମହିଳା । ଶୁଣିବାକୁ କାନକୁ ଅଡୁଆ ଲାଗୁଥିଲେ ବି କଥାଟା ସତ ।

୨୦୨୦-୨୧ ବର୍ଷ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ NFHS-5 ରିପୋର୍ଟରେ ଆସିଛି ଏଭଳି ଅବିଶ୍ୱସନୀୟ ତଥ୍ୟ । ଓଡ଼ିଶାର ପରିସଂଖ୍ୟାନ ଉପରେ ନଜର ପକାଇଲେ ରିପୋର୍ଟ କହୁଛି, ଓଡ଼ିଶାର ସହରାଞ୍ଚଳରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ୨୨.୭ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହା ୩୦.୨ ପ୍ରତିଶତ । ସେହିଭଳି ସହରାଞ୍ଚଳରେ ମଦ୍ୟପାନ କରୁଥିବା ୧୫ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ସଂଖ୍ୟା ୧.୪ ପ୍ରତିଶତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହା ୪.୯ ପ୍ରତିଶତ ।

ସର୍ଭେକ୍ଷଣ ରିପୋର୍ଟ ଅନୁସାରେ ଓଡ଼ିଶାରେ ମଦ୍ୟପାନ କରୁଥିବା ଲୋକଙ୍କ ମଧ୍ୟରୁ ଏବେ ୪.୯ ପ୍ରତିଶତ ହେଉଛନ୍ତି ମହିଳା । ଏପଟେ ଓଡ଼ିଶା ଭଳି ଅନୁନ୍ନତ ଓ ପଛୁଆ ରାଜ୍ୟର ଗ୍ରାମୀଣ ମହିଳା, ସହରାଞ୍ଚଳ ମହିଳାଙ୍କୁ ପଛରେ ପକାଇ ଦେବା ପରେ ରାଜ୍ୟକୁ ସଂପୂର୍ଣ୍ଣ ମଦମୁକ୍ତ କରିବାକୁ ବର୍ଷ ବର୍ଷ ଧରି ମଦ ମୁକ୍ତି ସଂଗ୍ରାମ ଚଳାଇଥିବା ସଂଗଠନର ହୋସ୍ ଉଡ଼ିଯାଇଛି । ତେବେ ଏଥିପାଇଁ ସେମାନେ ସିଧା ସରକାରଙ୍କୁ ହିଁ ଦାୟୀ କରିଛନ୍ତି ।

ଗଲା କିଛି ବର୍ଷ ଧରି ଗ୍ରାମାଞ୍ଚଳରେ ମଦ ଉତ୍ପାଦନ ଓ ବିକ୍ରି ପାଇଁ ସରକାରୀ ବ୍ୟବସ୍ଥା ଓ ମଦର ଖୋଲା ପ୍ରଚାରପ୍ରସାର ପରେ ହୁଏତ, ତାର ପ୍ରଭାବ NFHS-5 ରିପୋର୍ଟରେ ଦେଖିବାକୁ ମିଳିଛି । ଏପଟେ ମଦ ମୁକ୍ତ ଓଡ଼ିଶା ପାଇଁ ଆନ୍ଦୋଳନ କରୁଥିବା ହାଇକୋର୍ଟର ଜଣେ ବରିଷ୍ଠ ଓକିଲଙ୍କ ଦ୍ୱାରା ଦାଏର ଜନସ୍ୱାର୍ଥ ମାମଲାରେ ବି ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ ମଦ ବିରୋଧରେ କଠୋର ବଦଳରେ ନରମ ମନୋଭାବ ପୋଷଣ ଲକ୍ଷ୍ୟ କରାଯାଇଛି । 

୧୯୫୬ରେ ମଦକୁ ସଂପୂର୍ଣ୍ଣ ନିଷେଧ ଲାଗି ରାଜ୍ୟ ସରକାର ଆଣିଥିବା ଓଡିଶା ପ୍ରୋହିବିସନ ଆକ୍ଟ ୧୯୫୬ରେ ଏପର୍ଯ୍ୟନ୍ତ ରୁଲ୍ ଫ୍ରେମ କରିନଥିବାରୁ ହାଇକୋର୍ଟରେ ଦାଖଲ ହୋଇଥିଲା ଜନସ୍ୱାର୍ଥ ମାମଲା । ହେଲେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୀତି ଆଉ ନିଷ୍ପତ୍ତିରେ କୌଣସି ତ୍ରୁଟି ନଥିଲେ କିମ୍ବା ବ୍ୟକ୍ତିର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉ ନଥିଲେ, ଏଥିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସରକାର ସତ୍ୟପାଠରେ ଦର୍ଶାଇଛନ୍ତି । ଏପରି ସ୍ଥଳେ ବିହାର ପରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ମଦ ମୁକ୍ତ ପାଇଁ କିଛି ସଂଗଠନ ଯେଉଁ ଅଭିଯାନ ଆରମ୍ଭ କରି ରାମରାଜ୍ୟର ସ୍ୱପ୍ନ ଦେଖୁଥିଲେ, ତାହା ଅବାସ୍ତବ ମନେ ହେଉଛି ।