• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖଲିକୋଟ୍: ସ୍ୱାମୀ ହତ୍ୟା ମାମଲାରୁ ମୁୁକୁଳିବା ପାଇଁ ଧରମ ମାଆଙ୍କୁ ଲୁଟିଲା ଝିଅ । କୋର୍ଟରେ କେଶ୍ ଲଢ଼ିିବା ଲାଗି ଦରକାର ହେଉଥିବା ଟଙ୍କା ଯୋଗାଡ଼ କରିବାକୁ ଧରମ ମା’ ଘରୁ ଲୁଟ୍ କଲା ଝିଅ । ଶେଷରେ ଗିରଫ ହୋଇ ଜେଲ୍ ଗଲେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ମହିଳା । ନିଜ କେଶ୍ ଲଢ଼ିବା ଲାଗି ଟଙ୍କା ଆବଶ୍ୟକ ହେବାରୁ ସଂପୃକ୍ତ ମହିଳା ବିଭିନ୍ନ ବସଷ୍ଟାଣ୍ଡରେ ବୁଲି ମହିଳାଙ୍କୁ ଟାର୍ଗେଟ କରୁଥିଲେ । 

ସୂଚନା ଅନୁଯାୟୀ, ଗତ ୨୦୧୭ ମସିହାରେ ସ୍ୱାମୀ ମର୍ଡର କେଶରେ ସମ୍ପୃକ୍ତ ଥାଇ ଜେଲ ଯାଇଥିଲେ ଅଭିଯୁକ୍ତାଜଣକ । ଜେଲ୍‌ରୁ ଫେରିଲା ପରେ କେଶ ଲଢ଼ିବା ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ବସଷ୍ଟାଣ୍ଡମାନଙ୍କରେ ଲୋକଙ୍କୁ ଟାର୍ଗେଟ କଲେ । ଏହି ସମୟରେ ୬ ମାସ ତଳେ କୋଦଳା ବସଷ୍ଟାଣ୍ଡରେ ଖଲ୍ଲିକୋଟ ଥାନା ବିକ୍ରମପୁର ଅଞ୍ଚଳର ନିରୁପମାଙ୍କ ସହ ଭେଟ ହୋଇଥିଲା । ନିରୁପମା ଅନେକ ସୁନା ଗହଣା ପିନ୍ଧିଥିବାରୁ ତାଙ୍କୁ ଟାର୍ଗେଟ କରିଥିଲେ । ଆଉ ସେହି ବସଷ୍ଟାଣ୍ଡରେ ହିଁ ତାଙ୍କ ସହ ସଂପର୍କ ସ୍ଥାପନ କରିଥିଲେ । ଆଉ ଫୋନ୍ ନମ୍ବର ଆଣି ଯୋଗାଯୋଗରେ ରହିଥିଲେ । ପରେ ପରେ ନିରୁପମାଙ୍କୁ ଧରମ ମା କରିଥିଲେ ।

ଏହି ଆଳରେ ତାଙ୍କ ଘରକୁ ଯାଆ ଆସ କରିବା ଆରମ୍ଭ କରିଥିଲେ । ଅକ୍ଟୋବର ୪ରେ ନିରୁପମାଙ୍କ ଘରକୁ ଆସି ସୁଯୋଗ ଦେଖି ସୁନାଗହଣା ଲୁଟିନେଇଥିଲେ । ପରେ ପରେ ଅକ୍ଟୋବର ୧୬ରେ ନିରୁପମା ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ସଂପୃକ୍ତ ମହିଳାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହାସହ ସେ ସୁନା ବିକିଥିବା ଦୋକାନୀଙ୍କୁ ମଧ୍ୟ ପୋଲିସ ଧରିଛି ।

ଗତ ଅକ୍ଟୋବର ୨ ତାରିଖରେ ନିରୁପମାଙ୍କ ଘରେ ପହଞ୍ଚି ଗୋଟିଏ ଦିନ ପାଇଁ ମହିଳା ଜଣକ ରହିଥିଲେ । ସେହି ସମୟ ଭିତରେ ନିରୁପମା ତାଙ୍କ ପୁଅ ବିବାହ ପାଇଁ ସୁନା ଅଳଙ୍କାର ରଖିଥିବା ଜାଣିବାକୁ ପାଇଲେ । ଏହାପରେ ଅକ୍ଟୋବର ୪ ତାରିଖରେ  ନିରୁପମା ଏବଂ ତାଙ୍କ ପୁଅ ବଜାରକୁ ମାଛ ଆଣିବା ପାଇଁ ଚାଲି ଯାଇଥିଲେ । ଏହାର ସୁଯୋଗ ନେଇ ମହିଳା ଜଣକ ସମସ୍ତ ସୁନା ଅଳଙ୍କାର ଗୁଡିକୁ ଚୋରି କରି ଫେରାର ହୋଇଯାଇଥିଲେ । ଚୋରି କରିଥିବା ସୁନାଗହଣାକୁ ସେ ବେଗୁନିଆପଡାର ଶିବ ଶଙ୍କର ସୁନା ଦୋକାନରେ ବିକ୍ରି କରିଦେଇଥିଲେ।