କଲେଜ ଓ ୟୁନିଭର୍ସିଟିରୁ କୋମଳମତି ପିଲା ପଢୁଥିବା ସ୍କୁଲକୁ ବି ମାଡିଲାଣି ରାଗିଂ ରୋଗ । ବର୍ବରତାର ସବୁ ସୀମା ପାର କରି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରକୁ ଅକଥନୀୟ ନିର୍ଯାତନା ଦେଇଛନ୍ତି ନବମ ଶ୍ରେଣୀ ପିଲା । ସ୍କୁଲ୍ ହଷ୍ଟେଲରେ ରାଗିଂ ନେଇ ଆସିଛି ସାଂଘାତିକ ଅଭଯୋଗ । କୋମଳମତି ପିଲାଙ୍କୁ ଅକଥନୀୟ ନିର୍ଯାତନା ଦେଲେ ସିନିୟର । ବାନ୍ଧିଲେ, ପିଟିଲେ, ହାତକୁ ବ୍ଲେଡରେ ପଟା ପଟା କରି କାଟିଦେଲେ । ଆଉ କ୍ଷତ ଜାଗାରେ ଘସିଲେ ଲୁଣ ।
ବର୍ବରତାର ସବୁ ସୀମା ଟପିଲେ ସିନିୟର । ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ଅତି ନିର୍ଦ୍ଦୟ ଓ ଅମାନୁଷିକ ଭାବରେ ଲହୁଲୁହାଣ କଲେ ନବମ କ୍ଲାସର କିଛି ପିଲା । ମୟୂରଭଞ୍ଜ ଜିଲ୍ଲାରୁ ଏମିତି ଘଟଣା ସାମ୍ନାକୁ ଆସିଛି । ପିଡୀତ ଛାତ୍ରଙ୍କ ଅବସ୍ଥା ଦେଖିଲେ ଯେକେହି ବି ବିଚଳିତ ହୋଇପଡିବେ । ଷଷ୍ଠ ଶ୍ରେଣୀର ପିଲା ହାତରେ ଥିବା କଟା ଚିହ୍ନ ସବୁ ଦର୍ଶାଉଛି ସେ କେମିତି ନିର୍ଯାତିତ ହୋଇଛନ୍ତି ।
Also Read
କ୍ଷତ ଭରିଥିଲେ ବି ଚିହ୍ନ ଆଜି ବି ଜଳଜଳ ଦିଶୁଛି । ଅଭିଯୋଗ ଅନୁସାରେ ଖୁଣ୍ଟା ଥାନା ଅଞ୍ଚଳର ହଷ୍ଟେଲରେ ରହି ପଢୁଥିବା ଛାତ୍ରଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ ନବମ ଶ୍ରେଣୀର କିଛି ପିଲା । ପିଡ଼ୀତ ଛାତ୍ର ଜଣକ ଛାତ ଉପରେ ମଦ ପିଉଥିବା ଦେଖି ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ । ଏକଥା ଜାଣିବା ପରେ ଦୁଇ ହାତକୁ ବାନ୍ଧି ନିସ୍ତୁକ ପିଟିଥିଲେ ସିନିୟର ।
ବ୍ଲେଡରେ ହାତକୁ କାଟି ତା ଉପରେ ଲୁଣ ମାରିଥିଲେ । ଛୁରୀ ଦେଖାଇ କାହାକୁ କିଛି କହିଲେ ଜୀବନରେ ମାରି ଦେବାକୁ ବି ଧମକାଇଥିଲେ । ଛାତ୍ର ଜଣକ ଛୁଟିପରେ ସ୍କୁଲ ଫେରିବାକୁ ଅମଙ୍ଗ ହେବାରୁ ବହୁ ପଚରାଉଚରା ପରେ ବାପାମାଆଙ୍କ ଆଗରେ ବଖାଣିଥିଲେ ନିର୍ଯାତନାର ଗୋଟି ଗୋଟି ସତ।
ଅଧିକ ପଢ଼ନ୍ତୁ: ୱକ୍ଫ ସଂଶୋଧନ ବିଲ୍: ଆଭିମୁଖ୍ୟ ବଦଳାଇଲା ବିଜେଡି, ବିବେକ ଅନୁସାରେ ଭୋଟ୍ ଦେବାକୁ ନିଷ୍ପତ୍ତି
ଗତ ଫେବ୍ରୁଆରୀରେ ଏହି ଘଟଣା ଘଟିଥିଲା । କିନ୍ତୁ, ସ୍କୁଲ କିମ୍ବା ହଷ୍ଟେଲ କର୍ତ୍ତୃପକ୍ଷ କେହି କିଛି ଜଣାଇ ନଥିବାରୁ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି ଅଭିଭାବକ । ତେବେ ରାଗିଂ ନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏନେଇ ତନାଘନା କରୁଛି । ଏତେ ବଡ଼ ଘଟଣାକୁ ଫେବ୍ରୁଆରୀ ମାସରୁ କର୍ତ୍ତୃପକ୍ଷ କିଭଳି ଲୁଚାଇଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ପ୍ରଧାନ ଶିକ୍ଷକ ଘଟଣା ବାବଦରେ ଛାତ୍ର ଜଣଙ୍କ ପୂର୍ବରୁ କିଛି ଜଣାଇ ନଥିବା ସଫେଇ ଦେଇଛନ୍ତି ।
ଅପରପକ୍ଷେ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ବି ଆସିଛି ସ୍କୁଲରେ ରାଗିଂ ଅଭିଯୋଗ । ଝାଡୁ ନକରିବାରୁ ନବମ କ୍ଲାସର ୨୦ରୁ ଅଧିକ ପିଲାଙ୍କୁ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରିଛନ୍ତି । କିଛି ପିଲାଙ୍କର ଗୋଡ଼ରେ ନୋଳା ଚିହ୍ନ ଥିବା ବେଳେ କେହି କେହି ଚଲାବୁଲା କରିବାରେ କଷ୍ଟ ଅନୁଭବ କରୁଛନ୍ତି । ଖବର ପାଇ ନିଜ ପିଲାଙ୍କୁ ଘରକୁ ନେଇ ଯାଉଛନ୍ତି ଅଭିଭାବକ ।
ଅଭିଯୋଗକୁ ପ୍ରଧାନ ଶିକ୍ଷୟିତ୍ରୀ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ କହିଥିବା ବେଳେ ସ୍କୁଲରେ ତଦନ୍ତ କରିଛନ୍ତି ନୀଳଗିରି ପୋଲିସ ଓ ବାଲେଶ୍ବର ଜିଲ୍ଲା ମଙ୍ଗଳ ଅଧିକାରୀ । ଶିକ୍ଷାର ମନ୍ଦିରରେ କୋମଳମତି ଶିଶୁଙ୍କ ଭିତରେ ରାଗିଂ ମାନସିକତାକୁ ନେଇ ଚିନ୍ତା ବଢିଛି । ଶିକ୍ଷାବିତଙ୍କ ମତରେ, କର୍ତ୍ତୃପକ୍ଷ ପିଲାଙ୍କ ସବୁ ଭଲମନ୍ଦରେ ଅଧିକ ଜଡିତ ହେବାକୁ ପଡ଼ିବ । ଶିକ୍ଷକ ଶିକ୍ଷୟିତ୍ରୀ ନିଜ ଉତ୍ତରଦାୟିତ୍ବ ବଢ଼ାଇଲେ ଏଭଳି ଘଟଣାକୁ ଏଡାଯାଇ ପାରନ୍ତା।