• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୀନର କାରାସାଦି ଦୃଷ୍ଟିରୁ ଭାରତ ଚିନ୍ତିତ ହେବା କଥା କି? ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଆଦୌ ନୁହେଁ । କାରଣ ଚୀନର ଗତିବିଧିକୁ ଦେଖି ଭାରତ ଏହାର ଲଦାଖ ରଣନୀତିରେ ବର୍ଷେ ତଳୁ ହିଁ ପରିବର୍ତ୍ତନ ଆରମ୍ଭ କରିଛି । ଚୀନକୁ ଜବାବ ଦେବା ଲାଗି ଭାରତୀୟ ବାୟୁସେନା ନିଜ ଆକ୍ରମଣକାରୀ ୟୁନିଟକୁ ମୁତୟନ କରିଛି । ସେହିପରି ଜେ-୨୦ ଫାଇଟର ଜେଟର ମୁକାବିଲା ଲାଗି ରାଫେଲ, ସୁଖୋଇ ଓ ମିରାଜ୍-୨୦୦- ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ମୁତୟନ କରାଯାଇଛି ।

ଲଦାଖରେ ଚୀନ୍ ବିରୋଧରେ ଭାରତର ଯେସାକୁ ତେସା ନୀତି । ଚୀନ୍ ମିଗ୍-21 ଭଳି ବିମାନକୁ ହଟାଇ ଏଲ୍ଏସି ନିକଟବର୍ତ୍ତୀ ହୋଟାନ ଏୟାର ବେସରେ J-20 ଷ୍ଟେଲ୍ଥ ଫାଇଟର ଜେଟ୍ ମୁତୟନ କରିବା ପରେ ତତ୍ପର ହୋଇଛି ଭାରତୀୟ ବାୟୁସେନା । ଯେକୌଣସି ସ୍ଥିତିର ସମ୍ମୁଖୀନ ହେବା ଲାଗି ଭାରତୀୟ ବାୟୁସେନା ରାଫେଲ, ସୁଖୋଇ ଓ ମିରାଜ୍-2000 ଭଳି ଅତ୍ୟାଧୁନିକ ଲଢ଼ୁଆ ବିମାନ ସୀମା ନିକଟରେ ମୁତୟନ କରିଛି । ତାସହିତ ସୈନ୍ୟ ଓ ଭାରି ଅସ୍ତ୍ରଶସ୍ତ୍ର ତୁରନ୍ତ ସୀମାରେ ପହଞ୍ଚାଇବା ଲାଗି AN 32, C-130 J, C-17 ଆଦି ପରିବହନ ବିମାନ ଏବଂ ଆପାଚି ଓ ଚିନୁକ୍ ହେଲିକପ୍ଟରକୁ ବି ସଜାଗ ରଖାଯାଇଛି । ଏହା ବ୍ୟତିତ ସ୍ଥଳଭାଗରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର, ରାଡାର ଏବଂ ଡ୍ରୋନ ବି ମୁତୟନ ରହିଛି ।

୨୦୨୦ରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଉଗ୍ର ରୂପ ଧାରଣ କରିଥିବା ବେଳେ ହୋଟାନ ଏୟାର ବେସରେ J-20 ଫାଇଟର ଜେଟ୍ ଉଡ଼ୁଥିବା ସୂଚନା ମିଳିଥିଲା । ସଦ୍ୟତମ ସୂଚନା ଅନୁସାରେ ଏଠାରେ ଚୀନ୍ J-20 ମୁତୟନ କରିଥିବା ସ୍ପଷ୍ଟ ହୋଇଛି । ତାସହିତ ବୋମା ବର୍ଷଣକାରୀ ବିମାନ ଓ ଅନ୍ୟ ଫାଇଟର ଜେଟ୍ ବି ଏଠାରେ ରଖାଯାଇଛି । ତେବେ ଏହି ମୁତୟନ ଦ୍ୱାରା ଭାରତ ପ୍ରତି ବିଶେଷ ବିପଦ ନାହିଁ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି । କାରଣ ସମ୍ମୁଖ ଯୁଦ୍ଧ ହେଲେ J-20 ବିମାନ ଭାରତର ରାଫେଲ, ସୁଖୋଇ ଓ ମିରାଜ୍ ଆଦିର ମୁକାବିଲା କରିପାରିବ ନାହିଁ ।

ତିବ୍ବତ୍ର ଉଚ୍ଚ ପର୍ବତାଞ୍ଚଳରେ ନିର୍ମିତ ଚୀନ୍ ଏୟାର ବେସ୍ ମଧ୍ୟ ବିଶେଷ କାମରେ ଆସିବ ନାହିଁ । କାରଣ ଏହି ଉଚ୍ଚତାରେ J-20ର କାଯର୍ୟଦକ୍ଷତା ପ୍ରମାଣିତ ହୋଇନଥିବା ବେଳେ, ଏହାର ଅସ୍ତ୍ର ବହନ ଓ ଆକ୍ରମଣ କ୍ଷମତା ବହୁମାତ୍ରାରେ ହ୍ରାସ ପାଇବ । ମାତ୍ର ଭାରତ ନିକଟରେ ଥିବା ରାଫେଲ ଏହି ଉଚ୍ଚତାରେ ଦକ୍ଷତାର ସହ ନିଜ କର୍ତ୍ତବ୍ୟ ସଂପାଦନ କରିସାରିଛି । ସେ ଦୃଷ୍ଟିରୁ ଭାରତୀୟ ବାୟୁସେନା ସହ ସମ୍ମୁଖ ଯୁଦ୍ଧ ଲାଗି ଚୀନ ବାୟୁସେନା କେବେ ବି ସାହସ କରିବ ନାହିଁ ।

ସେ ଦୃଷ୍ଟିରୁ ସାମ୍ନା ସାମ୍ନି ଯୁଦ୍ଧ ପରିବର୍ତ୍ତେ ଚୀନ୍ J-20 ଷ୍ଟେଲ୍ଥ ବା ରାଡାରରେ ଧରାନପଡିବା ବ୍ୟବସ୍ଥାର ଉପଯୋଗ କରିବା ସହ ଭାରତୀୟ ରାଡାର, ଏୟାର ଡିଫେନ୍ସ ପ୍ରଣାଳୀ ଓ ଏୟାର ବେସ୍କୁ ଟାର୍ଗେଟ କରିପାରେ । ସେ ଦୃଷ୍ଟିରୁ ଭାରତକୁ ସତର୍କ ରହିବାକୁ ପଡିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।