Advertisment

ଚନ୍ଦ୍ର ପୃଷ୍ଠକୁ କବ୍‌ଜା ଲକ୍ଷ୍ୟରେ କି ଚୀନ୍?

୨୦୨୪ରେ ନାସା ଚନ୍ଦ୍ରର କକ୍ଷକୁ ମଣିଷ ପଠାଇବ।

author-image
Chandan Shishu
China wants to take over the moon

China wants to take over the moon

ଚନ୍ଦ୍ର ପୃଷ୍ଠକୁ କବଜା କରିବା ଲକ୍ଷ୍ୟରେ ଚୀନ୍। ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଆମେରିକା ମହାକାଶ ଗବେଷଣା ସଂସ୍ଥା NASAର ବରିଷ୍ଠ ଅଧିକାରୀ ବିଲ୍ ନେଲସନ। ଚନ୍ଦ୍ରପୃଷ୍ଠକୁ ନିଜ ନିୟନ୍ତ୍ରଣକୁ ନେବା, ଚୀନର ସାମରିକ ମହାକାଶ ଅଭିଯାନ କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ ବୋଲି ସେ କହିଛନ୍ତି। ୨୦୩୫ ସୁଦ୍ଧା ଚୀନ ଚନ୍ଦ୍ରରେ ମୁନ୍ ଷ୍ଟେସନ ନିର୍ମାଣ କରିବ ଓ ସମଗ୍ର ଉପଗ୍ରହକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ନେଲସନ୍। ଚୀନର ମହାକାଶ ଅଭିଯାନ ସାମରିକ ଉଦ୍ଦେଶ୍ୟରେ ବୋଲି ସେ ଜୋର ଦେଇ କହିଛନ୍ତି।

Advertisment

ଚନ୍ଦ୍ରର ଦକ୍ଷିଣ ମେରୁରେ ପାଣି ଥିବା ସମ୍ଭାବନା ଦୃଢୀଭୂତ ହେଉଥିବାରୁ ଏହି ଅଞ୍ଚଳକୁ ନିୟନ୍ତ୍ରଣରେ ରଖିବା ଲାଗି ଭବିଷ୍ୟତରେ ତୀବ୍ର ପ୍ରତିଯୋଗିତା ହେବ ବୋଲି ସେ କହିଛନ୍ତି। ସେ କାହିଁକି ଏଭଳି ଆଶଙ୍କା ପ୍ରକାଶ କରୁଛନ୍ତି ବୋଲି ପ୍ରଶ୍ନରେ ନେଲସନ  କହିଛନ୍ତି ଯେ, ଚୀନର ମହାକାଶଚାରୀମାନେ ଅନ୍ୟ ଦେଶର ଉପଗ୍ରହକୁ କିଭଳି ନଷ୍ଟ କରିହେବ ସେ ବିଷୟରେ ଗବେଷଣା ଚଳାଇଛନ୍ତି। ସେହିପରି ଚୀନ୍ ବୈଜ୍ଞାନିକ ଆମେରିକୀୟ ବୈଜ୍ଞାନିକଙ୍କ ସହ ମିଳିତ ଭାବେ କାମ କରିବାକୁ ମନା କରିବା ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇ ଥିବାରୁ ଚୀନ୍‌ର ମନ୍ଦ ଉଦ୍ଦେଶ୍ୟ ସଂପର୍କରେ ତାଙ୍କ ପ୍ରତେୟ ଦୃଢୀଭୂତ ହୋଇଥିବା କହିଛନ୍ତି ନେଲସନ୍।

ସେପଟେ ନାସାର ଅଭିଯୋଗକୁ ଖଣ୍ଡନ କରିଛି ଚୀନ। ତଥ୍ୟକୁ ନଯାଇ ନାସା ଅଧିକାରୀ ଦାୟିତ୍ୱହୀନ ମନ୍ତବ୍ୟ ଦେବା କିଛି ନୂଆ କଥା ନୁହେଁ ବୋଲି କହିଛନ୍ତି  ଚୀନ୍ ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଝାଓ ଲିଝିଆନ୍। ଆମେରିକା ଚୀନ୍ ବରୁଦ୍ଧରେ ମିଥ୍ୟା ପ୍ରଚାର ଚଳାଇଥିବା ସେ ଅଭିଯୋଗ କରିଛନ୍ତି। ମହାକାଶକୁ  କିଭଳି ସାମୁହିକ ହିତ ଲାଗି ବ୍ୟବହାର କରିହେବ ସେନେଇ ଚୀନ୍ ଚେଷ୍ଟା କରୁଛି। ଏଠାରେ କୌଣସି ପ୍ରକାର ସାମରିକ କାର୍ଯ୍ୟକ୍ରମ ଓ ଅସ୍ତ୍ର ପ୍ରତିଯୋଗିତାକୁ ବେଜିଂ ଦୃଢ଼ ଭାବେ ବିରୋଧ କରେ ବୋଲି ଲିଝିଆନ୍ କହିଛନ୍ତି।

Advertisment

ଆର୍ଟେମିସ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ୨୦୨୪ରେ ନାସା ଚନ୍ଦ୍ରର କକ୍ଷକୁ ମଣିଷ ପଠାଇବ। ସେହିପରି ୨୦୨୫ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶଚାରୀଙ୍କୁ ଅବତରଣ କରାଇବା ଲାଗି ଲକ୍ଷ୍ୟ ରଖିଛି। ଏଥିଲାଗି ପ୍ରକ୍ରିୟା ବି ଆରମ୍ଭ ହୋଇଛି। ୬ ଦିନ ତଳେ ନ୍ୟୁଜିଲ୍ୟାଣ୍ଡରୁ ମହାକାଶ ପ୍ରେରଣ କରାଯାଇଥିବା ନାସାର ଏକ କ୍ଷୁଦ୍ର ଉପଗ୍ରହ ପୃଥବୀ କକ୍ଷରୁ ପୃଥକ ହୋଇ ଚନ୍ଦ୍ର ମୁହାଁ ହୋଇଛି। ୪ ମାସ ମଧ୍ୟରେ ଏହା ଚନ୍ଦ୍ରରେ ପହଞ୍ଚିବା ପରେ ମାନବ ଅବତରଣ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ।

ଅନ୍ୟପକ୍ଷରେ ୨୦୧୩ରେ ପ୍ରଥମ କରି ନିଜ ମହାକାଶଯାନକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇବାରେ ସଫଳ ହୋଇଥିଲା ଚୀନ୍। ୨୦୩୦ ବେଳକୁ ଏହା ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ନିଜ ସ୍ପେଶକ୍ରାଫ୍ଟ ଅବତରଣ କରାଇବାକୁ ଯୋଜନା କରିଛି। ଏଥିପାଇଁ ଉଚ୍ଚ କ୍ଷମତାସଂପନ୍ନ ରକେଟ୍ ନିର୍ମାଣ ଜାରି ରହିଛି। ପରବର୍ତ୍ତୀ ସମୟରେ ଏହି ରକେଟ୍‌କୁ ମାନବ ପ୍ରେରଣ ଲାଗି ବ୍ୟବହାର କରାଯିବ।

Advertisment
Advertisment