• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କେନ୍ଦ୍ରାପଡ଼ା ଜିଲ୍ଲାର ୩୦ ବର୍ଷୀୟ ଯୁବକ ସାଗର ପ୍ରଧାନ । ୩୦ ବର୍ଷ ବୟସରେ ସେ ଯେଉଁ ଖ୍ୟାତି ଅର୍ଜନ କରିଛନ୍ତି, ତାହା ବୋଧ ହୁଏ ତାଙ୍କ ବୟସର ଖୁବ୍ କମ୍ ପିଲା ଅର୍ଜନ କରିଥିବେ । ଏକାଧାରରେ ସେ ଜଣେ ଲେଖକ ଏବଂ ସଫ୍ଟୱେୟାର ଇଞ୍ଜିନିୟର । ପିଲାଟି ବେଳୁ ତାଙ୍କର ଲେଖାଲେଖି କରିବାର ପ୍ରବଳ ଇଚ୍ଛା ।

ବୟସ ବଢ଼ିବା ସାଙ୍ଗକୁ ସାଗରଙ୍କ ଲେଖା ମାର୍ଜିତ ହେବାରେ ଲାଗିଲା । ଏପରିକି ସ୍କୁଲ ସମୟରେ ସେ ଏକ ବି‌ଜ୍ଞାନ ପତ୍ରିକାର ସମ୍ପାଦକ ମଧ୍ୟ ଥିଲେ । ଲେଖିବା ପ୍ରତି ତାଙ୍କର ଆଗ୍ରହ ବଢ଼ିବା ସାଙ୍ଗକୁ ତାଙ୍କ ମନରେ କିନ୍ତୁ ଏକ ପ୍ରଶ୍ନ ଉଙ୍କି ମାରିଲା । ସେ ଅନୁଭବ କଲେ ଯେ ବହି ଲେଖିବା ଏବଂ ମୁଦ୍ରଣ କରିବା ପରିବେଶ ଉପରେ ବେଶ୍ ପ୍ରଭାବ ପକାଇଥାଏ । ଏଥିପାଇଁ ଏକାଧିକ ଗଛ କାଟିବାକୁ ପଡ଼େ । କିନ୍ତୁ ଯେତେବେଳେ ପୁସ୍ତକଟି ପ୍ରକାଶ ହୁଏ, ଶ୍ରେୟ ସର୍ବଦା ପ୍ରକାଶକ ଓ ଲେଖକକୁ ଯାଏ ଗଛକୁ ନୁହେଁ । ସାହିତ୍ୟ ପ୍ରତି ଗଛର ଭୂମିକା ଯେ ମୁଖ୍ୟ ତାହା ବୋଧ ହୁଏ କେହି ଜାଣନ୍ତି ନାହିଁ ।

ପରିବେଶର କ୍ଷତିର ଭରଣା କରିବା ପାଇଁ ସାଗର ଏକ ବଡ଼ ନିଷ୍ପତ୍ତି ନେଲେ । ଲେଖକ ଭାବରେ ତାଙ୍କର ରୋଜଗାରକୁ ସେ ଗଛ ଲଗାଇବାରେ ଖର୍ଚ୍ଚ କରିବେ । ୨୦୦୮ ପରଠାରୁ ସେ ହଜାର ହଜାର ଗଛ ଲଗାଇବାରେ ସାହାଯ୍ୟ କରିଛନ୍ତି ଏବଂ ସମଗ୍ର ଭାରତରେ ୧୨ ଟି ପୋଖରୀକୁ ପୁନର୍ଜୀବିତ କରିଛନ୍ତି । ୨୦୨୦ ରେ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ସେ ମିଳିତ ଜାତିସଂଘରୁ ବିଶ୍ୱ ପରିବେଶ ଦିବସ ହିରୋ ପୁରସ୍କାର ଅର୍ଜନ କରିଥିଲେ ।

World Environment Day HeroWorld Environment Day Hero

୨୦୦୭ ଏବଂ ୨୦୦୮ ରେ ସେ ତିନୋଟି ପୁସ୍ତକ ଲେଖିଥିଲି - Mathematics For U, Bigyan Katha, ପାକ୍ଷିକ ପତ୍ରିକା, ବିହାରା ଏବଂ ଏକ ଓଡିଆ କବିତା ପୁସ୍ତକ । ସାଗର ଏହି ପୁସ୍ତକଗୁଡ଼ିକୁ ସ୍ଥାନୀୟ ଅଞ୍ଚଳରେ ପ୍ରକାଶିତ କରିଥିଲେ ଏବଂ ସମସ୍ତ ରୋଜଗାରକୁ ବୃକ୍ଷରୋପଣ ଏବଂ ମଞ୍ଜି ବଣ୍ଟନ ପାଇଁ ବ୍ୟବହୃତ କରିଥିଲେ ।

୨୦୧୨ ରେ ସେ ଇଞ୍ଜିନିୟରିଂ ପାଠପଢ଼ା ସାରି ଏକ ସଫ୍ଟୱେୟାର କମ୍ପାନୀରେ କାମ କରିବାକୁ ଲାଗିଲେ । ସେଠାରେ ସେ ରାସ୍ତାଘାଟ, ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଗଛ ଲଗାଇବା ଆରମ୍ଭ କଲେ । ପ୍ରଥମେ ଲୋକେ ତାଙ୍କୁ ଏନେଇ ସମର୍ଥନ କରୁଥିଲେ । କିନ୍ତୁ ପରେ ପ୍ରତିବାଦ ମଧ୍ୟ କରିଥିଲେ । ଲୋକଙ୍କ ଅଭିଯୋଗ ଥିଲା ଯେ, ଅଧିକ ଗଛ ଲଗାଇବା ଫଳରେ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ କି ତାଙ୍କ ଘରକୁ ସୂର୍ଯ୍ୟକରିଣ ମଧ୍ୟ ପଡୁନାହିଁ ।

ଏହାପରେ ସାଗର ସ୍ଥାନୀୟ NGO ସଂସ୍ଥାଙ୍କ ସହ ମିଶି ବୃକ୍ଷରୋପଣ କଲେ । ସେ ନିଜର ରୋଜଗାର ଟଙ୍କାକୁ ଏନ୍‌ଜିଓକୁ ଦେଉଥିଲେ, ଯାହାଦ୍ୱାରା ଅଧିକ ମାତ୍ରାରେ ବୃକ୍ଷରୋପଣ ହୋଇପାରିବ । ଦିନେ ପଡ଼ୋଶୀ ଗାଁର ଏକ ଏନ୍‌ଜିଓକୁ ଦେଇଥିବା ଟଙ୍କାରେ କାମ କେତେ ବାଟ ଯାଇଛି, ତାହା ତଦାରଖ କରିବା ବେଳେ ଦେଖିଲେ ଯେ ସେ ଦେଇଥିବା ଟଙ୍କାରେ ସେଠାରେ ଗଛ ଲଗାଯାଇନାହିଁ । ସେଥିପାଇଁ ସେ ସ୍ଥିର କଲେ ଯେ ମିଳିତ ଜାତିସଂଘ ସହିତ ଜଡିତ ଏନଜିଓଗୁଡ଼ିକ ସହ କାର୍ଯ୍ୟ କରିବେ । ଏହାପରେ ସେ ଅନୁଭବ କଲେ ଯେ, ସେ ଦେଉଥିବା ଟଙ୍କା ଉପଯୁକ୍ତ କାର୍ଯ୍ୟରେ ଲାଗୁଛି ।

ଏହାପରେ ସେ କର୍ଣ୍ଣାଟକ, ହାଇଦ୍ରାବାଦରେ ହ୍ରଦର ପୁନରୁଦ୍ଧାର, ସହରରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ଆଦି କାମ ଏନଜିଓ ସହ ମିଶି କରିଥିଲି । ଆଜିଯାଏଁ ସେ ଓଡିଶା ଏବଂ ଭାରତର ବିଭିନ୍ନ ସ୍ଥାନରେ ହଜାର ହଜାର ଗଛ ଲଗାଇଛନ୍ତି । ସେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ୨୮ଟି ପୁସ୍ତକ ପ୍ରକାଶିତ କରିଥିଲେ, ଯେଉଁଥିରେ ଲୋକେ ଗଛ ଲଗାଇବା ଏବଂ ପରିବେଶକୁ ସବୁଜ ରଖିବା ପାଇଁ ପ୍ରେରଣା ପାଇବେ । 

ସାଗର କହିଛନ୍ତି ଯେ, ଜାତିସଂଘରେ ତାଙ୍କର ଖୁବ୍ ପ୍ରଶଂସା କରାଯାଇଥିଲା । ସେ କାମ କରୁଥିବା ଏକ ଏନ୍‌ଜିଓ ତରଫରୁ ତାଙ୍କ ନାମ ନାମାଙ୍କନ ପାଇଁ ଦିଆଯାଇଥିଲା । ଜାତିସଂଘ ପକ୍ଷରୁ ପରିବେଶ ସଂରକ୍ଷଣ ପାଇଁ ତାଙ୍କର ପ୍ରୟାସକୁ ଆନ୍ତର୍ଜାତୀୟ ସଂସ୍ଥା ସ୍ୱୀକୃତି ଦେଇଥିଲେ ଏବଂ ସେ ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ବିବେଚନା କରାଯାଇଥିଲା । ଏହାପରେ ତାଙ୍କୁ ଅନ୍ତର୍ଜାତୀୟ ପରିବେଶ ଦିବସ ହିରୋ ଭାବେ ସମ୍ମାନିତ କରାଯାଇଥିଲା ।