ପପ୍ ଷ୍ଟାର କେଟି ପେରିଙ୍କ ସମେତ ପାଞ୍ଚ ଜଣ ମହିଳା ସୋମବାର (ଏପ୍ରିଲ ୧୪) ରେ କିଛି ମିନିଟ ପାଇଁ ବିଲେନିୟର ଜେଫ୍ ବେଜୋସଙ୍କ ଘରୋଇ କମ୍ପାନୀ ବ୍ଲୁ ଅରିଜିନର ଏକ ରକେଟ୍ ଯୋଗେ ମହାକାଶ ଯାତ୍ରାର ଅନୁଭବ ନେଇଛନ୍ତି । ୧୯୬୩ ପରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ମହିଳା କ୍ରୁ ମହାକାଶକୁ ଯାଇଥିବା କୁହାଯାଉଛି । ସେ ସମୟରେ ରୁଷ୍ ଇଞ୍ଜିନିୟର ଭେଲେଣ୍ଟିନା ତେରେଶକୋଭା ଏକାକୀ ମହାକାଶକୁ ଯାଇଥିଲେ। ୧୧ ମିନିଟ୍ ଯାତ୍ରା ପରେ ମହାକାଶ ଯାନଟି ପୃଥିବୀ ପୃଷ୍ଠରେ ଅବତରଣ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେଟି ପେରିଙ୍କ ସହ ଏହି ମହାକାଶ ଯାତ୍ରା କରିଥିବା ମହିଳାମାନଙ୍କ ମଧ୍ୟରେ ଅଛନ୍ତି ଚଳଚ୍ଚିତ୍ର ନିର୍ମାତା କେରିୟନ ଫ୍ଲିନ୍, ନାସା ରକେଟ୍ ବୈଜ୍ଞାନିକ ଆୟଶା ବୋୱେ, ଜୈବ ମହାକାଶ ବିଜ୍ଞାନ ଗବେଷକ ଆମାଣ୍ଡା ଗୁଏନ, ଟିଭି ବ୍ୟକ୍ତିତ୍ୱ ଗେଲ କିଙ୍ଗ ଏବଂ ସାମ୍ବାଦିକ ଲରେନ୍ ସାଞ୍ଚେଜ୍ ।
ଉଲ୍ଲେଖନୀୟ ଏହି ସମ୍ପୂର୍ଣ୍ଣ ଉଡ଼ାଣ ସ୍ୱୟଂଚାଳିତ ଥିଲା। ମହିଳା ଯାତ୍ରୀମାନେ ଶବ୍ଦଠାରୁ ତିନି ଗୁଣ ବେଗରେ ମହାକାଶକୁ ଯାଇଥିଲେ । ବିମାନର କର୍ମଚାରୀମାନେ ସ୍ଥାନୀୟ ସମୟ ସକାଳ ୮ଟା ୩୦ରେ ପଶ୍ଚିମ ଟେକ୍ସାସରୁ ଉଡ଼ାଣ ଭରିଥିଲେ । ଏକ ରକେଟ୍ କ୍ରୁ କ୍ୟାପସୁଲକୁ ନେଇ ଆକାଶକୁ ଉଡ଼ାଣ ଭରିଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ପହଞ୍ଚିବା ପରେ ଉଭୟ ଅଲଗା ହୋଇଗଲେ। କ୍ରୁ କ୍ୟାପସୁଲ ମହାକାଶରୁ ଫେରିବା ପରେ ଏହା ଏକ ପାରାଚୁଟ୍ ଏବଂ ଏକ ରେଟ୍ରୋ ରକେଟ୍ ଦ୍ୱାରା ଧୀରେ ଧୀରେ ଭୂମିରେ ପଡ଼ିଥିଲା । କ୍ୟାପସୁଲରୁ ବାହାରିବା ପରେ କେଟି ପେରି ଭୂମିକୁ ଚୁମ୍ବନ କରିଥିଲେ ।
Also Read
୧୧ ମିନିଟର ମହାକାଶ ଯାତ୍ରା
ଏହି ମିଶନ ପ୍ରାୟ ୧୧ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ନ୍ୟୁ ସେପର୍ଡ ରକେଟ୍ ମହିଳାମାନଙ୍କୁ ପୃଥିବୀଠାରୁ ୧୦୦ କିଲୋମିଟରରୁ ଅଧିକ ଉଚ୍ଚତାକୁ ନେଇଯାଇଥିଲା । ତା’ପରେ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ମହାକାଶ ସୀମାକୁ (ଯାହା କାର୍ମନ ରେଖା ଭାବରେ ଜଣାଶୁଣା) ଅତିକ୍ରମ କରିଥିଲା ଏବଂ ତଳକୁ ଓହ୍ଲାଇବା ପୂର୍ବରୁ ସମସ୍ତେ କିଛି ମିନିଟ୍ ପାଇଁ ଓଜନହୀନତାର ସ୍ଥିତି ମଧ୍ୟ ଅନୁଭବ କରିଥିଲା ।
କାର୍ମନ ଲାଇନ ପର୍ଯ୍ୟନ୍ତ ଯାତ୍ରା
ମହାକାଶ ଯାତ୍ରା ସମୟରେ, ଏହି ମହିଳାମାନେ କାର୍ମନ ରେଖା ପାର କରିଥିଲେ। ଏହା ପ୍ରକୃତରେ ପୃଥିବୀ ଏବଂ ମହାକାଶ ମଧ୍ୟରେ ଏକ କାଳ୍ପନିକ ରେଖା। ଏହି ରେଖାକୁ ପୃଥିବୀର ଶେଷ ଏବଂ ମହାକାଶର ଆରମ୍ଭ ବୋଲି ବିବେଚନା କରାଯାଏ। ଏହି ରେଖା ଫେଡେରେସନ୍ ଏରୋନାଟିକ୍ ଇଣ୍ଟରନ୍ୟାସନାଲ୍ ଦ୍ୱାରା ନିର୍ଣ୍ଣୟ କରାଯାଇଥିଲା ।
ବ୍ଲୁ ଅରିଜିନ ଅନୁଯାୟୀ, ମହାକାଶକୁ ଯାତ୍ରା କରିଥିବା ବ୍ଲୁ ଅରିଜିନର ଏହି ସମ୍ପୂର୍ଣ୍ଣ ମହିଳା କ୍ରୁ ମିଶନ୍ ୧୧ତମ ମାନବଯୁକ୍ତ ମହାକାଶଯାତ୍ରା ଥିଲା। ୧୯୬୩ ପରେ ପ୍ରଥମ ଥର ପାଇଁ ବିନା ପୁରୁଷରେ ମହିଳାଙ୍କ ମିଶନ ମହାକାଶକୁ ଯାତ୍ରା କରିଥିଲା ।
୧୧ ମିନିଟର ଯାତ୍ରା ପାଇଁ କେତେ ଖର୍ଚ୍ଚ ହୋଇଥିଲା ?
ବ୍ଲୁ ଅରିଜିନ୍ ରକେଟରେ ୧୧ ମିନିଟର ମହାକାଶ ଯାତ୍ରା ପାଇଁ ୧.୧୫ କୋଟି ଟଙ୍କା ଖର୍ଚ୍ଚ ହୁଏ। ବ୍ଲୁ ଅରିଜିନ୍ ମୁଖପାତ୍ର ବିଲ୍ କିର୍କୋସ୍ ସିଏନଏନ ସହିତ ଏକ ସାକ୍ଷାତକାର ସମୟରେ ପ୍ରକାଶ କରିଛନ୍ତି, କେଟି ପେରିଙ୍କ ସହିତ ମହାକାଶ ଯାତ୍ରା କରିଥିବା କିଛି ମହିଳା ମାଗଣାରେ ଯାତ୍ରା କରିଛନ୍ତି, କିନ୍ତୁ କିଏ କେତେ ଟଙ୍କା ଦେଇଛନ୍ତି ସେକଥା ପ୍ରକାଶ କରି ନାହାନ୍ତି ।
ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ୨୦୨୧ ମସିହାରେ ଏହାର ପ୍ରଥମ ବିଶ୍ୱସନୀୟ ଉଡ଼ାଣରେ, ବ୍ଲୁ ଅରିଜିନ ୨୮ ନିୟୁତ ଡଲାରରେ ଏକ ସିଟ୍ ନିଲାମ କରିଥିଲା। ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ବ୍ଲୁ ଅରିଜିନର ପ୍ରତିଯୋଗୀ ଭର୍ଜିନ୍ ଗାଲାକ୍ଟିକ୍ ୨୦୦,୦୦୦ ଡଲାର ରୁ ୪୫୦,୦୦୦ ଡଲାର ମଧ୍ୟରେ ରାଇଡ୍ ମଧ୍ୟ ପ୍ରଦାନ କରିଛନ୍ତି।
ସମସ୍ତଙ୍କୁ ଟଙ୍କା ଦେବାକୁ ପଡ଼ିବ କି ?
ସମସ୍ତଙ୍କୁ ମହାକାଶ ଯାତ୍ରା ପାଇଁ ଲକ୍ଷ ଲକ୍ଷ ଡଲାର ଦେବାକୁ ପଡିବ ନାହିଁ। ଷ୍ଟାର ଟ୍ରେକ୍ ଷ୍ଟାର ୱିଲିୟମ୍ ଶାଟନର ଏବଂ ଆମେରିକୀୟ ଟେଲିଭିଜନ ହୋଷ୍ଟ ମାଇକେଲ ଷ୍ଟ୍ରାହାନଙ୍କ ପରି ସେଲିବ୍ରିଟିମାନେ ବ୍ଲୁ ଅରିଜିନର ଅତିଥି ଭାବରେ ମାଗଣାରେ ନ୍ୟୁ ସେପର୍ଡ ସବଅର୍ବିଟାଲ୍ ଲଞ୍ଚ ଯାନରେ ଉଡ଼ିଥିବା ଜଣାପଡ଼ିଛି। ମହାକାଶ ଯାତ୍ରା ବୁକିଂ କମ୍ପାନୀ ସ୍ପେସଭିଆଇପିର ସହ-ପ୍ରତିଷ୍ଠାତା ରୋମାନ ଚିପୋରୁଖା କହିଛନ୍ତି, ଏ ରୋମାଞ୍ଚକର ଯାତ୍ରା ଟଙ୍କାକୁ ନେଇ ନୁହେଁ, ଏହା ଏକ ପ୍ରକାରର ପ୍ୟାକେଜ୍ ଡିଲ୍।
ବ୍ଲୁ ଅରିଜିନ ସମ୍ପର୍କରେ...
ଏଲନ ମସ୍କଙ୍କର ସ୍ପେସଏକ୍ସ ଭଳି ଏକ କମ୍ପାନୀ ହେଲା ବ୍ଲୁ ଅରିଜିନ, ଏହି ମହିଳାମାନଙ୍କୁ ମହାକାଶ ଯାତ୍ରା କରାଇଛି । ଆମାଜନ ମାଲିକ ଜେଫ୍ ବେଜୋସ୍ ଏହାର ମୁଖ୍ୟ । ବ୍ଲୁ ଅରିଜିନ୍ ଲୋକଙ୍କୁ ମହାକାଶ ଯାତ୍ରା କରାଯାଇଥାଏ। ୨୫ ବର୍ଷ ପୂର୍ବେ ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଏହି କମ୍ପାନୀ । ଏଥିରେ ଉଡ଼ାଣ ଭରିଥିବା ସମସ୍ତ ମହିଳା କ୍ରୁଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା..
କେଟି ପେରି - ଆମେରିକାର ସବୁଠାରୁ ପ୍ରସିଦ୍ଧ ମହିଳା ଗାୟିକାମାନଙ୍କ ମଧ୍ୟରୁ ଜଣେ । ଆମେରିକୀୟ ଗାୟିକା, ସଂଗୀତକାର ଏବଂ ଟେଲିଭିଜନ ଜଜ୍ କେଟି ପେରି ତାଙ୍କର ରୋର, ଡାର୍କ ହର୍ସ, ଫାୟାରୱାର୍କ ଭଳି ଗୀତଗୁଡ଼ିକ ବିଲବୋର୍ଡର ଲୋକପ୍ରିୟତା ରାଙ୍କିଂରେ ଶୀର୍ଷରେ ରହିଛି । ବିଲବୋର୍ଡ ଏକ ପତ୍ରିକା ଏବଂ ୱେବସାଇଟ୍ ଯାହା ସାରା ବିଶ୍ୱରେ ସଂଗୀତ ଆଲବମ୍, ଗୀତ ଏବଂ ଗାୟକମାନଙ୍କୁ ଟ୍ରାକ୍ କରେ ଏବଂ ଏହାର ସାପ୍ତାହିକ ସଂସ୍କରଣରେ ସେମାନଙ୍କୁ ସ୍ଥାନିତ କରେ। କେଟି ପେରିଙ୍କର ଆନୁମାନିକ ସମ୍ପତ୍ତି ୪୦୦ ମିଲିୟନ ଡଲାର । ପେରି ଦଶ ବର୍ଷରୁ ଅଧିକ ସମୟ ଧରି ବିଶ୍ୱର ସର୍ବାଧିକ ଆୟ କରୁଥିବା କଳାକାରମାନଙ୍କ ମଧ୍ୟରୁ ଜଣେ ହୋଇ ଆସିଛନ୍ତି । ସେପ୍ଟେମ୍ବର ୨୦୨୩ରେ ସେ ତାଙ୍କର ଗୀତ ଲାଇବ୍ରେରୀ ଲିଟମସ୍ ମ୍ୟୁଜିକକୁ ୨୨୫ ମିଲିୟନ ଡଲାରରେ ବିକ୍ରି କରିଥିଲେ।
ଲରେନ୍ ସାଞ୍ଚେଜ୍ ଜେଫ ବେଜୋସ
ମେକ୍ସିକାନ୍-ଆମେରିକୀୟ ଲରେନ୍ ସାଞ୍ଚେଜ୍ ଜଣେ ଜଣାଶୁଣା ଲେଖିକା । ସେ he Fly Who Flew to Space ନାମକ ଏକ ପୁସ୍ତକ ଲେଖିଛନ୍ତି । ୧୯୮୭ ମସିହାରେ ହାଇସ୍କୁଲ ପରେ, ସାଞ୍ଚେଜ୍ ନ୍ୟୁ ମେକ୍ସିକୋ ବିଶ୍ୱବିଦ୍ୟାଳୟରେ ଆକ୍ଟିଂ ଓ ସ୍ପିଚ ଅଧ୍ୟୟନ କରିଥିଲେ। ପରେ ସେ କାଲିଫର୍ନିଆ ଯାଇ ଏଲ୍ କାମିନୋ କଲେଜରେ ନାମ ଲେଖାଇଲେ। ସେଠାକାର ଜଣେ ପ୍ରଫେସର ଜାଣିପାରିଲେ ଯେ ସାଞ୍ଚେଜଙ୍କର ଡିସଲେକ୍ସିଆ ଅଛି। ପରେ ଲରେନ୍ ଇଣ୍ଟରନ୍ୟାସନାଲ ଡିସଲେକ୍ସିଆ ଆସୋସିଏସନକୁ ସମର୍ଥନ କରିବା ଆରମ୍ଭ କଲେ। ଡିସଲେକ୍ସିଆ - ଏକ ଶିକ୍ଷଣ ଅକ୍ଷମତା ଯାହା ପଢ଼ିବା, ଲେଖିବା ଏବଂ ବନାନ କରିବାରେ ଅସୁବିଧା ସୃଷ୍ଟି କରେ। ଏହି କଷ୍ଟ ସତ୍ତ୍ୱେ, ଲରେନ୍ ସାଞ୍ଚେଜ୍ ତାଙ୍କର ସାହିତ୍ୟିକ ଛାପ ସୃଷ୍ଟି କରିଛନ୍ତି। କିଛି ଦିନ ପୂର୍ବରୁ ଲରେନ ସାଞ୍ଚେଜ ଓ ୬୦ ବର୍ଷୀୟ ଜେଫ୍ ବେଜୋସଙ୍କ ବିବାହ ହେବ ବୋଲି ଶୁଣିବାକୁ ମିଳୁଥିଲା । ଏହି ବିବାହ କଲୋରାଡୋର ଆସ୍ପେନରେ ଅନୁଷ୍ଠିତ ହେବାର ଥିଲା ।
ଗେଲ୍ କିଙ୍ଗ
ଗେଲ୍ କିଙ୍ଗ ଆମେରିକୀୟ ସମାଚାର ସଂଗଠନ CBS ନ୍ୟୁଜର ଜଣେ ସାମ୍ବାଦିକା ଏବଂ ଲେଖିକା ଏବଂ ଜଣେ ବାଣିଜ୍ୟିକ ମହାକାଶଚାରୀ ମଧ୍ୟ। ଟାଇମ୍ ପତ୍ରିକା ୨୦୧୯ ମସିହାରେ ଗେଲ୍ କିଙ୍ଗଙ୍କୁ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ କରିଥିଲା।
ଆୟଶା ବୋୱେ
ଆୟଶା ବୋୱେ ଜଣେ ବାହାମିଆନ୍-ଆମେରିକୀୟ ଏରୋସ୍ପେସ୍ ଇଞ୍ଜିନିୟର। ସେ STEMPBoard ନାମକ ଏକ ପ୍ରଯୁକ୍ତିବିଦ୍ୟା କମ୍ପାନୀର ପ୍ରତିଷ୍ଠାତା ଏବଂ ସିଇଓ । ଏହି କମ୍ପାନୀ ଆମେରିକୀୟ ସରକାରଙ୍କ ସଂଗଠନ ଗୁଡ଼ିକୁ ବୃତ୍ତିଗତ ପରାମର୍ଶ ସେବା ପ୍ରଦାନ କରେ। ଆୟଶା ବୋୱେଙ୍କୁ NASA ପକ୍ଷରୁ Equal Employment Opportunity Medal, US Women's Chamber of Commerce Emerging Star Award ଓ Virginia Business magazine’s Black Business Leaders Award ପ୍ରଦାନ କରାଯାଇଛି।
ଆମାଣ୍ଡା ଗୁଏନ
ଏହି ୬ ଜଣ ମହିଳା କ୍ରୁ ସଦସ୍ୟଙ୍କ ମଧ୍ୟରେ ଆମାଣ୍ଡା ଗୁଏନଙ୍କ ନାମ ମଧ୍ୟ ସାମିଲ ରହିଛି । ଆମାଣ୍ଡା ଜଣେ ଆମେରିକୀୟ ସାମାଜିକ ଉଦ୍ୟୋଗୀ, ନାଗରିକ ଅଧିକାର କର୍ମୀ, ବାଣିଜ୍ୟିକ ମହାକାଶଚାରୀ ଏବଂ ରାଇଜ ନାମକ ଏକ ଅଣ-ସରକାରୀ ନାଗରିକ ଅଧିକାର ସଂଗଠନ ସିଇଓ ଏବଂ ପ୍ରତିଷ୍ଠାତା। ସେ Sexual Assault Survivors' Rights Act ର ଡ୍ରାପ୍ଟ ତିଆରି କରିଥିଲେ, ଯାହାକୁ ଯୁକ୍ତରାଷ୍ଟ୍ର କଂଗ୍ରେସ ସର୍ବସମ୍ମତିକ୍ରମେ ଗୃହୀତ କରିଥିଲା। ଆମାଣ୍ଡାଙ୍କୁ ୨୦୧୯ ନୋବେଲ ଶାନ୍ତି ପୁରସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଥିଲା। ଏହା ବ୍ୟତୀତ ତାଙ୍କୁ ୨୦୨୨ ଟାଇମ୍ ମହିଳା ଅଫ୍ ଦି ଇୟର ମଧ୍ୟରୁ ଗୋଟିଏରେ ନାମିତ କରାଯାଇଥିଲା।
କେରିଅନ୍ ଫ୍ଲିନ
କେରିଅନ୍ ଫ୍ଲିନ ଜଣେ ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା। ଦି ଅଟୋମେଟିକ୍ ହେଟ୍ (୨୦୧୫), ଦିସ୍ ଚେଞ୍ଜେସ୍ ଏଭ୍ରିଥିଙ୍ଗ୍ (୨୦୧୮) ଏବଂ ଲିଲି (୨୦୨୪) ଚଳଚ୍ଚିତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି ।