• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

ଆପଣ କେବେ ଅସୁସ୍ଥ ସମ୍ପର୍କୀୟଙ୍କୁ ଦେଖିବାକୁ ଗଲାବେଳେ କିମ୍ୱା କାହା ଘରକୁ ବୁଲିବାକୁ ଗଲାବେଳେ ଫଳ ନେଇ ଯିବାକୁ ନିଶ୍ଚୟ ଭାବୁଥିବେ। ହେଲେ କେବେ ଭାବିଛନ୍ତି, ଏ ଫଳରେ ଏମିତି କଅଣ ରହିଛି ଯେ, ଏହା ଖାଇବାକୁ ଆମକୁ ଡାକ୍ତର ବି ପରାମର୍ଶ ଦିଅନ୍ତି। ଏହାର ଗୋଟେ ସାଧାରଣ ଉତ୍ତର ଆସିବ- ଫଳରେ ସବୁ ପ୍ରକାର ଭିଟାମିନ୍ ରହିଛି। ହେଲେ ପ୍ରକୃତରେ ସେୟା ନୁହେଁ। ଫଳରେ ଅନେକ ପ୍ରକାର ପୁଷ୍ଟିତତ୍ତ୍ୱ ବା ନ୍ୟୁଟ୍ରିଏଣ୍ଟ ଥାଏ ଯାହା ଆମ ଶରୀରକୁ ବିଭିନ୍ନ ଉପାୟରେ ସୁସ୍ଥ ରଖେ। ସବୁ ପ୍ରକାର ଫଳରେ ଭିନ୍ନ ଭିନ୍ନ ପ୍ରକାରର ପୋଷକ ଥାଏ। ଆୟୁର୍ବେଦ କୁହେ- ଯେବେ ଫଳ ପାଚିଯାଏ ଓ ନିର୍ଦ୍ଦିଷ୍ଟ ଋତୁରେ ଖିଆଯାଏ, ସେତେବେଳେ ଏହା ସ୍ୱାସ୍ଥ୍ୟପାଇଁ ଅମୃତ ସଦୃଶ ହୋଇଥାଏ। ଠିକ୍ ରୂପେ ପ୍ରାକୃତିକ ଉପାୟରେ ପାଚିଥିବା ଫଳ ପାଚନରେ ସହଜ ହୋଇଥାଏ ଏବଂ ଶରୀରର ଉର୍ଜ୍ଜା ବା ଓଜସ୍‌କୁ ଦୃଢ଼ କରିଥାଏ। ତେବେ ଆସନ୍ତୁ ଆଜି କଥା ହେବା ଫଳ ଖାଇବାର କିଛି ନିୟମ ଓ କିଛି ଫଳର ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ।

ତେବେ ପ୍ରଥମେ ଆପଣ କୁହନ୍ତୁ, ଫଳ କଥା କହିଲେ ଆପଣଙ୍କ ଆଖିରେ ପ୍ରଥମେ କଅଣ ଆସେ। ନିଶ୍ଚୟ ସେଓ, କମଳା, କଦଳୀ, ଅଙ୍ଗୁର, ଆମ୍ବ, ଲିଚୁ, ଇତ୍ୟାଦିର ଛବି ଆପଣଙ୍କ ମୁଣ୍ଡକୁ ଆସିବ। କାରଣ ଏହି ସବୁ ଫଳ ଆମେ ନିୟମିତ ଖାଇଥାଉ ଏବଂ ଏଗୁଡ଼ିକ ସବୁବେଳେ ପ୍ରାୟ ବଜାରରେ ମିଳେ। ଏହି ଫଳଗୁଡ଼ିକରୁ ଆଜି କିଛି ଫଳର ପୋଷକ ତତ୍ତ୍ୱ ବିଷୟରେ ଆଲୋଚନା କରିବା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ଡାକ୍ତର ଓ ଖାଦ୍ୟ ବିଶେଷଜ୍ଞମାନଙ୍କ ମତରେ ଖାଦ୍ୟଯୋଗ୍ୟ ଫଳର ପ୍ରାୟ 2000 ପ୍ରକାର ବଜାରରେ ଉପଲବ୍ଧ। ବିଭିନ୍ନ ଫଳରେ ଭିନ୍ନ ଭିନ୍ନ ପ୍ରକାରର ପୋଷକ ରହିଥାଏ। ତେବେ ଆସନ୍ତୁ ନିୟମିତ ଖାଇବାକୁ ମିଳିଯାଉଥିବା କିଛି ଫଳ ବିଷୟରେ କଥା ହେବା।

ଆପଣ ଗୋଟେ କଥା ଶୁଣିଥିବେ- An apple a day, keeps the doctor away. ସେଓ ବା ଆପଲ୍ ଯଥେଷ୍ଟ ତନ୍ତୁଜାତୀୟ ପୋଷକରେ ଭରପୂର। ଦୁଇ ପ୍ରକାର ଫାଇବର ବା ତନ୍ତୁଜାତୀୟ ପୋଷକ ରହିଥାଏ। ଦ୍ରବଣୀୟ ଓ ଅଦ୍ରବଣୀୟ। ଏହି ଦୁଇ ପ୍ରକାର ପୋଷକ ସହ ଉଦ୍ଭିଦଜାତ ପଲିଫିନଲ ସେଓରେ ରହିଛି। ସବୁଦିନ ସେଓ ଖାଇବା ଦ୍ୱାରା ହୃଦ୍ ରୋଗ, ଡାଇବେଟିସ୍, ରକ୍ତଚାପ, ମେଦବୃଦ୍ଧି, ସ୍ନାୟୁଜନିତ ବ୍ୟାଧିଗୁଡ଼ିକରୁ ମୁକ୍ତି ମିଳେ। କିନ୍ତୁ ମନେ ରଖନ୍ତୁ ଯେ ସେଓ ଖାଇବା ଆଗରୁ ଏହାର ଚୋପା ଛଡ଼ାଇ ନିଅନ୍ତୁ, କାରଣ ଏହାକୁ ସତେଜ ରଖିବା ଓ ଭଲ ଦିଶିବା ପାଇଁ ଅନେକ ପ୍ରକାର ରାସାୟନିକ ପଦାର୍ଥ ଏହା ଉପରେ ବ୍ୟବହୃତ ହୁଏ।

ଦ୍ୱିତୀୟରେ କମଳା ଯାହା କି ଭିଟାମିନ୍ ସି ରେ ପରିପୂର୍ଣ୍ଣ। ଆମ ଦୈନନ୍ଦିନ ଆବଶ୍ୟକ ଭିଟାମିନ୍ ସି ର 91 ପ୍ରତିଶତ ଆମକୁ କମଳା ଖାଇବା ଦ୍ୱାରା ମିଳିଥାଏ। ଏହାସହିତ ପୋଟାସିୟମ୍, ଲୌହ, ଭିଟାମିନ୍ ବି1 ପରି ପୋଷକ ତତ୍ତ୍ୱଗୁଡ଼ିକରେ ମଧ୍ୟ କମଳା ଭରପୂର। ଏହା କୋଲେଷ୍ଟରଲ, ଉଚ୍ଚ ରକ୍ତଚାପ, ଶରୀର ପ୍ରଦାହ ବା ଜଳାପୋଡ଼ା ଓ ଖାଦ୍ୟ ପରର ଶର୍କରା ସ୍ତର ବୃଦ୍ଧିକୁ ନିୟମିତ କରିବାରେ ସାହାଯ୍ୟ କରିଥାଏ। କମଳା ଜୁସ୍‌ରେ ଆଣ୍ଟିଅକ୍ସିଡାଣ୍ଟରେ ଭରି ରହିଥିବା ବେଳେ ଏହା ତନ୍ତୁଜାତୀୟ ଦ୍ରବ୍ୟରେ ପୂର୍ଣ୍ଣ। ଏଣୁ ଜୁସ୍ ଅପେକ୍ଷା ଗୋଟା ଖାଇବା ଦ୍ୱାରା ଉପଯୁକ୍ତ ପୋଷକ ମିଳିଥାଏ। ଶରୀରରୁ ଫ୍ରୀ ରାଡିକଲସ୍ ବା ମୁକ୍ତ ଆୟନ ସଫା କରି ତ୍ୱଚା ଓ ଚର୍ମକୁ ସ୍ୱସ୍ଥ ରଖିବାରେ କମଳା ଓ ଲେମ୍ବୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କମଳାରେ ଥିବା ପେକ୍ଟିନ୍ ଆମର କୋଲନ୍‌କୁ ସୁସ୍ଥ ରଖେ। ଫଲିକ୍ ଏସିଡ୍ ଆମକୁ ରକ୍ତହୀନତାରୁ ବଞ୍ଚାଏ ଓ ଆମର ଜନନ ତନ୍ତ୍ର ବା ରିପ୍ରଡକ୍ଟିଭ୍ ସ୍ୱାସ୍ଥ୍ୟ ଭଲ ରଖେ।

କଦଳୀ ଏକ ଏପରି ଫଳ ଯାହା ପୋଟାସିୟମ୍‌ରେ ଭରପୂର ଯାହା କି 451 ମି.ଗ୍ରା/ଏକ କଦଳୀ। ଆମର ନିତି ଆବଶ୍ୟକ ପୋଟାସିୟମ୍ ପରିମାଣରୁ 7 ପ୍ରତିଶତ କଦଳୀରୁ ମିଳେ। ଏହା ସହ ଭିଟାମିନ୍ ବି6ର ଦୈନିକ ଆବଶ୍ୟକତାର 27 ପ୍ରତିଶତ, ଭିଟାମିନ୍ ସି ର 12 ପ୍ରତିଶତ ଓ ମ୍ୟାଗ୍ନେସିୟମ୍‌ର 8 ପ୍ରତିଶତ ମିଳିଥାଏ। ପଲିଫିନଲ ଓ ପଲିଏଥିନଲ ପରି ଉଦ୍ଭିଦଜାତ ଯୌଗିକ ମଧ୍ୟ ଏଥିରେ ପ୍ରଚୁର ରହିଛି। ପାଚନ ଶକ୍ତି ଭଲ ରଖିବା ସହ ରକ୍ତହୀନତାରୁ ସୁସ୍ଥ କରେ ନିୟମିତ ଏକ କଦଳୀ। ଏହା ସହ ବ୍ୟାୟାମ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଦୈନିକ କଦଳୀ ଖାଇବା ଉପକାରୀ ଶ୍ୱେତସାର ଯୋଗାଇଥାଏ। ଏହାକୁ ଚୁଡ଼ା, ଓଟସ୍ ଆଦି ଖାଦ୍ୟରେ ଚିନି ନ ପକାଇ ଅଳ୍ପ ମିଠା ପାଇଁ ବ୍ୟବହାର କରାଯାଇପାରେ।

ଡାଳିମ୍ୱ ଏପରି ଏକ ଫଳ ଯାହା ଆଣ୍ଟିଅକ୍ସିଡାଣ୍ଟ ଓ ପଲିଫିନଲରେ ପରିପୂର୍ଣ୍ଣ, ତେଣୁ ମସ୍ତିଷ୍କ ସମ୍ବନ୍ଧିତ ରୋଗ ଯେପରିକି ସ୍ନାୟୁଜନିତ ବ୍ୟାଧିଗୁଡ଼ିକ ପାଇଁ ରାମବାଣ ସଦୃଶ। ପାର୍କିନସନ୍ସ ଡିଜିଜ୍ ଓ ଆଲଜାଇମରସ୍ ଡିଜିଜ୍ ଆଦି ପାଇଁ ଖୁବ୍ ଲାଭପ୍ରଦ। ନିୟମିତ ଡାଳିମ୍ବ ଖାଉଥିବା ବ୍ୟକ୍ତିଙ୍କର ପ୍ରୋଷ୍ଟେଟ୍ କର୍କଟ ହେବାର ସମ୍ଭାବନା କମ୍ ଥାଏ। ଶରୀରର ପ୍ରଦାହ କମ୍ କରିବା ସହ ଏହା ହିମୋଗ୍ଲୋବିନ୍ ବଢ଼ାଇବାରେ ସାହାଯ୍ୟ କରେ।

ଆଉ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ହେଲା ପିଜୁଳି। ଭିଟାମିନ୍ ସି ରେ ଭରପୂର ପିଜୁଳି ଆମର ଦୈନନ୍ଦିନ ପୋଷଣ ଆବଶ୍ୟକତାର 140 ପ୍ରତିଶତ ପୂରଣ କରିଥାଏ। ଆଣ୍ଟିଅକ୍ସିଡାଣ୍ଟ, ବେଟା କ୍ୟାରୋଟିନ୍ ଓ ଫ୍ଲାବୋନଏଡ୍ ପ୍ରଚୁର ପରିମାଣରେ ରହିଥିବା ବେଳେ ଏହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ। ଆଖି, ହୃତପିଣ୍ଡ, କିଡନି ଓ ଚର୍ମ ଆଦି ସୁସ୍ଥ ରହିବା ପାଇଁ ନିୟମିତ ଭାବେ ପିଜୁଳି ଖାଇବା ଦରକାର। ଏହା କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ବା ଶର୍କରା ସୂଚକାଙ୍କ କମ୍ ଥିବାରୁ ଏହା ଡାଇବେଟିସ୍ ଥିବା ବ୍ୟକ୍ତିଙ୍କ ପାଇଁ ଭଲ ହୋଇଥାଏ। ପ୍ରାୟ ସମସ୍ତଙ୍କ ଘର ବଗିଚାରେ ଯେମିତି ହେଲେ ପିଜୁଳି ଗଛ ଥିବା ବେଳେ ନିତି ଏହା ଖାଇବାକୁ ସହଜ ହୋଇଥାଏ।

ଏହା ସବୁ ଫଳ ବାଦ୍ ଆଉ କିଛି ଫଳ ଯେପରିକି ତରଭୂଜ, ଆମ୍ବ, ଷ୍ଟ୍ରବେରି, ଲିଚି ଆଦି ବର୍ତ୍ତମାନ ବଜାରରେ ସହଜରେ ମିଳିଯାଉଛି। ଏଗୁଡ଼ିକ ମଧ୍ୟ ଭିଚାମିନ୍ କେ ଓ ସି ଭରପୂର ଥିବା ବେଳେ ଦୈନିକ ଖାଇବା ପାଇଁ ଭଲ ହୋଇଥାଏ।

ଏବେ ଜାଣିବା ଫଳ ଖାଇବାର କିଛି ନିୟମ ବିଷୟରେ। ଆୟୁର୍ବେଦ ଅନୁସାରେ ଫଳକୁ କୌଣସି ଖାଦ୍ୟସହ ମିଶାଇ ଖାଇବା ଉଚିତ୍ ନୁହେଁ। ଏହାକୁ ଖାଲି ପେଟରେ ମଧ୍ୟ ଖାଇବା ଉଚିତ୍ ନୁହେଁ, କାରଣ ଫଳରେ ଥିବା ଏସିଡ୍ ବା ଅମ୍ଲୀୟ ଅଂଶ ପାଚନରେ ଅସୁବିଧା ତଥା ଅମ୍ଲଦୋଷ ସୃଷ୍ଟି କରେ। ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ମଧ୍ୟରେ ଫଳ ଖାଇପାରିବେ। ତା ବ୍ୟତୀତ ଦିନ ମଧ୍ୟରେ କେତେବେଳେ ସ୍ନାକ୍ସ ହିସାବରେ ମଧ୍ୟ ଫଳ ଖାଇପାରିବେ। ରାତିରେ ଫଳ ଖାଇବାରେ ବାରଣ ରହିଛି। କାରଣ ଫଳରେ ରହିଥିବା ଶର୍କରା ଫ୍ରୁକ୍ଟୋଜ୍ ରାତିରେ ଶରୀରଦ୍ୱାରା ଉପଯୋଗ ହୋଇପାରିନଥାଏ। ରାତିରେ ଇନସୁଲିନ୍ ସ୍ତର ମଧ୍ୟ ଅଧିକ ଥାଏ। ତେଣୁ ଏହା ପ୍ରକାରାନ୍ତରେ ରକ୍ତ ଶର୍କରା ବଢ଼ାଇବାର କାରଣ ହୁଏ। ଅମ୍ଲ ଦୋଷଥିବା ଲୋକେ ସେଓକୁ ସିଜାଇ ଖାଇପାରିବେ। ଆମ୍ବ, ଡାଳିମ୍ବ, ଅଙ୍ଗୁର ଆଦି ଫଳକୁ ସାଧାରଣ ଘରମାନଙ୍କରେ ଅଧିକ ଦିନ ଯାଏଁ ସଂରକ୍ଷିତ ରଖିବା ପାଇଁ ଆଚାର ତିଆରି କରି କିମ୍ୱା ଶୁଖାଇ ମଧ୍ୟ ରଖାଯାଇଥାଏ।

ଫଳ ଖାଇବାକୁ ନେଇ କେତେକ ଭୁଲ ଧାରଣା ରହିଛି, ଯେପରିକି ଥଣ୍ଡା ହେଲେ ସେଓ, କଦଳୀ ଆଦି ଖାଇବା ଉଚିତ୍ ନୁହେଁ। କିନ୍ତୁ ଏହା ପ୍ରକୃତରେ ଭୁଲ୍। ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ସାଧାରଣ ଥଣ୍ଡା ଓ ଜର ଆଦି ସମୟରେ ସେଓ ଆଦି ଜଳୀୟ ଅଂଶଥିବା ଖାଦ୍ୟ ଖାଇବା ଉଚିତ୍। କିନ୍ତୁ କୌଣସି ରୋଗୀକୁ ଦେଖିବାକୁ ଗଲାବେଳେ ମନେ ରଖନ୍ତୁ, ଯଦି ସେ କୌଣସି କିଡନି ଜନିତ କିମ୍ବା ମୂତ୍ରରୋଗ ଜନିତ ରୋଗରେ ପୀଡ଼ିତ ତେବେ ତାଙ୍କ ପାଇଁ ବିଲକୁଲ ଫଳ ନିଅନ୍ତୁ ନାହିଁ। କାରଣ ଫଳରେ ଥିବା ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଆଦି ଖଣିଜ ଲବଣ ଏକ ଅସୁସ୍ଥ କିଡନୀ ଉପରେ ପ୍ରଭାବ ପକାଏ।

ନଡ଼ିଆ, ଅଁଳା ପରି ଫଳ ସ୍ୱାସ୍ଥ୍ୟକର ହେବା ସହ ଧାର୍ମିକ ଭାବେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏଣୁ ଆମ ପୁରାାତନ ଆୟୁର୍ବେଦ ଓ ପୌରାଣିକ ଶାସ୍ତ୍ରରେ ଫଳକୁ ଅମୃତର ମାନ୍ୟତା ଦିଆଯାଇଥିବା ବେଳେ ବର୍ତ୍ତମାନ ଫଳକୁ ବ୍ୟବସାୟରେ ଲାଭ ପାଇଁ ଅପ୍ରାକୃତିକ ଉପାୟରେ ପାଚିବାକୁ ଛଡ଼ାଯାଉଛି। ବିଭିନ୍ନ ହରମୋନ୍ ବ୍ୟବହାର କରାଯାଇ ଫଳକୁ ପଚାଯାଉଛି ଓ ଜଲଦି ବଢ଼ାଯାଉଛି। ଏବେ ସବୁ ଋତୁରେ ସମସ୍ତ ପ୍ରକାର ଫଳ ମିଳୁଛି। ହେଲେ ମନେ ରଖନ୍ତୁ କେବଳ ପ୍ରାକୃତିକ ଉପାୟରେ ଉତ୍ପନ୍ନ ଫଳ ହିଁ ଶରୀରରକୁ ଆବଶକୀୟ ପୋଷଣ ଦେଇଥାଏ। ସେଥିପାଇଁ ଆମକୁ ପ୍ରତି ଋତୁରେ ହେଉଥିବା ଫଳ ଖାଇବା ଜରୁରୀ।

OTV is now on Whatsapp

Join and get latest news update delivered to you via whatsapp

Join Now