• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ।  ଏଥର ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ତିଆରି ହୋଇଛି ବିଶାଳ ଗଣେଶ ପ୍ରତିମା । ବଡ଼ଗଡ଼ ବ୍ରାଇଟ୍ ଷ୍ଟାର୍ କ୍ଲବ ଚଳିତ ବର୍ଷ ସର୍ବାଧିକ ୫୧ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଥିବା ବେଳେ ନୟାପଲ୍ଲୀ ନୂଆସାହିରେ ଆଖଣ୍ଡଳମଣି କ୍ଲବ୍ ପକ୍ଷରୁ ତିଆରି ହୋଇଛି ୫୦ ଫୁଟ୍‌ର ମୂର୍ତ୍ତି ।

ସେହିପରି ସହିଦନଗର ଓ୍ୱିନର କ୍ଲବ୍ ପକ୍ଷରୁ ଏଥର ୪୬ ଫୁଟ୍ ଓ ଶୈଳଶ୍ରୀ ବିହାର ଫେଜ ଟୁ ତଳ ପଡିଆ କ୍ଲବ୍ ପକ୍ଷରୁ ୪୦ ଫୁଟ୍ ଉଚ୍ଚର ନିଆରା ବିନାୟକ ପ୍ରତିମୂର୍ତ୍ତି ତିଆରି ହୋଇଛି । ହେଲେ ମୂର୍ତ୍ତିର ଉଚ୍ଚତା ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲଗାଇଥିବା କଟକଣା ଏବେ ପୂଜା କମିଟିଙ୍କ ଚିନ୍ତା ବଢ଼ାଇଛି । ମୂର୍ତ୍ତି ବିସର୍ଜନ ବେଳେ ଜଳ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ ଗତବର୍ଷ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତି କହୁଛି, ପୂଜା କମିଟିଗୁଡ଼ିକ କେବଳ ପରିବେଶ ଅନୁକୂଳ ମୂର୍ତ୍ତି ବ୍ୟବହାର କରିପାରିବେ ।

ମୂର୍ତ୍ତି କିମ୍ବା ମେଢ଼ ତିଆରିରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍‌ର ବ୍ୟବହାର ହୋଇପାରିବନି । ତାଛଡ଼ା ସିନ୍ଥେଟିକ୍ ରଙ୍ଗ ଓ ବିଷାକ୍ତ ଉପାଦାନ ଥିବା ରଙ୍ଗ ବ୍ୟବହାର କରାଯାଇପାରିବ ନାହିଁ । ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୨୦ ଫୁଟ ଓ ମୂର୍ତ୍ତି ପଛରେ ବ୍ୟବହାର ହେଉଥିବା ମେଢ଼ର ଉଚ୍ଚତା ସର୍ବାଧିକ ୪୦ ଫୁଟ୍ ହୋଇପାରିବ । ନିୟମ ଉଲ୍ଲଂଘନ କଲେ ଜରିମାନା ଆଦାୟ ହେବ ।

ତେବେ ପୂଜା କମିଟି କର୍ମକର୍ତ୍ତାଙ୍କ କହିବା କଥା, ମାସେ ଦେଢ଼ ମାସ ହେଲା ମୂର୍ତ୍ତି ତିଆରି ଚାଲିଛି । ସେତେବେଳେ ସେମାନେ ନିୟମ ବିଷୟରେ ଜାଣି ନଥିଲେ । ତେଣୁ ସରକାର ଏଥର ରିହାତି ଦେବା ଉଚିତ୍‌ । ପରିବେଶବିତ୍‌ଙ୍କ ମତରେ ବିଶାଳ ମୂର୍ତ୍ତି ବିର୍ସଜନ ସମୟରେ ଜଳ ପ୍ରଦୂଷଣ ବଢ଼ିବା ସହ ବହୁ ଜଳଜୀବଙ୍କ ପ୍ରତି କ୍ଷତିକାରକ ହେବାର ଅଧିକ ଆଶଙ୍କା ରହିଛି । ଏଣୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏଭଳି କଟକଣା ସ୍ୱାଗତଯୋଗ୍ୟ ।

ଏପଟେ କଟକରେ ବିକୃତ ଗଶେଶ ମୂର୍ତ୍ତି ତିଆରି ସମ୍ପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେବା ପରେ ଏଭଳି ମୂର୍ତ୍ତି ତିଆରି ହୋଇଥିବା ପୂଜା ମଣ୍ଡପରେ ବିନାୟକଙ୍କ ପୂଜା କରିବେ କି ନାହିଁ, ଚିନ୍ତାରେ କମିଟି କର୍ମକର୍ତ୍ତା । ପୋଲିସ୍ କମିଶନର୍ ବି ସ୍ପଷ୍ଟ ଶୁଣାଇ ଦେଇଛନ୍ତି ଯେ, ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଭଳି ପଦକ୍ଷେପକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବନି ।