/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746013638.jpg)
Chandan Jatra
ଆମ କାଳିଆ ଠାକୁର ହେଉଛନ୍ତି ଖୁବ୍ ଉତ୍ସବ ପ୍ରିୟ। ସେଥିପାଇଁ ତାଙ୍କ ଶ୍ରୀମନ୍ଦିରରେ ବର୍ଷସାରା ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ମକର ସଂକ୍ରାନ୍ତି, ଦୋଳ ଉତ୍ସବ, ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ପରି ବିଭିନ୍ନ ପର୍ବ ପର୍ବାଣୀ ଯାନିଯାତ୍ରା ଲାଗି ରହିଥାଏ। ଭାରତରେ ଥିବା ହଜାର ହଜାର ଦେବ ମନ୍ଦିରରେ ଗରମ ଦିନେ ଆଲଟ ପଡେ, ଠାକୁର ଚନ୍ଦନ ଲାଗି ହୁଅନ୍ତି। ମାତ୍ର ସ୍ଵତନ୍ତ୍ର ଯାତ୍ରା ତଥା ଦୈବପର୍ବ ରୂପେ ଏହା ସମ୍ପୂର୍ଣ୍ଣ ଓଡ଼ିଶାରେ ହିଁ ପ୍ରସିଦ୍ଧ।
ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ। ଏହା ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ବା ସ୍ନାନପୂର୍ଣ୍ଣିମାର ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ ଦିନ ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ।
ପୁରୀରେ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ମହାଆଡମ୍ବର ସହକାରେ ପାଳନ କରଯାଏ। କେବଳ ପୁରୀରେ ନୁହେଁ, ଓଡ଼ିଶାର ଅନ୍ୟାନ୍ୟ ବୈଷ୍ଣବ ପୀଠ, ବିଶେଷ କରି ରାଜା ମହାରଜା ଓ ଜମିଦାରମାନଙ୍କ ଗଡ଼ରେ ଥିବା ପୋଖରୀରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ। କେତେ ସ୍ଥାନରେ ଚନ୍ଦନଯାତ୍ରା ସରିବା ପରେ ପୁଣି ଚନ୍ଦନ ଯାତ୍ରା ହୁଏ। ଏହାକୁ ଓଲଟ ଚନ୍ଦନ ଯାତ୍ରା କହନ୍ତି। ଚନ୍ଦନଯାତ୍ରାରେ ବିଭିନ୍ନ ଲେକନାଟ୍ୟ, ନୃତ୍ୟ, ଯାତ୍ରା, ପାଲା ପ୍ରଭୃତି ପରିବେଷଣ କରାଯାଏ।
ଚନ୍ଦନ ଯାତ୍ରାର ଆରମ୍ଭ
ପୁରୀରେ ଚନ୍ଦନଯାତ୍ରା କେବେ ଆରମ୍ଭ ହୋଇଥିଲା ତାହାର ନିର୍ଦ୍ଦିଷ୍ଟ ପ୍ରମାଣ ମିଳେ ନାହଁ। ତଥାପି ଓଡ଼ିଶାର କବିରାଜ ଜୟଦେବଙ୍କ ଗୀତଗୋବନ୍ଦ କାବ୍ୟ ରଚନା କାଳଠାରୁ ଚନ୍ଦନଯାତ୍ରା ଆରମ୍ଭ ହୋଇଥିବାର ଅନୁମାନ କରଯାଏ। ଶ୍ରୀମଦଭାଗବତ ଗୀତାରେ ଓ ଗୀତଗୋବିନ୍ଦ ବର୍ଣ୍ଣିତ ଶ୍ରୀରାଧାକୃଷ୍ଣଙ୍କ ରାସଲୀଳା ଓ ଜଳକେଳୀ ଲୀଳା ହେଉଛି ଚନ୍ଦନଯାତ୍ରାର ମୂଳ କାରଣ। ଗୌଡ଼ୀୟ ବୈଷ୍ଣବ ଦର୍ଶନର ପ୍ରତିଷ୍ଠା ଏପରିକି ମହାପ୍ରଭୁ ଶ୍ରୀଚୈତନ୍ୟଙ୍କ ଓଡ଼ିଶା ଆଗମନ(୧୫୧୦)ର ବହୁ ପୂର୍ବରୁ ଚନ୍ଦନଯାତ୍ରା ପାରମ୍ପରିକ ଭାବରେ ଅନୁଷ୍ଠିତ ହେଉଥବାର ଜଣାଯାଏ।
ବାହାର ଚନ୍ଦନ ଯାତ୍ରା କଣ?
ଶ୍ରୀମନ୍ଦିରର ଦକ୍ଷିଣ ଘରୁ ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା- ମଦନମୋହନ, କୃଷ୍ଣ ଓ ରାମ (ବଳରାମ) ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ୱତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି। ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଗୋଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେ କରିଥାନ୍ତି। ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି ମଦନମୋହନ, ଶ୍ରୀଦେବୀ ବା ଲକ୍ଷ୍ମୀ ଓ ଭୂଦେବୀ ବା ସରସ୍ୱତୀ। ବିମାନ ପଛ ପାଲିଙ୍କିରେ ବଳରାମ ଓ କୃଷ୍ଣ ଆରୋହଣ କରିଥାନ୍ତି। ପୁଣି ଅନ୍ୟ ପାଞ୍ଚଗୋଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ- ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଓ ଶ୍ରୀକପାଳମୋଚନ ବିଜେ କରିଥାନ୍ତି।
ନରେନ୍ଦ୍ର ପୁଷ୍କରିଣୀରେ ଯୋଡ଼ିଏ ଲେଖାଁଏ ନୌକା ଯୋଡ଼ାହୋଇ ଦୁଇଗୋଟି ଚାପ ପ୍ରସ୍ତୁତ ହୋଇଥାଏ। ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମ ଓ କୃଷ୍ଣ ଉପବେଶନ କରନ୍ତି। ଅନ୍ୟ ଚାପଟିରେ ବସନ୍ତି ପଞ୍ଚୁପାଣ୍ଡବ ରୂପେ ପରିଚିତ ମହାଦେବମାନେ। ପ୍ରତିମାମାନଙ୍କ ସହ ଚାପଦ୍ୱୟରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି ସେବକ ରହିଥାଆନ୍ତି। ଚାପ ଦୁଇଟି ନରେନ୍ଦ୍ର ପୁଷ୍କରିଣୀରେ ଘେରାଏ ଘେରାଏ ବୁଲି ଆସନ୍ତି।
ସ୍ନାନରୀତି ନିମନ୍ତେ ତିନିଗୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ। ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ। ଚନ୍ଦନ ଯାତ୍ରାର ଏକୋଇଶ ଦିନରୁ କୋଡ଼ିଏ ଦିନ ମଦନମୋହନ ପ୍ରତ୍ୟେକ ଦିନ ନୂଆ ବେଶ ଧାରଣ କରନ୍ତି। ଏହାର ଅନେକଗୁଡ଼ିଏ ବେଶ, କୃଷ୍ଣଲୀଳାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥାଏ।
ଭିତର ଚନ୍ଦନ ଯାତ୍ରା
ବାହର ଚନ୍ଦନ ଯାତ୍ରା ପରେ ମନ୍ଦିର ଭିତରେ ୨୧ଦିନ ବ୍ୟାପି ଭିତର ଚନ୍ଦନ ଅବସରରେ ବାହର ଚନ୍ଦନ ଯାତ୍ରା ଭଳି ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସମ୍ପନ୍ନ ହୋଇଥାଏ। ଏହାସହ ଏଥିମଧ୍ୟରୁ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀରେ ପ୍ରଭୁଙ୍କର ଜଳକ୍ରୀଡ଼ା ନୀତି ସମ୍ପନ୍ନ କରାଯାଇଥାଏ। ଏଥିରେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ରୋହିଣୀକୁଣ୍ଡ ନିକଟରେ ଥିବା ଜଳକ୍ରୀଡ଼ା ମଣ୍ଡପକୁ ଯାଇ ସେଠାରେ ସୁବାସିତ ଜଳକୁଣ୍ଡରେ ବିହାର କରିଥାନ୍ତି।
ମହାପ୍ରଭୁ କାଳିଆ ସାଆନ୍ତ ବେଶ୍ ଚନ୍ଦନ ପ୍ରିୟ। ସେଥିପାଇଁ ତାଙ୍କର ଅଛି ଚନ୍ଦନ ଘର ଓ ଅଛନ୍ତି ଘୋଟୁଆରୀ ସେବକ। ଆଉ ଚନ୍ଦନ ଯାତ୍ରା ତ ଠାକୁରଙ୍କର ଏକ ଉତ୍ସବମୟ ଲୀଳା। ଜଗତର ତ୍ରିତାପ ଯଥା- ଆଧିଦୈବିକ, ଆଧିଭୌତିକ ଓ ଆଧ୍ୟାତ୍ମିକ ହରଣ ନିମନ୍ତେ ଠାକୁରଙ୍କୁ ଚନ୍ଦନ ଲେପନ କରାଯାଇଥାଏ। ସିଂହାରୀ ସେବକମାନେ ଠାକୁରଙ୍କ ଏହି ସେବା କରିଥାନ୍ତି।
ପୁରାଣରେ ଚନ୍ଦନ ଯାତ୍ରା
ପୁରାଣ ଅନୁସାରେ ସତ୍ୟ ଯୁଗରେ ନୃସିଂହ ଦେବ ଏହି ଯାତ୍ରାର ଆୟୋଜନ କରିଥିଲେ। ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ପରେ ବିରାଟ ରାଜାଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଥିଲେ। ବିରାଟ ରାଜା ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାମକୃଷ୍ଣ ରୂପରେ ପଞ୍ଚୁପାଣ୍ଡବଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛା ପୂରଣ ପାଇଁ ସମ୍ମତ ହୋଇଥିଲେ। ଏହାପରେ ଏକ ବିରାଟ ଜଳାଶୟ ସୃଷ୍ଟି କରାଯାଇ ଜଳକେଳି ମଣ୍ଡପ ନିର୍ମାଣ କରାଯାଇଥିଲା। ଉପଲବ୍ୟ ଓ ବିଭାସ୍ତୁ ନଗରୀରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା। ସମ୍ଭବତଃ ଏହି କାରଣରୁ ମଦନମୋହନ ଓ ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡ଼ା ପାଇଁ ସରୋବରକୁ ଯାତ୍ରା କରିଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)