• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବିଚିତ୍ର ଠାକୁରର ବିଚିତ୍ର ନୀତି। ଏଠି ସବୁକିଛି ନିଆରା। ଠାକୁର ନୁହେଁ ତ ସତେ ଯେପରି ମଣିଷଟିଏ। ମଣିଷ ପରି ଶୁଏ, ମଣିଷ ପରି ସ୍ନାନ କରେ ଆଉ ମଣିଷ ପରି ବି ଖାଏ। କିନ୍ତୁ ସବୁ କିଛିର ଏକ ନିର୍ଦ୍ଦିଷ୍ଟ ନିୟମ ଓ ବିଧି ରହିଛି। ଏମିତି ଏକ ବିଧି ହେଲା କାଳିଆ ଠାକୁରର ଅଧରପଣା ନୀତି।

ବାହୁଡା ଯାତ୍ରା ପରେ ଅର୍ଥାତ ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ସିଂହଦ୍ୱାରଠାରେ ତିନି ରଥ ଉପରେ ସୁନାବେଶ ପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧରପଣା ଭୋଗ ହୋଇଥାଏ।

ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ। ସ୍ୱତ୍ତ୍ୱଲିପି ଅନୁଯାୟୀ ବାହୁଡା ଦଶମୀ ଦିନ ତ୍ରିରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଅଧରପଣା ଭୋଗ ହେବା ନିୟମ ରହିଛି।

୯ ହାଣ୍ଡି ଅଧର ପଣା:

ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବେ ବାହୁଡା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ, କୃଷ୍ଣଙ୍କ ଇଦ୍ଦେଶ୍ୟରେ ୨ ହାଣ୍ଡି ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା। ବର୍ତ୍ତମାନ ତିନି ରଥ ପାଇଁ ଦ୍ୱାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଛି।

୯ ହାଣ୍ଡି ପଣାର ରହସ୍ୟ:

ବଳଭଦ୍ରଙ୍କୁ ତାରା, ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କୁ ମହାକାଳୀ ବୋଲି ତାନ୍ତ୍ରିକ ଓ ଶକ୍ତି ଉପାସକମାନେ ବିଚାର କରନ୍ତି। ତେଣୁ ଏହି ନବଦିନାତ୍ମକ ରଥଯାତ୍ରାକୁ ତନ୍ତ୍ରର ପୂଜା ବୋଲି କୁହାଯାଏ। ଖାଲି ସେତିକି ନୁହେଁ, ତନ୍ତ୍ରର ପ୍ରଭାବ ଜଗନ୍ନାଥଙ୍କ ସଂସ୍କୃତିରେ ରହିଥିବାରୁ ପ୍ରତି ରଥରେ ୯ ଜଣ ଲେଖାଏଁ ପାର୍ଶ୍ୱ ଦେବଦେବୀ ରହିଥା'ନ୍ତି। ଏଥିପାଇଁ ଅଧର ପଣା ବେଳେ ପ୍ରତିରଥରେ ତିନି ତିନୋଟି କରି ମୋଟ ୯ଟି ହାଣ୍ଡି ପଣା ମହାପ୍ରଭୁଙ୍କୁ ମଣୋହି ହୋଇଥାଏ ବୋଲି କୁହାଯାଏ।

କିପରି ତିଆରି ହୁଏ ଭୋଗ:

ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ। ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି ମିଶି ଏହି ଭୋଗ ପ୍ରସ୍ତୁତ ହୁଏ। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ।

ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନ ଥାଏ। ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂଅରୁ ଗରାରେ ପାଣି କାଢି ରଥ ଉପରକୁ ବୋହି ବଡ଼ ପିତଳ ହଣ୍ଡାରେ ରଖିଥାନ୍ତି।

ପୂର୍ବରୁ ଅଧର ପଣା ପାଇଁ ଆବଶ୍ୟକ ପାଣି ରାଧାବଲ୍ଲଭ ମଠ କୂଅରୁ ଆସୁଥିଲା। ବର୍ତ୍ତମାନ ସିଂହଦ୍ୱାର ସମ୍ମୁଖ କୂଅରୁ ଏହି ପାଣି ଅଣାଯାଉଛି। ପାଣି ବୁହା ବେଳେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୁଆ ଖୋଳପା ଧରି ଲୋକଙ୍କୁ ଆଡେଇଥାନ୍ତି, ଯେପରିକି କେହି ପାଣିକୁ ସ୍ପର୍ଶ କରିବେ ନାହିଁ।

ଅଧରପଣା ଭୋଗ ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି। ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା କରିହା (ଜାଲିକନା) ପକାଯାଏ। ପାଣି ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି ମତ ରହିଛି।

ପୂଜା ବିଧି:

ମହାସୁଆରମାନେ ପ୍ରତି ରଥରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ଏହାପରେ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥରେ ପୂଜା କରନ୍ତି। ପରେ ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି।

କାହିଁକି ହୁଏ ଅଧର ପଣା ନୀତି:

ପୌରାଣିକ ବର୍ଣ୍ଣନାନୁଯାୟୀ, ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁଙ୍କ ସହ ରଥରେ ଅନେକ ଦେବଦେବୀ, ଦାନବ, ଗନ୍ଧର୍ଭ, ଯକ୍ଷ, ଚଣ୍ଡି, ଚାମୁଣ୍ଡା ତଥା ଅଶରୀରୀମାନେ ଯାଇଥାନ୍ତି। ଏସବୁ ଆତ୍ମାର ଶାନ୍ତି ନିମନ୍ତେ ନୀଳାଦ୍ରି ବିଜେ ପୂର୍ବରୁ ମହାପ୍ରଭୁ ଅଧର ଅମୃତ ପାନ କରିଥାନ୍ତି। ଏହି ପଣା ପାନ କଲେ ଅତୃପ୍ତ ଆତ୍ମା ମୁକ୍ତି ଲାଭ କରିଥାଏ ବୋଲି ବିଶ୍ୱାସ ରହିଛି। ବର୍ଷକୁ ଥରେ ମଣିଷଙ୍କ ପରି ପ୍ରେତାତ୍ମାମାନେ ମଧ୍ୟ ଚାହିଁ ବସିଥା'ନ୍ତି ରଥଯାତ୍ରାକୁ। ଅତୃପ୍ତ ଆତ୍ମା ତୃପ୍ତ ହୁଅନ୍ତି, ଅଶରୀରୀମାନେ ମୁକ୍ତି ପାଆନ୍ତି। ଏଭଳି ଅନେକ ଲୋକ ପ୍ରବାଦ ଅଧରପଣାକୁ ନେଇ ରହିଛି।

OTV is now on Whatsapp

Join and get latest news update delivered to you via whatsapp

Join Now